ତିହିଡି,୦୪/୦୧: ଏକ ସଙ୍ଗରେ ଦୁଇ ଦୁଇଟି ବାଦ୍ୟ ଯନ୍ତ୍ର ସେ ବଜାଇ ପାରନ୍ତି । ଏଥିପାଇ ରାଜ୍ୟରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବାମ ହାତରେ ଖଞ୍ଜଣି ଓ ଦକ୍ଷିଣ ହାତରେ ଦାସକାଠିଆ ବଜାଇବାରେ ସେ ନିପୁଣ । ଏହି ବାଦ୍ୟ ଯନ୍ତ୍ର ପରିବେଷଣ କରି ସେ ଦର୍ଶକଭ୍କୁ ବିମୋହିତ କରିପାରନ୍ତି । ସେ ହେଉଛନ୍ତି ତିହିଡି ବ୍ଲକ ଅନ୍ତର୍ଗତ ନୟାନନ୍ଦ ଗାଁର ଉପେନ୍ଦ୍ର ସାହୁ । ବୟସ ୬୦ ଟପି ଯାଇଥିଲେ ମଧ୍ୟ ସେ ତାଙ୍କର କଳା ପ୍ରଦର୍ଶନ କରିବାକୁ ପଛାଇ ଯାଇନାହାନ୍ତି । ଶୁକଦେବ ସାହୁଙ୍କ ପୁତ୍ର ଉପେନ୍ଦ୍ର ମାତ୍ର ୯ ବର୍ଷ ବୟସରୁ ଏହି କଳାର ଶିକ୍ଷା ଗ୍ରହଣ କରିଥିଲେ । ଦାସକାଠିଆ ପ୍ରତି ତାଙ୍କର ଆଗ୍ରହ ଥିବା ଦେଖି ତାଙ୍କ ବାପା ଗ୍ରାମର ଜଣେ କଳାକାର ଲମ୍ବୋଦର ସେଠୀଙ୍କ ପାଖରେ ଶିକ୍ଷା ଦାନ ପାଇଁ ତାଙ୍କର ବ୍ୟବସ୍ଥା କରାଇଥିଲେ ।
ପ୍ରଥମେ ସେ ବାଉଁଶ ଫାଳିଆରେ ଦାସକାଠିଆ ତିଆରି କରି ବଜାଉଥିଲେ । ପରେ ସେ ଏଥିରେ ଦକ୍ଷ ହୋଇଥିଲେ ଓ ତାଙ୍କ କଳାର ବିକାଶ ପାଇଁ ଏକ ସଙ୍ଗେ ଦୁଇଟି ବାଦ୍ୟ ଯନ୍ତ୍ର ପରିବେଷଣ କରିବେ ସେଥିନେଇ ସାଧନା କରିଥିଲେ । ସେ ଏକ ପାଲା ଦଳରେ ଯୋଗ ଦେଇଥିଲେ ମଧ୍ୟ ସ୍ୱତନ୍ତ୍ର ଭାବେ ଏକକ ଅଭିନୟ କରି ଦର୍ଶର୍କ ମାନଙ୍କୁ ମୁଗ୍ଧ କରିପାରୁଥିଲେ । ଚିଲିକାରେ ୨୦୦୨ରେ ଅନୁଷ୍ଠିତ କଳାକାର ସମାମେଶରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରି ରାଜ୍ୟପାଳ ପୁରସ୍କାର ପାଇବାକୁ ସକ୍ଷମ ହୋଇଥିଲେ । ପରେ ଯାଜପୁର ବିରଜାମଣ୍ଡଳ ପକ୍ଷରୁ ତାଙ୍କ ଉକ୍ରଳ ଘଣ୍ଟ ଉପାଧିରେ ଭୁଷିତ କରାଯାଇଥିଲା । ଏବେ ପାଲାର ବିଶେଷ ଚାହିଦା ନଥିଲେ ମଧ୍ୟ ଉପେନ୍ଦଅ୍ରଙ୍କ ପରିଚିତି ଥିବା ଯୋଗୁଁ ତାଙ୍କୁ ବିଭିନ୍ନ ଉତ୍ସବରେ କଳା ପ୍ରଦର୍ଶନ ଲାଗି ନିମନ୍ତ୍ରଣ ଆସିଥାଏ । ତାଙ୍କ ପତ୍ନୀ ଟିକିଲି ମଧ୍ୟ ଜଣେ ହାରମୋନିୟମ ବାଦକ ହୋଇଥିବାରୁ ଉପେନ୍ଦ୍ରଙ୍କୁ ସେ ବିଭିନ୍ନ ସମୟରେ ଉତ୍ସାହିତ କରିଥାନ୍ତି । ନିଷ୍ଠାପାର ସାଧନା ଓ ଅଧ୍ୟବସାୟ ରହିଲେ ଜଣେ କଳାକାର ଜୀବନରେ ସଫଳ ହୋଇପାରିବେ ବୋଲି ଉପେନ୍ଦ୍ର କୁହନ୍ତି ।
