Odisha news

ଭିତ୍ତିଭୂମି ସୁଦୃଢ ଥାଇ ବି ତିହିଡି ଅବହେଳିତ, ନିର୍ବାଚନମଣ୍ଡଳୀ ପାଇଁ ଦାବି ଉଠିଲା

0

ତିହିଡି,୧୬/୧୨: ଭଦ୍ରକ ଜିଲ୍ଲା ଅଧିନ ତିହିଡି ବ୍ଳକର ଭିତ୍ତିଭୂମି ସୁଦୃଢ ଥାଇ ମଧ୍ୟ ତିହିଡି ଅବହେଳିତ ହୋଇ ରହିଛି । ଏହି ବ୍ଲକଟି ୩ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ହୋଇଥିବାରୁ ତିହିଡିର ବିକାଶ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ଏହି ପରିପ୍ରେକ୍ଷୀରେ ତିହିଡିକୁ ନିର୍ବାଚନମଣ୍ଡଳୀର ମାନ୍ୟତା ଦେବାକୁ ଜୀବନଜ୍ୟୋତି ସଙ୍ଗଠନ ପକ୍ଷରୁ ଦାବି ହୋଇଛି । ଏହି ଉପଲକ୍ଷେ ସଙ୍ଗଠନ ପକ୍ଷରୁ ତିହିଡି କାଳୀପଡିଆ ଠାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଂନର କର୍ମକର୍ତ୍ତମାନେ ବିଭିନ୍ନ ସମସ୍ରା ଉପସ୍ଥାପନ କରିବା ସହ ନିର୍ବାଚନମଣ୍ଡଳୀ ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଆଶା ପୋଷଣ କରିଥିଲେ । କାନ୍ତକବୀ ମାଟି ଭାବେ ସୁପରିଚିତ ତିହିଡିରେ ବିଭିନ୍ନ ଶକ୍ତିପୀଠ ଓ ଧାର୍ମିକ ପୀଠସ୍ଥଳୀ ରହିଛି । ଏହା ଛହା ତିହିଡିର ବହୁ ଯଶସ୍ୱୀ ବ୍ୟକ୍ତି ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପ୍ରତିଭା ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି । ଏପରିକି ବହୁ ରାଜନୈତିକ ବ୍ୟକ୍ତି ମଧ୍ୟ ଅତୀତରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଞ୍ଚଳର ଗୁରୁତ୍ୱ ବହନ କରିଛନ୍ତି । ଏପରିସ୍ଥଳେ ତିହିଡି ଆଜି ଅବହେଳିତ ଅବସ୍ଥାରେ ପହଞ୍ଚିଛି । ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ତିହିଡି ସମେତ ପଡୋଶୀ ବ୍ଳକର ରୋଗୀମାନେ ଏହା ଉପରେ ନିର୍ଭର କରୁଥିଲେ ମଧ୍ୟ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନ ମିଳିବା ପରିତାପର ବିଷୟ ହୋଇଛି ।

ତିହିଡିରେ ଗାଡି ପାର୍କିଂର ବ୍ୟବସ୍ଥା ନଥିବାରୁ ଟ୍ରାଫିକ ସମସ୍ୟା ଉପୁଜି ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି । ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଡ୍ରେନର ନିର୍ମାଣଗତ ତ୍ରୁଟିଯୋଗୁଁ ଆବର୍ଜନା ଓ ପଚା ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ବଜାରରେ ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା ଓ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ତିହିଡ ଏନଏସିରେ ପରିଣତ ହେବା ସମ୍ଭବ ହୋିପାରୁନି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଥିଲା ।

ତେବେ ସଙ୍ଗଠନ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଖୁବ୍ କମ୍ ଖର୍ଚ୍ଚରେ ଏକ ଆମ୍ବୁଲାନ୍ସ ସେବା ଆଜିଠୁଁ ପ୍ରଚଳନ କରାଯିବ ବୋଲି ଘୋଷଣା କରାଯାଇଥିଲା । ସଙ୍ଗଠନର ସଭାପତି ସନାତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ କ୍ଷମାମୟ ପାଣ୍ଡବ ପରିଚାଳନା କରିଥିଲେ । ସମ୍ପାଦକ ଧିରେନ୍ଦ୍ର ସାହୁ, ଗୋପବନ୍ଧୁ ମହଲା, ଜ୍ୟୋର୍ତିମୟ ପାଣ୍ଡବ, ବିପ୍ଳବ ରଂଜନ ପତି, ଦୀପକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସଙ୍ଗଠନର କର୍ମକର୍ତ୍ତା ସହଯୋଗ କରିଥିଲେ । ପ୍ରାକ୍ତନ ସରପଞ୍ଚ ଅଜୟ ରାଉତ ଧନ୍ୟବାଦ ଦେଇଥିଲେ ।

Leave A Reply