ତିହିଡି,୦୮/୦୨: ତିହିଡି ବ୍ଲକ ଅଧିନ ସାହାପୁର ପଞ୍ଚାୟତର ଗୋପାଳଦୋହରା ଗ୍ରାମର କେତେକ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ହଡପ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନରେ ତଥ୍ୟ ମିଳିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଏହି ଅନିୟମିତତାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଗ୍ରାମର ଝାମ୍ପ ମାଝୀ, ସ୍ୱର୍ଣ୍ଣଲତା ମାଝୀ, ଜାନକୀ ମହାକୁଡ ଓ ଦୁଲେଇ ପରିଡାଙ୍କ ନାମ କେନ୍ଦ୍ର ସରକାରଙ୍କ ଖାଉଟି ସୁରକ୍ଷା ଯୋଜନାରୁ ବାଦ ପଡିଥିଲା । ସେମାନେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଆବେଦନ କରି ଖାଦ୍ୟ ସାମଗ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେହି ଅନୁଯାୟୀ ହିତାଧିକାରୀ ମାନଙ୍କୁ ପିଇଓ ରାସନକାର୍ଡ ପ୍ରଦାନ କରି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା କଥା ।
ମାତ୍ର ପିଇଓ ସେମାନଙ୍କୁ କାର୍ଡ ନ ଦେଇ ଥିବା ବେଳେ ସାମଗ୍ରୀ ଉଠାଣ କରି ନେଇଥିଲେ । ସୂଚନାକର୍ମୀଙ୍କ ଦ୍ୱାରା ଏହି ଦୁର୍ନୀତି ପ୍ରଘଟ ହେବା ପରେ ଗତ ଡିସେମ୍ବର ମାସରେ ଦୁଲେଇ, ସ୍ୱର୍ଣ୍ଣଲତା ଓ ଜାନକୀଙ୍କୁ ୨ ମାସର ଖାଦ୍ୟ ସାମଗ୍ରୀ ସହ ରାସନକାର୍ଡ ଦିଆଯାଇଥିଲା । ମାତ୍ର ଝାମ୍ପ ମାଝୀଙ୍କୁ କାର୍ଡ ବା ସାମଗ୍ରୀ ଯୋଗାଇ ଦିଆଯାଇ ନଥିଲା । ଏ ସଂପର୍କରେ ତିହିଡି ଯୋଗାଣ ଅଦôକାରୀଙ୍କୁ ସୂଚନାକର୍ମୀ ପଚାରିବାରୁ ସେ କହିଥିଲେ ଗତ ବର୍ଷ ଅଗଷ୍ଟ ମାସ ଠାରୁ ଝାମ୍ପଙ୍କର ୨ ମାସର ସାମଗ୍ରୀ ଉଠାଯାଇଥିଲା । ମାତ୍ର ସେ ନ ନେବାରୁ ତାଙ୍କୁ ଆଉ ସାମଗ୍ରୀ ଦିଆଯାଇନାହିଁ କିମ୍ବା ତାଙ୍କ ନାଁରେ ସାମଗ୍ରୀ ଉଠାଯାଇନାହିଁ । ତେବେ ଝାମ୍ପ ମାଝୀଙ୍କୁ କାହିଁକି ସାମଗ୍ରୀ ଦିଆଯାଉନାହିଁ ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହଛଡା ଜାନକୀ ଓ ତାଙ୍କ ସ୍ୱାମୀ ଧନେଶ୍ୱରଙ୍କ ନାଁରେ ୨୪୯୭ ଓ ୨୬୩୨ ନମ୍ବରରେ ୨ଟି କାର୍ଡ ରହିଛି । ଉଭୟ କାର୍ଡରେ ଚାଉଳ ଉଠାଯାଉଥିଲେ ମଧ୍ୟ ଗୋଟିଏ କାର୍ଡରେ ସାମଗ୍ରୀ ପ୍ରଦାନ କରାଯିବା ଅନିୟମିତତାକୁ ସ୍ପଷ୍ଟ କରିଛି । ଏହାର ସତ୍ୟାସତ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ହିତାଧିକାରୀ ଝାମ୍ପଙ୍କ ସାମଗ୍ରୀ ପ୍ରଦାନ କରିବାକୁ ଦାବି ହୋଇଛି ।
Comments are closed.