ତିହିଡି,୨୯/୦୧: ତିହିଡି ତହସିଲ ଅନ୍ତର୍ଗତ ହରିସିଂହପୁର ପଞ୍ଚାୟତ ପୀରହାଟ ପାଢୀ ସାହିରେ ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ଅଗ୍ନିକାଣ୍ଡ ଘଟି ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଖବରପାଇ ଗଦିରୁ ଦମକଳବାହିନୀ ଆସି ଘଟଣାସ୍ଥଳରେ ପହଞ୍ଚିିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇ ପାରି ନଥିଲେ ବିଦୁ୍ୟତ ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡର ଘଟିଥିବା କୁହାଯାଉଛି । ପ୍ରକାଶ ଯେ, ଗୁରୁବାର ରାତିରେ ପାଢୀସାହିର ପ୍ରାକ୍ତନ ସରପଞ୍ଚ ପ୍ରଫୁଲ୍ଲ ପାଢୀ, ପ୍ରଭାତ ପାଢୀ, ବିଷ୍ଣୁୁମୋହନ ପାଢୀ, କୃଷ୍ଣଚନ୍ଦ୍ର ପାଢୀ ଓ ନାରାୟଣ ପାଢୀ ଖାଇପିଇ ଶୋଇଥିବା ବେଳେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୫ ପରିବାରର ଧାନ, ଚାଉଳ, ଲୁଗାପଟା ଓ ଆସବାବ ପତ୍ର ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତିପୋଡି ପାଉଁଶ ହୋଇଯାଇଛି । ପୀରହାଟ ଆରଆଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି । ସେହିପରି ବିଜେପିର ଜିଲ୍ଲା ସ୍ୱଚ୍ଛଭାରତ ସଂଯୋଜକ ଶଶିକାନ୍ତ ବିଶ୍ୱାଳ, ଯୁବନେତା ସଂଗ୍ରାମ ମହାନ୍ତି, ମଣ୍ଡଳ ଉପସଭାପତି ସମ୍ବିତ ସାହୁ, ସାଧାରଣ ସଂପାଦକ କମଳାକାନ୍ତ ନାୟକ, ବାରସର ସରପଞ୍ଚଙ୍କ ପ୍ରତିନିଧି ଦୀନବନ୍ଧୁ ମହାକୁଡ ଓ ହୃଷିକେଶ ବିଶ୍ୱାଳ ପହଞ୍ଚି ବିପନ୍ନ ପରିବାରକୁ ସମବେଦନା ଜଣାଇଥିଲେ । ତୁରନ୍ତ ଅଗ୍ନି ବିପନ୍ନଙ୍କୁ ଜରୁରିକାଳୀନ ସହାୟତା ପ୍ରଦାନ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।