Odisha news

କୁଷ୍ଠ ରୋଗ ଚିହ୍ନଟ ଓ ଆରୋଗ୍ୟ କ୍ଷେତ୍ରରେ ତିହିଡି ବ୍ଲକ ଆଗୁଆ

0

ତିହିଡି,୨୬/୦୫ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାଜରୁ କୁଷ୍ଠ ରୋଗକୁ ମୂଳପୋଛ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏଥିନେଇ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଅନେକ ରୋଗୀ ଏଥିରୁ ଆରୋଗ୍ୟ ଲାଭ କରି ପାରୁଛନ୍ତି । ଆରମ୍ଭରୁ କୁଷ୍ଠରୋଗୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଯଥାଶିଘ୍ର ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ ଏଥିରୁ ଯେ ମୁକ୍ତି ମିଳିପାରିବ ଏଥିରେ ସନେ୍ଦହ ନାହିଁ । ଏହି ପରିପ୍ରେକ୍ଷୀରେ କୁଷ୍ଠରୋଗ ଚିହ୍ନଟ ଓ ଆରୋଗ୍ୟ କ୍ଷେତ୍ରରେ ତିହିଡି ବ୍ଲକ ସମଗ୍ର ଜିଲ୍ଲାରେ ୧ ନମ୍ବର ସ୍ଥାନ ହାସଲ କରିଥିବା ଜଣାଯାଇଛି । ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବ୍ଲକ ନୋଡାଲ କୁଷ୍ଟରୋଗ କର୍ମୀ(ବିଏନଏଲଡବ୍ଲୁ୍ୟ) କାହ୍ନୁଚରଣ ବାରିକ ଦୀର୍ଘ ୩୮ ମାସ ଧରି ନିଷ୍ଠାର ସହିତ କାର୍ଯ୍ୟକରି ବ୍ଲକରେ ଆରମ୍ଭରୁ କୁଷ୍ଠରୋଗ ଚିହ୍ନଟ ସହ ଯଥାଶିଘ୍ର ଚିକିତ୍ସା ସେବାର ବ୍ୟବସ୍ଥା କରାଇ ପାରିଛନ୍ତି । ଯାହାଫଳରେ ବହୁ ରୋଗୀ କୁଷ୍ଠ ରୋଗରୁ ମୁକ୍ତି ପାଇ ସାଧାରଣ ଜୀବନଯାପନ କରିବାକୁ ସକ୍ଷମ ହୋଇ ପାରିଛନ୍ତି । ଏଥିରେ ତାଙ୍କୁୁ ସମସ୍ତ ଆଶା, ଆଶା ସାଥୀ, ଏମପିଏଚଡବ୍ଲୁ୍ୟ(ପୁରୁଷ ଓ ମହିଳା) ଓ ସୁପରଭାଇଜର ମାନେ ସହଯୋଗ କରିଛନ୍ତି । ସମସ୍ତଙ୍କ ସହ ସୁବ୍ୟବହାର ଓ ସୁସଂପର୍କ ରକ୍ଷା କରି ଶ୍ରୀ ବାରିକ ପ୍ରତି ବର୍ଷ ଲଗାତର ସଫଳତା ହାସଲ କରି ପାରିଛନ୍ତି । ଗତ ୨୦୧୯-୨୦ ବର୍ଷରେ ୧୩ଜଣ, ୨୦୨୦-୨୧ରେ ୧୪ଜଣ, ୨୦୨୧-୨୨ରେ ୩୧ଜଣ ଓ ଓ ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଏଯାବତ୍ ୧୦ଜଣ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସାର ବ୍ୟବସ୍ଥା କରି ସାରିଛନ୍ତି । ବହାବଳପୁର, ସୟା, ଶ୍ୟାମସୁନ୍ଦରପୁର, ଦୌଲତପୁର, ବାମନବିନ୍ଧା, ରାଣୀପୁର, କୋହ୍ଲ, ବାରସର, ବିଲଣା, ମୁକୁନ୍ଦପୁର ଆଦି ଅଞ୍ଚଳରୁ ଏହି ରୋଗୀମାନେ ଚିହ୍ନଟ ହୋଇଛନ୍ତି । ଏହି ରୋଗର ଲକ୍ଷଣ ଦେଖା ଦେଉଥିବା ଲୋକେ ମନରେ କୌଣସି ଲଜ୍ଜା କି ସଙ୍କୋଚ ବୋଧ ନ କରି ତୁରନ୍ତ ତାଙ୍କ ସହ ଯୋଗାଯୋଗ କରିପାରିଲେ ଏଥିରୁ ସହଜରେ ମୁକ୍ତି ମିଳି ପାରିବ ବୋଲି ଶ୍ରୀ ବାରିକ କହିଛନ୍ତି ।

Leave A Reply