ତିହିଡି, ୦୨/୦୮: ତିହିଡି ଥାନା ଇଲାକାରେ ଏକ ଅଭାବନୀୟ ଘଟଣାକ୍ରମରେ ପୋଖରୀରେ ବୁଡି ଦୁଇଦିନରେ ୨ଜଣଙ୍କର ମୃତୁ୍ୟଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ କନ୍ୟା ଓ ଜଣେ ମହିଳା ଅଟନ୍ତି । ପ୍ରକାଶ ଯେ, ଏହି ଥାନା ଅନ୍ତର୍ଗତ ବାହାବଳପୁର ପଞ୍ଚାୟତର ବାଇପୁର ଗାଁର ଗୌରାଙ୍ଗ ମହାନ୍ତିଙ୍କ ଝିଅ ସଂଯୁକ୍ତା ମହାନ୍ତି(୯)କୁ ଗତକାଲି ଅପରାହ୍ଣରେ ତାଙ୍କ ପରିବାର ଲୋକେ ନପାଇବାରୁ ଖୋଜାଖୋଜି କରିଥିଲେ । ପରେ ତାଙ୍କ ବାଡିରେ ଥିବା ଏକ ପୋଖରୀରେ ସେ ଭାସୁଥିବାର ଦେଖି ସେଠାରୁ ତାକୁ ଉଦ୍ଧାର କରିବା ସହିତ ତିହିଡି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ଏଥିନେଇ ତିହିଡି ଥାନାରେ ଏକ ଅପମୃତୁ୍ୟ ମାମଲା ନଂ-୪୫/୨୦ ରୁଜୁ ହୋଇଛି । ସେହିପରି ଆଜି ସକାଳେ ଗୁଆମାଳ ପଞ୍ଚାୟତ ଈଷାଣପୁର ଗାଁର ରଘୁନାଥ ଯେନାଙ୍କ ସ୍ତ୍ରୀ ପ୍ରମିଳା ଯେନା(୫୩) ସକାଳେ ଫୁଲ ତୋଳିବାକୁ ଯାଇଥିବା ବେଳେ ସେଠାରେ ଥିବା ଏକ ପୋଖରୀ ପଡିଯାଇଥିଲେ । ପରେ ତାଙ୍କ ପରିବାର ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେ ଆଉ ଜୀବିତ ନଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦର ବ୍ୟବସ୍ଥା କରାଇଥିଲେ । ଏଥିନେଇ ଥାନାରେ ଅନ୍ୟ ଏକ ଅପମୃତୁ୍ୟ ମାମଲା ନଂ-୪୬/୨୦ ରୁଜୁ ହୋଇଛି ।
