ତିହିଡି,୨୩/୦୩:ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତ ଅଧିନ ନନ୍ଦକନ୍ଦର୍ପ(ମାଟିଆସାହି) ଗାଁର ପ୍ରକାଶ ମାଝୀ(୩୩)ଙ୍କ ପରିବାର ଗରିବ ହେଲେ ବି ବେଶ ହସଖୁସିରେ ଚାଲିଥିଲା । ସ୍ତ୍ରୀ ସୁରତି ଓ ୩ଝିଅକୁ ନେଇ ନେଇ ପ୍ରକାଶଙ୍କ ସଂସାର । ଜମିବାଡି ବୋଲି କିଛି ନାହିଁ । ମୂଲମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲା ପ୍ରକାଶ । ପ୍ରକାଶଙ୍କ ମାଆ ବି ତାଙ୍କ ପାଖରେ ରହୁଛି । ସବୁକିଛି ଠିକଠାକ୍ ଚାଲିଥିବା ବେଳେ ହଠାତ କିଛି ମାସ ହେଲା ପ୍ରକାଶଙ୍କ ମାନସିକ ବିକୃତି ଦେଖାଦେଇଛି । ଫଳରେ ପ୍ରକାଶ କାମଧନ୍ଦା ବି ଠିକ ଭାବରେ କରୁନାହିଁ । ତେଣୁ ପରିବାରଟି ଏବେ ଅଭାବ ଅସୁବିଧା ଭିତରେ ଗତି କରୁଛି । କେବଳ ସେତିକି ନୁହେଁ ପ୍ରକାଶଙ୍କ ମାନସିକ ବିକୃତି ଘଟିଥିବାରୁ ସେ ବିଭିନ୍ନ ସମୟରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉନାହିଁ ।
ଗତ କିଛି ମାସ ପୂର୍ବେ ସେ କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ତେବେ ଗାଁ ଲୋକେ ତାକୁ ତୁରନ୍ତ ଚିକିତ୍ସା କରାଇବା ପରେ ସେ ସୁସ୍ଥ ହୋଇଥିଲା । ଗତ ପ୍ରାୟ ମାସେ ପୂର୍ବରୁ ପ୍ରକାଶ ପୁନର୍ବାର ଦେହରେ କିରୋସିନି ଢାଳି ନିଆଁ ଲଗେଇ ଦେଇଥିଲା । ଗାଁ ଲୋକେ ଚାନ୍ଦା କରି ଗୁରୁତର ଅବସ୍ଥାରେ ତାକୁ କଟକ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ସେ ଏବେ ଘରେ ଥିଲେ ବି ପୂରାପୂରି ସୁସ୍ଥ ହୋଇନାହିଁ । ଏପରିସ୍ଥିତିରେ ପରିବାର ଚଳାଇବା ନେଇ ପ୍ରକାଶଙ୍କ ସ୍ତ୍ରୀ ସୁରତି ଚିନ୍ତାରେ ପଡିଛନ୍ତି । ପ୍ରକାଶ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ଏବେ ରୋଜଗାର ବୋଲି କିଛି ନାହିଁ । ୩ଟି ଛୋଟ ଛୋଟ ଝିଅ ଓ ଅନ୍ୟମାନଙ୍କୁ ଚଳାଇବା ସୁରତିଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଗାଁ ଲୋକେ ଯଦିଓ କିଛି କିଛି ସାହାଯ୍ୟ କରୁଛନ୍ତି ହେଲେ ଏସବୁ କରିବା କ’ଣ ସବୁଦିନେ ସମ୍ଭବ । ପ୍ରକାଶଙ୍କ ମାନସିକ ବିକୃତିକୁ ଭଲ କରିବା ଲାଗି ଅର୍ଥର ଆବଶ୍ୟକତା ରହିଛି । ଯାହା ସୁରତିଙ୍କ ପକ୍ଷେ ଯୋଗାଡ କରିବା ସମ୍ଭବ ନୁହେଁ । ଏପରିସ୍ଥିତିରେ ସରକାରୀ କିମ୍ବା ବେସରକାରୀ ସହାୟତାକୁ ଭରସା କରିଛନ୍ତି ସୁରତି । ତାଙ୍କ ସ୍ୱାମୀଙ୍କ ଆରୋଗ୍ୟ ଲାଗି ତାଙ୍କୁ ସହାୟତା ଯୋଗାଇ ଦେବାକୁ ସେ ମୋ.ନଂ-୭୬୦୬୦୯୨୦୦୧ରେ ଯୋଗାଯୋଗ କରିବାକୁ ଆକୁଳ ନିବେଦନ କରିଛନ୍ତି ।
Comments are closed.