ତିହିଡି,୨୦/୧୨: ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ସିନେ୍ଦାଳ ପଞ୍ଚାୟତର ନୂଆସାହି ଠାରେ ନିର୍ମାଣାଧୀନ ପାଣିଟାଙ୍କି ନିକଟରୁ ସିମେଣ୍ଟ ଓ ଲୁହା ଛଡ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଏକ ମକଦ୍ଦମା ନଂ-୫୨୦/୨୦ ରୁଜୁ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଭାଗ୍ୟଧର ବାରିକ, ଲେବର ସୁପରଭାଇଜର ସୂର୍ଯ୍ୟ ନାରାୟଣ ଲେଙ୍କା, ଟ୍ରାକ୍ଟର ଚାଳକ ଫତେପୁର ଗ୍ରାମର ନିର୍ଲିପ୍ତ ଭୋଇ, ଶ୍ରମିକ ଗୋଳାପୋଖରୀ ଗ୍ରାମର ସଞ୍ଜିବ ମହାପାତ୍ର, ଶ୍ରମିକ ନାୟକାଣୀଡିହ ଅଞ୍ଚଳର ଦିବାକର ମଳିକ । ଗତ ୧୮ ତାରିଖ ବିଳମ୍ବିତ ରାତିରେ ନିର୍ମାଣାଧୀନ ପାଣିଟାଙ୍କି ନିକଟରୁ ୬୦ ବସ୍ତ ସିମେଣ୍ଟ ଓ ୭ କୁଇଣ୍ଟାଲ ଲୁହା ଛଡ ଚୋରି ହୋଇଥିଲା । ଅଭିଯୁକ୍ତ ମାନେ ଏସବୁ ଏକ ଟ୍ରାକ୍ଟରରେ ବୋଝେଇ କରି ନେଇ ଯାଇଥିଲେ । ପରେ ସୁପରଭାଇଜର ଦୈତାରୀ ଅଗସ୍ତି ଏ ସଂପର୍କରେ ତିହିଡି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ଚୋରିରେ ବ୍ୟବହୃତ ଟ୍ରାକ୍ଟରକୁ ଜବତ କରିଛି ।