Odisha news

ଧାମରା ରେଲପଥ ଲେବଲ କ୍ରସିଂ ବିପଦସଙ୍କୁଳ : ଫାଟକ ନଥିବାରୁ ଯାତାୟାତ ବେଳେ ଲୋକେ ଭୟଭୀତ

ତିହିଡି,୨୦/୦୩: ତିହିଡି ବ୍ଲକର ବିଭିନ୍ନ ଅଞ୍ଚଳର ରାସ୍ତା ଦେଇ ଧାମରା ରେଳପଥ ଅତିକ୍ରମ କରିଛି । ମାତ୍ର ରେଳପଥ ଲେବଲ କ୍ରସିଂରେ ଫାଟକ ନଥିବାରୁ ଲୋକେ ଯାତାୟାତ ବେଳେ ଭୟଭୀତ ହୋଇ ପଡୁଛନ୍ତି । ଏହି ବିପଦ ସଙ୍କୁଳ ଲେବଲ କ୍ରସିଂରେ ଫାଟକ ବ୍ୟବସ୍ଥା କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ଧାମରା ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତିହିଡି-ମାଟିଆସାହି ରାସ୍ତାର ମିର୍ଜାପୁର ଠାରେ ରେଳପଥ ଲେବଲ କ୍ରସିଂ ରହିଛି । ଏହି ରାସ୍ତାଟି ବ୍ୟବସ୍ତବହୁଳ ରାସ୍ତା ଭାବେ ପରିଗଣିତ ହେଉଥିବା ବେଳେ ଆଖପାଖ ୫ଟି ପଞ୍ଚାୟତର ଲୋକେ ଯାତାୟାତ କରିଥାନ୍ତି । ଏହାଛଡା ପ୍ରତିଦିନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ମଧ୍ୟ ଲେବଲ କ୍ରସିଂ ପାର ହୋଇଥାନ୍ତି । ସେହିପରି କମାରିଆରୁ ଶଙ୍କରପୁର ଯାଏଁ ଯାଇଥିବା ରାସ୍ତାର ମଙ୍ଗଳପୁର ନିକଟରେ ଲେବଲକ୍ରସିଂ ରହିଛି । ରାସ୍ତାଟି ପଡୋଶୀ ବାସୁବେଦପୁର ବ୍ଲକକୁ ସଂଯୋଗ କରୁଛି । ରାସ୍ତାରେ ପ୍ରତିଦିନ ସହସ୍ରାଧିକ ଲୋକ ଯାତାୟାତ କରିଥାନ୍ତି । ମାତ୍ର ଏଠାରେ ମଧ୍ୟ ଫାଟକ ନିର୍ମାଣ ହୋଇନଥିବାରୁ ଲୋକେ ଯାତାୟାତ ବେଳେ ବହୁ ସତର୍କତା ଅବଲମ୍ବନ କରୁଛନ୍ତି । ସେହିପରି ପୀରହାଟ-ଚାରବାଟିଆ ରାସ୍ତାରେ ମଧ୍ୟ ରେଲପଥରେ ଲେବଲକ୍ରସିଂ ରହିଛି । ରାସ୍ତାରେ ୩ଟି ପଞ୍ଚାୟତର ଲୋକେ ଯାତାୟାତ କରୁଥିବା ବେଳ ଏହା ମଧ୍ୟ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଛି । ସାହାପୁର ପଞ୍ଚାୟତର ଜାଫରାବାଦ ସ୍ଥିତ ଆନନ୍ଦ ବଜାରରେ ରତ୍ନେଶ୍ୱର ମହାଦେବ ମନ୍ଦିରରେ ବିଭିନ୍ନ ସମୟରେ ବିଭିନ୍ନ ପର୍ବ ବହୁ ଆଡମ୍ବରରେ ପାଳିତ ହୋଇଥାଏ । ସେହିପରି ଚାରବାଟିଆ ଠାରେ ଗାନ୍ଧି ସ୍ମାରକୀ ପୀଠ ଥିବାରୁ ଭଦ୍ରକ ତଥା ଆଖପାଖ ଜିଳ୍ଲାର ଲୋକେ ବିଭିନ୍ନ ସମୟରେ ଏହି ରାସ୍ତାରେ ଯାତାୟାତ କରନ୍ତି । ଏହିସବୁ ସ୍ଥାନ ମାନଙ୍କରେ ଫାଟକ ନିର୍ମାଣ ପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । ବିଶେଷକରି ରାତି ସମୟରେ ଯାତାୟାତ ବେଳେ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଏହି ସମସ୍ୟାକୁ ଧାମରା କର୍ତ୍ତୃପକ୍ଷ ଗମ୍ଭୀରତାର ସହ ନେଇ ଫାଟକ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

Comments are closed.