Odisha news

ଅବ୍ୟବସ୍ଥା ମଧ୍ୟରେ ତିହିଡି ବ୍ଲକର ଜଳ ଯୋଗାଣ ବ୍ୟବସ୍ଥା

0

ତିହିଡି,୨୬/୦୫ : ସଂପ୍ରତି ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ତିହିଡି ବ୍ଲକର ଜଳ ଯୋଗାଣ ବ୍ୟବସ୍ଥା ଚରମ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି । ଏହି ବ୍ଲକ ଅଧିନରେ ପରିଚାଳିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବାଟବଣା ହୋଇଛି । ଏହି ପରିପ୍ରେକ୍ଷୀରେ ବ୍ଲକସ୍ତରରେ ପ୍ରଚାର ପ୍ରସାର ମାଧ୍ୟମରେ ଗ୍ରୀଷ୍ମଋତୁ ପ୍ରାରମ୍ଭରେ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଲୋକ ଦେଖାଣିଆ ପ୍ରଶଂସା ସାଉଣ୍ଟିବାରେ ବିଭାଗୀୟ ଅଧିକାରୀ ମାନେ ବେଶ ତତ୍ପର ହୋଇ ଉଠିଛନ୍ତି । ଉକ୍ତ ବ୍ଲକ ଅଧିନରେ ଗୁଆମାଳ, କୁବେରା, ମହରମପୁର, ମୁକୁନ୍ଦପୁରରେ ପ୍ରାରମ୍ଭରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅଚଳ ଅବସ୍ଥାରେ ରହିଥିବାରୁ ଲୋକେ ପନେୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ନଳକୂପ ମରାମତି କରିବାକୁ ଥିବା ବିଭାଗରେ ବ୍ଲକ ସ୍ତରରେ ବହୁ କର୍ମଚାରୀ ଅବସର ଗ୍ରହଣ କରି ସାରିଥିବା ସ୍ଥଳେ ମାତ୍ର ୨/୩ ଜଣଙ୍କୁ ନେଇ ପରିଚାଳନା କରାଯାଉଛି । ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସ୍ୱାବଲମ୍ବୀ କାରିଗର ମାନଙ୍କୁ ମାସିକ ପ୍ରାପ୍ୟରୁ ବଞ୍ଚିତ କରାଯିବା କାରଣରୁ ଗୁଆମାଳ ପଞ୍ଚାୟତରେ କୌଣସି କାରିଗର ନଥିôବା ସ୍ଥଳେ ଉକ୍ତ ଜଳ ଯୋଗାଣ ପ୍ରକଳ୍ପଟି ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ପଡିରହିଛି । ଏବଂ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରି ଆସୁଥିବା ମେକାନିକ ଜଣଙ୍କ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ କାର୍ଯ୍ୟରୁ ନିବୃତ୍ତ ହୋଇଛନ୍ତି । ମହରମପୁର ଗ୍ରାମ ପଞ୍ଚାୟତ ଅଧିନ ସୟା ଛକ ଠାରେ ଥିବା ପ୍ରକଳ୍ପଟି ଆରମ୍ଭରୁ ବନ୍ଦ ହୋଇ ପଡିଛି । ମୁକୁନ୍ଦପୁର ଗ୍ରାମ ପଞ୍ଚାୟତରେ ନିର୍ମିତ ୨ଟି ପ୍ରକଳ୍ପ ଆରମ୍ଭରୁ ଗୋଟିଏ ବର୍ଷ ଚାଲୁ ରହି ବନ୍ଦ ହୋଇ ପଡି ରହିଛି । ବାହାବଳପୁର ଗ୍ରାମ ପଞ୍ଚାୟତରେ ନଳକୂପ ମାରାମତି ମେକାନିକଙ୍କୁ ପ୍ରାପ୍ୟ ନ ଦେଇ ଇଚ୍ଛାକୃତ ଭାବେ ଆକ୍ରୋଶ ମୂଳକ ବାହାର କରି ଦିଆଯାଇଛି । ୨୦୧୩ ମସିହା ସଚିବସ୍ତରୀୟ ନିୟମକୁ ଫୁ କରି ସାହାପୁର ଗ୍ରାମ ପଞ୍ଚାୟତ ଠାରେ ଅଣ ତାଲିମପ୍ରାପ୍ତ ସାଧାରଣ ଲୋକଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ ପରିଚାଳନା ନିମନ୍ତେ ବିଭାଗ ତରଫରୁ ସୁଯୋଗ ସୃଷ୍ଟି କରି ପରିଚାଳନା ନିମନ୍ତେ ପରାମର୍ଶ ଦିଆଯାଇଛି । କୁବେରା ଗ୍ରାମ ପଞ୍ଚାୟତରେ ବିଦୁ୍ୟତ ସଂଯୋଗ ଅବ୍ୟବସ୍ଥାକୁ ଆଳ କରି ବହୁ ଦିନରୁ ଉକ୍ତ ପ୍ରକଳ୍ପଟି ବନ୍ଦ ରହିଅଛି । ବ୍ଲକ ସ୍ତରରେ ଗ୍ରାଷ୍ମ ଋତୁ ପୂର୍ବରୁ କେବଳ ବିଧି ରକ୍ଷା ପୂର୍ବକ ସମୀକ୍ଷା ବୈଠକ ଶେଷ କରି ବିଭାଗୀୟ ଅଧିକାରୀ ପ୍ରଶଂସା ସାଉଣ୍ଟି ସାରିଛନ୍ତି । ହେଲେ ଏ ଯାବତ୍ ବହୁ ଗ୍ରାମ ପଞ୍ଚାୟତରେ ନଳକୂପ ଯନ୍ତ୍ରାଂଶ ଅଭାବରୁ ମରାମତି କାର୍ଯ୍ୟ ଆଗେଇ ପାରୁନାହିଁ । ସମଗ୍ର ବ୍ଲକରେ ପାନୀୟ ଜଳ ଯୋଗାଣର ବାସ୍ତବ ସ୍ଥିତି ଅତି କରୁଣ ହୋଇଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply