Odisha news

ଧୂଳିପଦା-ତଳବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର : ୬ମାସ ନ ପୂରୁଣୁ ଫାଟିଲାଣି କଂକ୍ରିଟ, ଉଠିଲାଣି ପିଚୁ

ତିହିଡି,୨୩/୦୩:ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ଅଧିନ ଧୂଳିପଦା ଠାରୁ ତଳବନ୍ଧ ଭାୟା କରଞ୍ଜେଇ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣର ୬ମାସ ନ ପୂରୁଣୁ ବିଭିନ୍ନ ସ୍ଥାନରେ କଂକ୍ରିଟ ଫାଟି ଯାଇଥିବା ବେଳେ ପିଚୁ ଉଠିଗଲାଣି । ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ରାସ୍ତାର ଏ ପରିସ୍ଥିତିି ଲାଗି ଜଳ ପରିମଳ ବିଭାଗକୁ ଦାୟୀ କରିଛନ୍ତି । ରାସ୍ତା ପାଶ୍ୱର୍ରେ ପାନୀୟ ଜଳ ପ୍ରକଳ୍ପର ପାଇପ ଲାଇନ ଯାଇଥିବାରୁ ରାସ୍ତା ଫାଟିଥିବା ସେ ଦର୍ଶାଉଛନ୍ତି । ଏହାର ତଦନ୍ତ କରାଗଲେ ରାସ୍ତାର ନିର୍ମାଣରେ ହୋଇଥିବା ଅନିୟମିତତାର ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତା ପାଇଁ ଏସ୍ଆର ପାଣ୍ଠିରୁ ୨ କୋଟିରୁ ଅଧିକ ଅନୁଦାନ ମିଳିଥିଲା ।

ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାର ଚୟନ ହୋଇଥିଲା । ୨୦୧୯ରେ ଠିକାଦାର ଜଣଙ୍କ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଫଳକ ଲଗାଇବାର ନିୟମ ଥିଲେ ମଧ୍ୟ ତାହା କରାଯାଇ ନଥିଲା । ଯାହାଫଳରେ ରାସ୍ତା ପାଇଁ କେତେ ଟଙ୍କାର ଅନୁଦାନ ମିଳିଛି, କେତେ କି.ମି କଂକ୍ରିଟ ଓ ପିଚୁ ହେବ, ରାସ୍ତାର ମୋଟେଇ କେତେ ରହିବ ସେନେଇ ଲୋକେ ଅନ୍ଧାରରେ ରହିଥିଲେ । ତେବେ ନିର୍ମାଣ କାର୍ଯ୍ୟ ବେଳେ ରାସ୍ତାରେ ନିମ୍ନମାନର କାର୍ଯ ହେଉଥିବା ଲକ୍ଷ୍ୟ କରି କେତେକ ଗ୍ରାମବାସୀ ଏହାର ବିରୋଧ ମଧ୍ୟ କରିଥିଲେ । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୦ ଅକ୍ଟୋବର ମାସରେ ଶେଷ ହୋଇଥିଲା । ଏବେ ରାସ୍ତାରେ କଲଭର୍ଟ ନିର୍ମାଣ କାର୍ଯ୍ୟଚାଲୁ ରହିଛି । ତେବେ ରାସ୍ତାର ବିଭିନ୍ନ ସ୍ଥାନରେ କଂକ୍ରିଟ ଫାଟିଯିବା ସହ ପୀଚୁ ଉଠି ଯାଇଥିବାରୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ପ୍ରମାଣ ମିଳୁଛି । ରାସ୍ତାର ବାମ ପାଶ୍ୱର୍ରେ ପାନୀୟ ଜଳ ପ୍ରକଳ୍ପ ପାଇପ ଲାଇନ ବିଛା ଯାଇଥିବା ବେଳେ ଡାହାଣ ପାଶ୍ୱର୍ ରାସ୍ତା କେମିତି ଫାଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚ୍ସ୍ରୀୟ ତଦନ୍ତ କରାଯିବାକୁ ଦାବି ହେଉଛି ।

Comments are closed.