ତିହିଡି : ତିହିଡି ଥାନା ଜାମଯୋଡି ପଞ୍ଚାୟତ ଅଧିନ ନୀଳକଣ୍ଠପୁର ଗାଁରେ ଜଣେ ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଅଭିଯୋଗ ଆଧାରରେ ଏକ ଯୌତୁକ ଜନିତ ହତ୍ୟା ମାମଲା ନଂ-୨୭୦/୨୦ରୁଜୁ କରି ଅଭିଯୁକ୍ତ ଶାଶୂ ଓ ଯାଆକୁ ଗିରଫ କରିଥିବା ଜଣାଯାଇଛି । ମୃତା ମହିଳା ଜଣଙ୍କ ହେଉଛନ୍ତି କାଦମ୍ବନୀ ସ୍ୱାଇଁ । ପ୍ରକାଶ ଯେ, ଏହି ଗାଁର ଭିକା ରାଉତଙ୍କ ପୁଅ ପଙ୍କଜ ରାଉତଙ୍କ ସହିତ ବୋଡକ ପଞ୍ଚାୟତ ଓରାଳି ଗାଁର ରତ୍ନାକର ସ୍ୱାଇଁଙ୍କ ଝିଅ କାଦମ୍ବନୀ ସ୍ୱାଇଁଙ୍କର ଗତ ୨୦୧୯ ମସିହା ଆଷାଢ ମାସରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ନଗଦ ଏକ ଲକ୍ଷ ଟଙ୍କା ଯୌତୁକ ସମେତ ସମସ୍ତ ଅଳଙ୍କାର ଓ ଆସବାବ ପତ୍ର ପ୍ରଦାନ କରାଯାଇଥିଲା । ପଙ୍କଜ ଦୁବାଇରେ କାମ କରୁଥିବାରୁ ବିବାହର କିଛିଦିନ ପରେ ସେ ନିଜ କର୍ମକ୍ଷେତ୍ରକୁ ପଳେଇ ଯାଇଥିଲେ ।
ତେବେ ଦୁଇ/ତିନି ମାସ ପରେ ଶ୍ୱଶୁର ଘରଲୋକେ କାଦମ୍ବନୀଙ୍କୁ ଅଦôକ ଯୌତୁକ ଦାବିରେ ନାନା ପ୍ରକାର ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ । ବିଶେଷକରି ତାଙ୍କ ଯାଆ ନୁଖୁରୀ ରାଉତ ଓ ଦେଢଶୁର ମନୁଆ ରାଉତ ବିଭିନ୍ନ ସମୟରେ ମାରଧର କରିବା ସହିତ ଅଧିକ ଯୌତୁକ ଆଣିବାକୁ ତାଗିଦ୍ କରୁଥିବା ବାପଘର ଲୋକେ ଜାଣିବାକୁ ପାଇଥିଲେ । ଅଭାବ ଅସୁବିଧା କାରଣରୁ କାଦମ୍ବିନୀର ବାପା ଟଙ୍କା ଦେବାକୁ ଅସମର୍ଥ ହେବାରୁ ଅଭିଯୁକ୍ତମାନେ କାଦମ୍ବିନୀଙ୍କୁ ହତ୍ୟା କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ସେହିପରି କାଦମ୍ବିନୀର ମୃତୁ୍ୟ ହୋଇଥିଲେ ମଧ୍ୟ ତାଙ୍କ ବାପ ଘରକୁ କୌଣସି ଖବର ଦିଆଯାଇ ନଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ସେମାନେ ନୀଳକଣ୍ଠପୁରରେ ଆସି କାଦମ୍ବନୀର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ଅଭିଯୋଗକୁ ଭିତ୍ତିକରି ଗୁରୁବାର ପୂର୍ବାହ୍ନରେ ମାଜିଷ୍ଟ୍ରେଟ୍ ଲଗ୍ନଜିତ ବେହେରାଙ୍କ ଉପସ୍ଥିତିରେ ତିହିଡି ଆଇଆଇସି ରମେଶ ଚନ୍ଦ୍ର ସିଂଙ୍କ ସମେତ ଫୋରେନ୍ସିକ୍ ଟିମ୍ ଏହାର ତଦନ୍ତ କରିଥିବା ଜଣାଯାଇଛି । ଏହି ଘଟଣା ପରେ କାଦମ୍ବନୀର ଦେଢଶୁର ଫେରାର୍ ହୋଇ ଯାଇଛନ୍ତି ।
