Odisha news

ଗାଁ ଗାଁ ବୁଲି ତଦନ୍ତ ପରେ ଦାଖଲ ହେବ ରିପୋର୍ଟ ଟୋକନ ଥାଇ ବି ସମବାୟ ସମିତିରେ ଧାନ ବିକି ପାରୁନାହାନ୍ତି ଚାଷୀ

0

ତିହିଡି,୨୬/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରେ ଶତାଧିକ ଚାଷୀ ସମବାୟ ସମିତିରେ ଧାନ ବିକି ନପାରି ନିରାଶ ହୋଇଛନ୍ତି । ସେମାନଙ୍କ ପାଖରେ ଟୋକନ ଥିଲେ ବି ସେମାନେ ଧାନ ବିକିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି । ଟାର୍ଗେଟ ନଥିବାରୁ ଏପରି ସମସ୍ୟା ଉପୁଜିଥିବା ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ଗାଁ ଗାଁ ବୁଲି ପ୍ରକୃତ ଚାଷୀଙ୍କ ପାଖରେ ଧାନ ଅଛି କି ନାହିଁ ଏହାର ତଦନ୍ତ କରି ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ତଦନୁଯାୟୀ ବ୍ଲକରେ ଏକ ଟିମ ଗଠନ କରାଯାଇ ତଦନ୍ତ କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହାଛଡା ଏହି ସମସ୍ୟାକୁ ନେଇ ଶୁକ୍ରବାର ତିହିଡିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏସ୍ଏଆରସିଏସ୍ ନିରଞ୍ଜନ ମାଝୀ, ସିଇଓ ସଞ୍ଜୟ କୁମାର ଦାସ, ଏମ୍ଆଇ ହରପ୍ରିୟା ସାହୁଙ୍କ ସମେତ ବ୍ଲକରେ ଥିବା ୧୬ଟି ସମବାୟ ସମିତିର ସମ୍ପାଦକ, ଧାନ କିଣା ଦାୟିତ୍ୱରେ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ଓ ଡାଟା ଏଣ୍ଟି୍ର ଅପରେଟର ମାନେ ଉପସ୍ଥିତ ଥିଲେ । ଚାଷୀ ମାନେ ଧାନ ବିକି ନ ପାରିବା ନେଇ ସୃଷ୍ଟି ହୋଇଥିବା ସମସ୍ୟା ସଂକ୍ରାନ୍ତରେ ସଂପାଦକ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଏଥିସହ ବିଭିନ୍ନ ଅଞ୍ଚଳରେ ଚାଲିଥିବା ତଦନ୍ତରେ ସେମାନେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ତଦନ୍ତ ଟିମ୍ରେ ଏବିଡିଓ ଗୁଲ୍ ଫିଦେ୍ର୍ଦାଷ, ପ୍ରଗତି ସହାୟକ ମହମ୍ମଦ ତାଜୁଦ୍ଦିନ, ସିଇଓ ଶ୍ରୀ ଦାସ, ଏମଆଇ ଶ୍ରୀମତୀ ସାହୁ ଓ ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ ପ୍ରମୁଖ ସାମିଲ ହୋଇଥିବା ବେଳେ ତଦନ୍ତ କାଳରେ ସେହିସବୁ ଅଞ୍ଚଳର ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଏଥିରେ ସହଯୋଗ କରିବେ ବୋଲି କୁହାଯାଇଛି ।

ତେବେ ଏହି ବୈଠକ ପରେ ସିଇଓ ଶ୍ରୀ ଦାସ ତଦନ୍ତ ଲାଗି ଶ୍ୟାମସୁନ୍ଦରପୁର ଓ ଏମଆଇ ଶ୍ରୀମତୀ ସାହୁ ସୟା ପଞ୍ଚାୟତକୁ ତଦନ୍ତରେ ଯାଇଥିବା ବେଳେ ଅନେକ ଚାଷୀ ଧାନ ବିକି ପାରିନଥିବା ଜାଣିବାକୁ ପାଇଥିଲେ । ସେହିପରି ଭାବେ ବ୍ଲକର ୩୧ଟି ପଞ୍ଚାୟତରେ ବହୁ ଚାଷୀ ଟୋକନ ପାଇ ବି ଧାନ ବିକି ପାରି ନଥିବା ଜଣାଯାଇଛି । ତଦନ୍ତ ରିପୋର୍ଟ ଦାଖଲ ପରେ ବ୍ଲକକୁ ଯଦି ଟାର୍ଗେଟ ନ ମିଳେ ତେବେ ଚାଷୀ ମାନେ ଧାନ ବିକିବାରୁ ବଞ୍ଚିତ ହେବେ ବୋଲି ଜଣାଯାଇଛି । ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଧାନ କ୍ରୟ ଟାର୍ଗେଟ ଦେବାକୁ ଦାବି ହେଉଛି ।

Leave A Reply