ତିହିଡି,୦୯/୦୭: ତିହିଡି ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀ ମାନେ ରାସନ କାର୍ଡ ହାତେଇ ନେଇ ଖାଦ୍ୟ ସୁରକ୍ଷା ଯୋଜନାରୁ ଫାଇଦା ଉଠାଉଛନ୍ତି । ଏହାଛଡା ମନରେଗା ଯୋଜନାରେ ମଧ୍ୟ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ବ୍ଲକ କଂଗ୍ରେସ ନେତୃବୃନ୍ଦ ଏ ସଂପର୍କରେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନଷ୍ଠାନ ନିଆ ନଗଲେ ସେମାନେ ଆଇନର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଅନିୟମିତତା ହୋଇଛି ।
ହିତାଧିକାରୀ ଠିକ ଭାବେ ଚୟନ ହୋଇନଥିବା ବେଳେ ପ୍ରତି ହିତାଧିକାରୀଙ୍କ ନିକଟରୁ ୧୫ ହଜାର ଟଙ୍କା ହଡପ କରାଯାଉଛି । ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାନେ ସରକାରୀ କର୍ମଚାରୀଙ୍କ ଅନୁକମ୍ପାରୁ ଫାଇଦା ହାସଲ କରୁଥିବା ଦର୍ଶାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ଅଯୋଗ୍ୟ ହିତାଧିକାରୀ ମାନେ ବେଆଇନ ଭାବେ ରାସନ କାର୍ଡ ପାଇବାରେ ସକ୍ଷମ ହୋଇଛନ୍ତି । ସରକାରୀ କର୍ମଚାରୀ ଓ ଦଲାଲ ମାନଙ୍କ ସଲାସୁତୁରାରେ ପୂର୍ବରୁ ଅନ୍ତ୍ୟୋଦୟ ହିତାଧିକାରୀଙ୍କ କାର୍ଡକୁ କାଟି ଦିଆଯାଇଛି ।
ବହୁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡିଛନ୍ତି । ସେହିପରି ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନା ବାଟମାରଣା ହୋଇଛି । ମେସିନ ସହାୟତାରେ କାର୍ଯ୍ୟ କରାଯାଇ ମିଥ୍ୟା ମଷ୍ଟର ରୋଲ ଜରିଆରେ କୋଟି କୋଟି ଟଙ୍କା ହଡପ କରାଯାଉଥିବା ଅଭିଯୋଗରେ ଦର୍ଶଯାଇଛି । ପୂର୍ବରୁ ପ୍ରଚଳିତ ପଲ୍ଲୀସଭା ଓ ଗ୍ରାମସଭା ପଦ୍ଧତିକୁ ଉଠାଇ କାର୍ଯ୍ୟ ଚୟନ କ୍ଷେତ୍ରରେ ସରକାରୀ କର୍ମଚାରୀ ମାନଙ୍କ ମାଧ୍ୟମରେ ବିଭାଗୀୟ କାର୍ଯ୍ୟଗ୍ରାହୀ ନିର୍ଦ୍ଧାରଣ କରିବା ଦ୍ୱାରା କାର୍ଯ୍ୟର ମାନ ଠିକ ରହୁନଥିବା ବେଳେ ଦଲାଲ ମାନେ ଫାଇଦା ହାସଲ କରୁଛନ୍ତି । ଏହିସବୁ ଅନିୟମିତତା ଯୋଗୁଁ ସରକାରୀ ଅର୍ଥ ହରିଲୁଟ ହେଉଥିବା ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ସମିତିସଭ୍ୟ ଉଦ୍ଧବ ଚରଣ ନାୟକ, ସମିତିସଭ୍ୟାଙ୍କ ପ୍ରତିନିଧି ସୁରେଶ ମହାପାତ୍ର, ପ୍ରାକ୍ତନ ସରପଞ୍ଚ ମୀନକେତନ ସେନାପତି, ଯୁବ ନେତା ଗଣେଶ ମଲ୍ଲିକ, ସୌମ୍ୟରଞ୍ଜନ ବାରିକ, ବେଣୁଧର ଦାସ, ଗୋରାବାବୁ ଶାହ, ଦିଲ୍ଲୀପ ବିଶ୍ୱାଳ ଓ ଭାସ୍କର ନାଥ ପ୍ରମୁଖ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଲାଗି ଦାବି ଜଣାଇଛନ୍ତି ।
Comments are closed.