Odisha news

ତିହିଡିର ଏକମାତ୍ର ମିନି ଷ୍ଟାଡିୟମ ଖାଲ ଖମାରେ ପରିପୂର୍ଣ୍ଣ ୨୦ ଲକ୍ଷ ଖର୍ଚ୍ଚ ପରେ ବି ହୋଇ ପାରିଲାନି କ୍ରୀଡା ଉପଯୋଗୀ

ତିହିଡି,୨୫/୦୩: ସରକାର କ୍ରୀଡାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।ଯାହାଦ୍ୱାରା ଗ୍ରାମାଞ୍ଚଳର ପିଲାମାନେ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରି ସୁନାମ ଅର୍ଜନ କରିପାରିବେ । ଏଥିପାଇଁ ସ୍କୁଲ ସ୍ତରରେ କ୍ରୀଡା ଭିତ୍ତିଭୂମିକୁ ସଜାଡିବାକୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । ମାତ୍ର ଏହାର ସୁବିନିଯୋଗ ହୋଇ ପାରୁ ନଥିବାରୁ ସରକାରୀ ଅର୍ଥ ପାଣିରେ ପଡିବା ସାର ହେଉଛି । ତିହିଡି ବ୍ଲକର ଏକମାତ୍ର ମିନି ଷ୍ଟାଡିୟମ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ପରେ ବି ଏହା ଖାଲ ଖମାରେ ପରିପୂର୍ଣ୍ଣ ହୋଇ ରହିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ହୋଇ ରହିଛି ।

ତିହିଡି ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ମିନି ଷ୍ଟାଡିୟମ କରିବାକୁ ଏତେ ଟଙ୍କା ବ୍ୟୟ କରାଯିବା ପରେ ବି ଏହା ଖେଳପଡିଆ ଉପଯୋଗୀ ହୋଇ ନପାରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ୨୦୧୧-୧୨ ଆର୍ଥିକ ବର୍ଷରେ ଏହି ଖେଳପଡିଆକୁ ମିନି ଷ୍ଟାଡିୟମ କରାଯିବାକୁ ସ୍ଥିର ହୋଇଥିଲା । ବ୍ଲକର ମଧ୍ୟସ୍ଥଳରେ ଏହି ପଡିଆ ଥିବାରୁ ଓ ପଡିଆର ଆକାର ବଡ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା । ତିହିଡି ପଞ୍ଚାୟତ ସମିତି ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାର ଚୟନ ହେବା ପରେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏହାର ଫାଟକ ଓ ଷ୍ଟାଡିୟମ ଭିତରେ ଏକ ଘର ନିର୍ମାଣ ହେବା ବ୍ୟତୀତ ପଡିଆର ଉନ୍ନତିକରଣ ହୋଇପାରିନଥିଲା । ଫାଟକରେ ଲାଗିଥିବା ଲୁହା ଛଡ ସବୁ କଳଙ୍କି ଲାଗିଗଲାଣି ।

ଘରଟି କେବଳ ଅଧାପନ୍ତରିଆ ହୋଇ ମୂକସାକ୍ଷୀ ଭାବେ ଛିଡା ହୋଇଛି । ବ୍ଲକର ବିଭିନ୍ନ ହାଇସ୍କଲରେ ଅଧ୍ୟୟନ ରତ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ମାତ୍ର ଉପଯୁକ୍ତ ଖେଳପଡିଆ ଅଭାବରୁ ତିହିଡି ସିଆର୍ଏସ୍ ହାଇସ୍କଲର ଖେଳପଡିଆରେ ଛୋଟ ଛୋଟ ପ୍ରତିଯୋଗିତା କରାଯାଉଛି । ବଡ ବଡ ପ୍ରତିଯୋଗିତା ଭଦ୍ରକରେ କରାଇବାକୁ କ୍ରୀଡା ଶିକ୍ଷକ ମାନେ ବାଧ୍ୟ ହେଉଛନ୍ତି । ଏଥିପାଇଁ ପିଲାମାନେ ମାନସିକ ଅଶାନ୍ତି ଭୋଗୁଥିବା ବେଳେ କ୍ରୀଡା ଶିକ୍ଷକ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ମିନି ଷ୍ଟାଡିୟମଟି କୀଡା ଉପଯୋଗୀ ହୋଇ ପାରିଥିଲେ ଏ ପ୍ରକାର ସମସ୍ୟା ଦେଖା ଦିଅନ୍ତା ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ମିନି ଷ୍ଟାଡିୟମ ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ କରାଯିବା ସହ ଏହାକୁ କ୍ରୀଡା ଉପଯୋଗୀ କରିବାକୁ ଦାବି ହୋଇଛି । ଏହା କରାଗଲେ ପିଲାମାନେ ଉପଯୁକ୍ତ ଖେଳପଡିଆ ପାଇବା ସହ କ୍ରୀଡାକ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିପାରିବେ ।

Comments are closed.