ତିହିଡି, ୦୪/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ପାଳିଆବିନ୍ଧାସ୍ଥିତ ବିଏନଏମଏ କଲେଜ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଣିତାଲରେ ଅନୁଷ୍ଠିତ ହେବାକୁ ଥିବା ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଯିବାକୁ ସୁଯୋ ନମିଳିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥ ପାଳିଆବିନ୍ଧା ସେବା ସମବାୟ ସମିତି ନିକଟସ୍ଥ ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମସ୍ତ ବସଗୁଡିକୁ ସେମାନେ ଅଟକାଇଥିଲେ । ‘ଆମକୁ ନନେଲେ ଏଇ ରାସ୍ତାରେ କୌଣସି କଲେଜ ଗାଡି ଛାଡିବୁନି’ ଦାବିରେ ରାଜରାସ୍ତାରେ ହରତାଳ କରିଥିଲେ ଶତାଧିକ ଛାତ୍ରଛାତ୍ରୀ । ଭଦ୍ରକ ଯିବାକୁ ପୂର୍ବରୁ ସେମାନଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଆଜି ବସରେ ଯିବା ବେଳକୁ ତାଙ୍କ ନାମରେ ଅନ୍ୟମାନେ କାର୍ଯ୍ୟକ୍ରମକୁ ଯାଇଥିବା ଜାଣିବାକୁ ପାଇଥିଲେ । ଅନ୍ୟପଟେ ପ୍ରତି କଲେଜରୁ ୫୭୫ ଜଣ ଛାତ୍ରଛାତ୍ରୀ ଯିବାକୁ ଅନୁମତି ମିଳିଥିବା ବେଳେ କଲେଜ କର୍ତ୍ତୃପକ୍ଷ ସମସ୍ତଙ୍କୁ ଯିବା ପାଇଁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି କଲେଜରେ ୩ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ତନ୍ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଆସିନଥିବା ବେଳେ ୫୭୫ ଜଣ ଛାତ୍ରଛାତ୍ରୀଙ୍କ ବ୍ୟତିତ ଆହୁରି ଦୁଇ ଶହରୁ ଉର୍ଦ୍ଧ ଆସିଥିଲେ । ସେମାନଙ୍କୁ ସୁଯୋଗ ନମିଳିବାରୁ ରାଜ୍ୟ ରାଜପଥରେ ଏପରି ହରତାଳ କରାଯାଇଥିବା ଜଣାଯାଇଛି । କଲେଜ ଅଧ୍ୟକ୍ଷ ଡ. ଅମୁଲ୍ୟ ପରିଡା ସେମାନଙ୍କୁ ବୁଝାଇଥିଲେ । ପରେ ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ସମେତ ଅନ୍ୟନ୍ୟ କର୍ମକର୍ତ୍ତା ଓ ବିଡିଓ ଜ୍ୟୋତିର୍ମୟ କର ଘଟଣା ସ୍ଥଳରେ ପହଂଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହିତ ଅନ୍ୟ ଏକ ବସ ଯୋଗାଡ କରି ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।