Odisha news

ଶିଳପୁଆରେ ଛେଚି ଦିବ୍ୟାଙ୍ଗଙ୍କୁ ହତ୍ୟା : ମହିଳା ଗିରଫ

0

ତିହିଡି,୦୩/୦୧ (ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅଧିନ ଦୋଳସାହି ଗାଁର ଜଣେ ଦିବ୍ୟାଙ୍ଗଙ୍କୁ ଶିଳପୁଆରେ ଛେଚି ହତ୍ୟା କରାଯାଇଛି । ଶନିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଦିବ୍ୟାଙ୍ଗ ରବିନ୍ଦ୍ର ଖୁଣ୍ଟିଆ(୫୫)ଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି । ତିହିଡି ଥାନାରେ ରବିନ୍ଦ୍ରଙ୍କ ଭଉଣୀ କୁନୁମୁନି ଏ ସଂପର୍କରେ ଅଭିଯୋଗ କରିବା ପରେ ପୋଲିସ ଦଫା ୪୫୭, ୩୦୨, ୫୦୬ ଓ ୩୪(ଆଇପିସି)ରେ ଏକ ମକଦ୍ଦମା ନଂ-୦୫/୨୧ ରୁଜୁ କରି ସେହି ଗାଁର ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ ଗିରଫ କରିଛି ।

କୁନୁମୁନି ଥାନାରେ କରିଥିବା ଅଭିଯୋଗରୁ ଜଣାଯାଇଛି ଯେ, ଶନିବାର ରାତି ପ୍ରାୟ ୮ଟା ସମୟରେ ସେ ବାଡି କବାଟ ଖୋଲି ପାଇଖାନାକୁ ଯାଇଥିଲେ । ଏହି ସମୟରେ ଗାଁର କିଶୋର ମହାପାତ୍ର ଘର ଭିତରକୁ ପଶି ରବିନ୍ଦ୍ରକୁ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ସେ ଭୟଭୀତ ହୋଇ ଦାଣ୍ଡପଟକୁ ଚାଲି ଯାଇଥିଲେ । କିଶୋର ତାଙ୍କୁ ପିଛା କରିବା ସହ ରବିନ୍ଦ୍ରର ମୁଣ୍ଡକୁ ଶିଳପୁଆରେ ଆଘାତ କରିଥିଲେ । ପରେ କିଶୋରଙ୍କ ମାଆ ବିଜୟଲକ୍ଷ୍ମୀ ଓ ଅନ୍ୟ କେତେକ ସେଠାରେ ପହଞ୍ଚି ରବିନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ।

ଯାହାଫଳରେ ଘଟଣାସ୍ଥଳରେ ରବିନ୍ଦ୍ର ଗୁରୁତର ହୋଇ ପଡିଥିଲେ । କୁନୁମୁନି ଏହାର ପ୍ରତିବାଦ କରିବାରୁ ଆକ୍ରମଣକାରୀ ତାଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ରବିନ୍ଦ୍ରଙ୍କୁ ତିହିଡି ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତିହିଡି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂ ଓ ଏସ୍ଆଇ ବନମାଳୀ ବାରିକ ଏହାର ତଦନ୍ତ କରୁଛନ୍ତି । ରବିନ୍ଦ୍ରଙ୍କ ଶବକୁୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବାରୁ ତାକୁ ଧରିବାକୁ ପୋଲିସ ସମର୍ଥ ହୋଇପାରିନାହିଁ ।

Leave A Reply