Odisha news

ତିହିଡି : ବର୍ଷାଭାବରୁ ଚାଷ ଜମି ଫାଟି ଆଁ କଲେଣି, ଚିନ୍ତାରେ ଚାଷୀ

0

ତିହିଡି(ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଳକରେ ବର୍ଷାଭାବରୁ ଚାଷ ଜମି ସବୁ ଫାଟି ଆଁ କଲେଣି । ଫଳରେ ଚାଷୀଙ୍କ ମଧ୍ୟ ଭାଳେଣି ପଡିଛି । ପ୍ରକାଶ ଯେ, କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ଏବେ ସବୁଠି ପ୍ରାୟ ଲକଡାଉନ ଓ ସଟଡାଉନ ପ୍ରକ୍ରିୟା ବଳବତ୍ତର ରହିଛି । ଏହା ସତ୍ତ୍ୱେ ବି ଚାଷୀମାନେ ଚଳିତ ବର୍ଷ ଖରିଫ ଧାନ ଚାଷ କାର୍ଯ୍ୟ ସଅଳ ଆରମ୍ଭ କରିଥିଲେ । ଯଦିଓ ବୃଷ୍ଟିପାତର ପରିମାଣ ସେତେଟା ଆଶାଜନକ ନଥିଲା ତଥାପି ଅଧିକାଂଶ ଚାଷୀ ରଜ ପୂର୍ବରୁ ଓ ଅବଶିଷ୍ଟ ରଜ ଠିକ୍ ପରେ ପରେ ଧାନ ତଳି ପକାଇ ଦେଇଥିଲେ ଓ ଆଷାଢ ମାସର ୨ୟ ଭାଗରେ ସ୍ୱଳ୍ପ ପାଣି ଥିବା ଜମିରେ କିଛି ଚାଷୀ ଧାନ ରୁଆ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ସେହିପରି ପାଣି ଅଭାବ ଜନିତ କାରଣରୁ ପଛରେ ତଳି ପକାଇଥିବା ଚାଷୀ ମାନେ ବର୍ତ୍ତମାନ ସୁଦ୍ଧା ରୁଆ କାର୍ଯ୍ୟକୁ ଆଗକୁ ନେଇପାରିନାହାନ୍ତି ।

ଆଜିସୁଦ୍ଧା ଏହି ବ୍ଲକରେ ଆଶାନୁରୂପକ ବର୍ଷା ହୋଇ ନଥିବାରୁ ରୁଆ ହୋଇଥିବା ଚାଷ ଜମି ଠାରୁ ପୁଣି ରୁଆ ହୋଇନଥିବା ଜମି ଯାଏଁ ସବୁ ଫାଟି ଆଁ ଗଲାଣି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଛି । ଅନ୍ୟପକ୍ଷେ ବ୍ଲକର ୩୧ ପଞ୍ଚାୟତ ମଧ୍ୟରୁ କେତେକ ପଞ୍ଚାୟତ ବର୍ଷାଭାବ ସମସ୍ୟା ବେଳେ ଦଶମୌଜା କେନାଲ ପାଣି ଉପରେ ନିର୍ଭର କରି ଆସୁଥିବା ବେଳେ ଅଧିକାଂଶ ପଞ୍ଚାୟତରେ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ । ତେବେ ଏଥର ଦଶମୌଜା କେନାଲରେ ପାଣି ଛଡାଯାଇଥିଲେ ମଧ୍ୟ କେନାଲଟି ବିଲାତି ଦଳରେ ପରିପୂର୍ଣ୍ଣ ହୋଇଥିବା କାରଣରୁ ଏଥିରେ ପାଣି ପ୍ରବାହିତ ହେବାରେ ବାଧା ସୃଷ୍ଟି ହୋଇଥିଲା । ଫଳରେ ଚାଷୀଙ୍କ ଜମିରେ ପାଣି ପହଞ୍ଚିବା ସମ୍ଭବ ହୋଇ ପାରିନଥିଲା ।

ତେବେ ବହୁ ବିଳମ୍ବରେ ସାଳନ୍ଦୀ କେନାଲ ଡିଭିଜନ କର୍ତ୍ତୃପକ୍ଷଙ୍କ ଚେତା ପଶିବା ପରେ ଏବେ କୁଆଡେ କେନାଲ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ଜଳସେଚନର କୌଣସି ସୁବିଧା ନଥିବା ପଞ୍ଚାୟତ ଗୁଡିକରେ ଚାଷୀମାନେ ଏବେ ଚାଷ କାର୍ଯ୍ୟକୁ ଆଗେଇ ନେବାରେ ବହୁ ଅସୁବିଧାରେ ପଡିଛନ୍ତି । କରୋନା କାରଣରୁ ଚଳିତ ବର୍ଷ ପ୍ରବାସୀ ଓଡିଆ ମାନେ ଗାଁକୁ ଫେରିଥିବାରୁ କାମ କରିବାକୁ ଶ୍ରମିକଙ୍କ ଯଦିଓ ଅଭାବ ନାହିଁ ହେଲେ ବର୍ଷାର ଅଭାବ ଚାଷୀଙ୍କୁ ଅଡୁଆରେ ପକାଇ ଦେଇଛି । ବର୍ତ୍ତମାନ ଶ୍ରାବଣ ମାସର ଅଧାଅଧି ହେବାକୁ ବସଲାଣି ହେଲେ ବର୍ଷାର ଦେଖାଦର୍ଶନ ନାହିଁ । ନିକଟ ଭବିଷ୍ୟତରେ ଯଦି ବର୍ଷା ନହୁଏ ତେବେ ଚାଷ କାର୍ଯ୍ୟ ପଛେଇଯିବ ଓ ସେହି ଅନୁସାରେ ଅମଳ ବି ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହେବ ।

Leave A Reply