ତିହିଡି :ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସେବା ସଙ୍ଗଠନ ସେବା ସଙ୍କଳ୍ପ ସମାଜର ହସ୍ତକ୍ଷେପ ପରେ ଆଦିବାସୀ ଶ୍ରମିକଙ୍କୁ ଥାନାରୁ ନ୍ୟାୟ ମିଳିଛି । ଘଟଣାରୁ ପ୍ରକାଶ ଯେ, ଏହି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କୁଆଁରଚତର ଗାଁର କୈଳାସ ନାୟକ ଓ ଜଗା ନାୟକ ନାମକ ୨ଜଣ ବ୍ୟକ୍ତି ସେମାନଙ୍କ ବିଲରେ ଚାଷ କାମ କରିବା ଲାଗି ଭଦ୍ରକ ରାଣୀତାଲ ଅଞ୍ଚଳରୁ ୧୦ ଜଣ ଆଦିବାସୀ ଶ୍ରମିକ(କିଛି ନାବାଳିକା ଓ ଅନ୍ୟମାନେ ବୟସ୍କା)ଙ୍କୁ ଆଣିଥିଲେ । ସେମାନଙ୍କୁ ଦୈନିକ ୩ଶହ ଟଙ୍କା ମଜୁରି ଓ ଖାଇବାକୁ ଦେବା ଲାଗି ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ଗତ ୬ ତାରିଖ ଦିନ ଏମାନେ କୁଆଁରଚତର ଗାଁରେ ପହଞ୍ଚିବା ପରେ ପରଦିନ ଠାରୁ ସେମାନଙ୍କ ବିଲରେ କାମ ଆରମ୍ଭ କରିଥିଲେ ।
ତେବେ ୩ ଦିନ ଧରି କାମ କରିବା ପରେ ସେମାନେ ଆଉ କାମ କରିବାକୁ ରାଜି ହୋଇନଥିଲେ । ସେମାନଙ୍କୁ ସେମାନଙ୍କ ମଜୁରି ଦେଇଦେଲେ ସେମାନେ ଘରକୁ ଚାଲିଯିବେ ବୋଲି କହିବାରୁ ଜଗା ଓ କୈଳାସ ସେମାନଙ୍କୁ ମଜୁରି ନଦେଇ ବିଦା କରି ଦେଇଥିଲେ । ଫଳରେ ଏହି ଶ୍ରମିକ ମାନେ କୌଣସିମତେ ତିହିଡି ବଜାରକୁ ଆସି ବୁଲୁଥିବା ବେଳେ ସେବା ସଙ୍କଳ୍ପ ସମାଜର କର୍ମକର୍ତ୍ତାଙ୍କ ସହ ସାକ୍ଷାତ ହୋଇଥିଲା । ନାରାୟଣ କର, ହରେକୃଷ୍ଣ ପଣ୍ଡା ଓ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ସେମାନଙ୍କ ସମସ୍ୟା ଶୁଣିବା ପରେ ଘଟଣାରେ ହସ୍ତକ୍ଷେପ କରିଥିଲେ । ପୋଲିସ ସହାୟତାରେ ଉଭୟ କୈଳାସ ଓ ଜଗାଙ୍କୁ ଡକାଇ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା କରାଇଥିଲେ । ପରେ ଉକ୍ତ ଶ୍ରମିକ ମାନେ ସେମାନଙ୍କ ଗାଁକୁ ଫେରିଥିଲେ ।
