ତିହିଡି,୦୬/୦୫(ଯଦୁମଣି ପାଣିଗ୍ରାହୀ): ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଧାମନଗର ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ୩ ପ୍ରମୁଖ ଦଳ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡରୁ ଡା. ସଞ୍ଜୟ ଦାସ ଓ କଂଗ୍ରେସରୁ ରଞ୍ଜନ ବେହେରା ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ବିଶେଷକରି ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ତିହିଡି ବ୍ଲକର ୧୩ ପଞ୍ଚାୟତରୁ ସର୍ବାଧିକ ଭୋଟ ହାତେଇବାକୁ ପ୍ରାର୍ଥୀ ମାନେ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମଳିଛି । ଧାମନଗର ବ୍ଲକର ୩୧ଟି ଓ ତିହିଡି ବ୍ଲକର ୧୩ଟି ମୋଟ ୪୪ଟି ପଞ୍ଚାୟତ ଓ ଗୋଟିଏ ଏନଏସିକୁ ନେଇ ଏହି ନିର୍ବାଚନମଣ୍ଡଳୀଟି ଗଠିତ ହୋଇଛି । ଚଳିତ ନିର୍ବାଚନରେ ବିଜେଡି ଡା. ସଞ୍ଜୟ ଦାସଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ଡା. ଦାସ ଧାମନଗର ବ୍ଲକର ୩୧ଟି ପଞ୍ଚାୟତ ଓ ଏନଏସିରେ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ବେଳେ ତିହିଡି ବ୍ଲକର କାଁପଡା, ଶ୍ୟାମସୁନ୍ଦରପୁର, ତଳଗୋପବିନ୍ଧା, ବୋଡକ, ବାରୋ, ବିଲଣା, କୁବେରା, ନୟାନନ୍ଦ, ଦୋଳସାହି, ଗୁଆମାଳ, ପାଳିଆବିନ୍ଧା, ତାଳପଦା ଓ ଅଚକ ଏହି ୧୩ ପଞ୍ଚାୟତରୁ କିଭଳି ପୂର୍ବାପେକ୍ଷା ଅଧିକ ଭୋଟ ଅକ୍ତିଆର କରିହେବ ସେଥିପାଇଁ ଦିନରାତି ଏକକାର କରି ଦେଇଛନ୍ତି । ଗତ ଉପ ନିର୍ବାଚନରେ ବିଜେପି ଏହିସବୁ ପଞ୍ଚାୟତରେ ବିଜେଡି ଅପେକ୍ଷା ଅଧିକ ଭୋଟ ପାଇଥିବାରୁ ଏଥର ଦଳର ବରିଷ୍ଠ ନେତୃତ୍ୱଙ୍କ ସହଯୋଗରେ ସେ ଏହିସବୁ ପଞ୍ଚାୟତକୁ ଅଧିକ ଫୋକସ କରି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିଥିବା ବେଳେ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ମାନ ଆୟୋଜନ କରି ଅନ୍ୟ ଦଳର କର୍ମୀଙ୍କୁ ନିଜ ଦଳରେ ମିଶାଇବାକୁ ସକ୍ଷମ ହୋଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ରୋଗୀସେବା ମାନ କରି ଲୋକଙ୍କ ମନ କିଣିବାକୁ ବି ପ୍ରୟାସ ଜାରି ରଖିଛନ୍ତି । ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଭଦ୍ରକ ସଂସଦୀୟ କ୍ଷେତ୍ରର ସଂଯୋଜକ ବିଦୁ୍ୟତଲତା ନାୟକ, ପ୍ରାକ୍ତନ ବିଧାୟକ ବିଜୟ ନାୟକ, ନିର୍ବାଚନମଣ୍ଡଳୀର ଦଳୀୟ ସଂଯୋଜକ ତାପସ ପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ, ପ୍ରାକ୍ତନ ସରପଞ୍ଚ ପ୍ରଦୀପ ପଣ୍ଡା, ବରିଷ୍ଠ ନେତା, ଗଣେଶ ବିଶ୍ୱାଳ, ସୁଧନ୍ୱା ନାୟକ, ହରେକୃଷ୍ଣ ଜେନା ପ୍ରମୁଖ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗ କ୍ରମେ ଦଳୀୟ ସଙ୍ଗଠନକୁ ମଜବୁତ କରି ଆଗାମୀ ନିର୍ବାଚନ ବୈତରଣୀକୁ ପାରି ହେବାକୁ ସେ ମନରେ ଆଶା ରଖିଛନ୍ତି । ତେବେ ଏଠାକାର ଭୋଟର ବେଶ ସଚେତନ ଥିବା କାରଣରୁ ପ୍ରତିଦ୍ୱନ୍ଦିତା କରୁଥିବା ୩ ଯୁବ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନେ ଜଣେ ଦକ୍ଷ, ଯୋଗ୍ୟ ଓ ପରିପକ୍ୱ ଯୁବ ପ୍ରାର୍ଥୀଙ୍କୁ ଏଠାରୁ ନିର୍ବାଚିତ କରିବାର ସମ୍ଭାବନା ରହିଛି ।
