Odisha news

ସମିତିରେ ପଞ୍ଜିକରଣ ପରେ ବି ମିଳିନି ଟୋକନ : ଧାନବସ୍ତା ରଖି ଚାଷୀ କରିବେ ରାସ୍ତା ଅବରୋଧ

0

ତିହିଡି : ତିହିଡି ବ୍ଲକ ଅଧିନ ସିନେ୍ଦାଳ ଓ ମଙ୍ଗଳପୁର ପଞ୍ଚାୟତର ଚାଷୀମାନେ ମଙ୍ଗଳପୁର ସେବା ସମବାୟ ସମିତିରେ ନାମ ପଞ୍ଜିକରଣ କରିଥିଲେ ବି ସେମାନଙ୍କୁ ଟୋକନ ଆଜିଯାଏଁ ମିଳିପାରିନି । ଯାହାଫଳରେ ସେମାନେ ଧାନ ବିକି ପାରୁନାହାନ୍ତି । ଏଥିନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ବୁଧବାର ଏ ସଂପର୍କରେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେମାନଙ୍କୁ ଟୋକନ ପ୍ରଦାନ କରାଯିବା ସହ ଧାନ ବିକ୍ରୀ କରିବାର ବ୍ୟବସ୍ଥା କରା ନଗଲେ ଆସନ୍ତା ୧୬ ତାରିଖରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଧାନ ବସ୍ତା ରଖି ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ମଙ୍ଗଳପୁର ସମବାୟ ସମିତି ଓ ସିନେ୍ଦାଳ ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘକୁ ଚାଷୀ ମାନଙ୍କ ଧାନ କ୍ରୟ କରିବାର ଦାୟିତ୍ୱ ଦିଆଯାଇଛି । ଚାଷୀ ମାନେ ଆବଶ୍ୟକ କାଗଜପତ୍ର ନେଇ ପଞ୍ଜିକରଣ କରିଥିଲେ ମଧ୍ୟ ସେମାନଙ୍କୁ ଧାନ ବିକ୍ରୀ ଲାଗି ଟୋକନ ମିଳିପାରିନି । ଚାଷୀ ମାନେ ଋଣ ଓ କରଜ କରି ଧାନ ଚାଷ କରିଥିଲେ । ଧାନ ବିକି ଏହି ଋଣ ପରିଶୋଧ କରିବାକୁ ସେମାନେ ଅପେକ୍ଷା କରି ରହିଛନ୍ତି । ମାତ୍ର ଧାନ ବିକି ପାରୁ ନଥିବାରୁ ସେମାନଙ୍କ ୁପରେ ଋଣର ବୋଝ ବଢି ଚାଲିଥିବା କିଶୋର ଚନ୍ଦ୍ର ରାଉତ, ଇନ୍ଦ୍ରମଣି ରାଉତ, ନିରଞ୍ଜନ ପାଣି, ରମାକାନ୍ତ ପାଣି, କପିଳେନ୍ଦ୍ର କରଣ, ମାୟାଧର କରଣ, ଦିବାକର କରଣ ପ୍ରମୁଖ ଚାଷୀମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ ସମିତିର ସଂପାଦକ ଶଙ୍କର୍ଷଣ ଜେନା କହନ୍ତି-ଟୋକନ ଦିଆଯାଇ ନଥିଲେ ବି ସେମାନଙ୍କ ମୋବାଇଲକୁ ମେସେଜ ପଠାଯାଇଛି । ଟାର୍ଗେଟ ଆସିବା ପରେ ସେହି ସବୁ ଚାଷୀଙ୍କ ଧାନ କ୍ରୟର ବ୍ୟବସ୍ଥା କରାଯିବ ।

IEC 2 years
Leave A Reply