ତିହିଡି,୦୮/୦୮(ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଲକର ବିଭିନ୍ନ ସ୍କୁଲ ଓ କଲେଜରେ ହୋଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ସ୍ୱାବ୍ ଟେଷ୍ଟ ହେବାକୁ ଯାଉଥିବା ବେଳେ ରିପୋର୍ଟ ଆସିବାରେ ଅହେତୁକ ବିଳମ୍ବ ଘଟୁଛି । ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପ୍ରକାଶ ଯେ, ସଂପ୍ରତି କରୋନା ମହାମାରୀ ଦୃଷ୍ଟିରୁ ପ୍ରବାସରୁ ଆସୁଥିବା ଓଡିଆ ମାନଙ୍କୁ ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ରଖାଯାଉଛି । ଏମାନେ ଏଠାରେ ୧୪ ଦିନ ପାଇଁ ରହିବାର ସରକାରୀ ବ୍ୟବସ୍ଥା ରହିଛି । ଏହାରି ଭିତରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୁବନେଶ୍ୱର ପଠାଯିବ । ଏହି ୧୪ ଦିନ ମଧ୍ୟରେ ସେମାନଙ୍କ ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନଙ୍କୁ (ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ) ଘରକୁ ଛାହି ଦିଆଯିବ ।
ତେବେ ଏଥିରେ ବ୍ୟତିକ୍ରମ ଦେଖା ଯାଉଥିବା ଅଭିଯୋଗ ହୋଇଛି । ତିହିଡି ସରକାରୀ ବାଳିକା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀଙ୍କ ମଧ୍ୟରୁ ୧୪ ଦିନ ଅତିବାହିତ କରିଥିବା କେତେକ ଗତ ୭ ତାରିଖରେ ସେମାନଙ୍କ ରିପୋର୍ଟ ଏଯାବତ ଆସିନଥିବା ି ଅଭିଯୋଗ କରିଥିବା ବେଳେ ତିହିଡି ସରସ୍ୱତୀ ଶିଶୁମନ୍ଦିରରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିବା କେତେକ ଅନ୍ତେବାସୀ ଆଜି ଅନୁରୂପ ଅଭିଯୋଗ କରିଛନ୍ତି । ଏମାନଙ୍କ ରିପୋର୍ଟ ନିର୍ଦ୍ଧାରିତ ସମୟରେ ଆସି ପାରୁ ନଥିବାରୁ ସ୍ଥାନୀୟ ପ୍ରଶାସନ ଏମାନଙ୍କ ଘରକୁ ଛାଡୁନାହାନ୍ତି । ସେହିପରି ସଙ୍ଗରୋଧ କେନ୍ଦ୍ର ଗୁଡିକରେ ଅନେକ ଅବ୍ୟବସ୍ଥା ଦେଖା ଦେଉଥିବାରୁ ଅନ୍ତେବାସୀ ମାନେ ଏଠାରେ ଅଧିକ ଦିନ ରହିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।
