ତିହିଡି,୨୮/୦୨: ସରକାରଙ୍କ ପକ୍ଷରୁ ବିଭିନ୍ନ ହାଇସ୍କୁଲରେ ଅଧ୍ୟୟନରତ ପିଲାଙ୍କ ପାଇଁ ବହି ଯୋଗାଇ ଦିଆଯାଉଛି । ମାତ୍ର ଏହି ବହି ସବୁ ସ୍କୁଲ ପାଠାଗାର ଅଲମିରାରେ ପଡିରହିବା ସାର ହେଉଛି । ବହି ସବୁ ପିଲାଙ୍କ ପଠନ ଉପଯୋଗୀ ହୋଇ ପାରୁ ନଥିବାରୁ ଏପରି ପରିସ୍ଥିତି ଦେଖାଯାଉଛି । ପିଲାଙ୍କ ବହି ଓ ମାନସିକତାକୁ ଲକ୍ଷ୍ୟ କରା ନ ଯାଇ ବହି ଯୋଗାଣ ହେଉଥିବାରୁ ବହିସବୁକୁ ପଢିବା ଲାଗି ପିଲାଙ୍କୁ ଦେବାକୁ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଇଛାପ୍ରକାଶ କରୁନାହାନ୍ତି । ଯାହାଫଳରେ ବହିସବୁ ଆଲମିରାର ଶୋଭା ବର୍ଦ୍ଧନ କରି କରି ଧୀରେ ଧୀରେ ନଷ୍ଟ ହୋଇଯାଉଛି । ତିହିଡି ବ୍ଲକ ଅଧିନରେ ଥିବା ପ୍ରତ୍ୟକ ହାଇସ୍କୁଲରେ ଏପରି ଅବସ୍ଥା ଉପୁଜିଥିବା ବେଳେ ଏହାକୁ ତଦାରଖ କରି ପିଲାଙ୍କ ପଠନ ଉପଯୋଗୀ ବହି ଯୋଗାଇବାରେ କେହି ତତ୍ପରତା ପ୍ରକାଶ ନ କରିବା ପରିତାପର ବବିଷୟ ହୋଇଛି । ବ୍ଳକରେ ବିଭିନ୍ନ ପଞ୍ଚାୟତରେ ୩୦ରୁ ଉଦ୍ଧ୍ୱର୍ ହାଇସ୍କୁଲ ରହିଛି । ପ୍ରତିବର୍ଷ ସ୍କୁଲରେ ଥିବା ପାଠାଗାର ଲାଗି ବହି ଯୋଗାଇ ଦିଆଯାଇଥାଏ ।
ଏଥିôପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ସ୍କୁଲ ପିଛା ୧୦ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଥାଏ । ପାଠ୍ୟ ଖସଡା ବ୍ୟତୀତ ପିଲାଙ୍କ ବାହ୍ୟ ଜ୍ଞାନ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇ ଏ ପ୍ରକାର କାର୍ଯ୍ୟପନ୍ଥା ହାତକୁ ନିଆଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର ମାଧ୍ୟମରେ ପ୍ରକାାକ ଚୟନ କରାଯାଉଛି ଏବଂ ସେହି ପ୍ରକାଶକ ମାନଙ୍କୁ ବହି ଯୋଗାଣ ଦାୟିତ୍ୱ ଅର୍ପଣ କରାଯାଉଛି । ପ୍ରକାଶକ ମାନେ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରୁଥିବା ବେଳେ ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଏହା ଯେ, ଏକ ଗୁରୁ ଦାୟିତ୍ୱ ସେକଥା ଭୁଲି ଯାଉଛନ୍ତି । ସେମାନେ ଓ ସେମାନଙ୍କ ନିକଟ ସଂପର୍କୀୟ ପ୍ରକାଶକ ମାନେ ଗଚ୍ଛିତ ଥିବା ନିମ୍ନମାନର ପୁରୁଣା ବହିକୁ ଏହି ସୁଯୋଗରେ ହଟାଇ ଦେଉଛନ୍ତି । ଏହିସବୁ ବହି ତାଲିକାରେ ବିଭିନ୍ନ ପ୍ରକାର ନିମ୍ନମାନର ଉପନ୍ୟାସ ଓ ଅନ୍ୟାନ୍ୟ ପିଲାଙ୍କ ପଠନ ଅନୁପଯୁକ୍ତ ବହି ରହୁଛି । ଯାହା ପିଲାଙ୍କୁ ବଣ୍ଠନ କରିବା ସମ୍ଭବ ହୋଇ ପାରୁନାହିଁ । ସରକାରଙ୍କ ଏହା ଗୋଟିଏ ଭଲ ପଦକ୍ଷେପ ହୋଇଥିଲେ ମଧ୍ୟ ଦୂରଦୁଷ୍ଟି ଓ ତଦାରଖ ଅଭାବରୁ ଏହା ବାଟବଣା ହୋଇଯାଉଛି । ଏଥିପ୍ରତି ଦୃଷ୍ଟି ଦିଆଯିବା ସହ ପ୍ରକାଶକ ମାନେ ଯୋଗାଇ ଦେଉଥିବା ବହିକୁ ଯାଞ୍ଚ କରାଗଲେ ଯୋଜନାର ସଫଳ ରୂପାୟନ ହୋିପାରନ୍ତା ବୋଲି ମତପ୍ରକାଶ ପାଇଛି ।