ତିହିଡ଼ି, ୦୨ା୧୧. ସଂପ୍ରତି କୋରୋନା ଯୋଗୁଁ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଚଳପ୍ରଚଳ କରୁଥିବା ମ୍ୟାଜିକ, ମ୍ୟାକ୍ସିମା, ଟ୍ରେକର ଓ ସବାରୀ ଆଦି ଛୋଟ ଛୋଟ ଗାଡି ଗୁଡିକ ମନଇଚ୍ଛା ଭଡା ଆଦାୟ କରି ଯାତ୍ରୀଙ୍କୁ ଲୋଷଣ କରୁଥିବା ଅଭିଯୋଗ ହୋଇଛି । କୋରୋନା ଲାଗି ସରକାର ଜାରି କରିଥିବା ନିୟମକୁ ବେଖାତିର କରି ଏହି ଗାଡି ଗୁଡିକ ମନଇଚ୍ଛା ଯାତ୍ରୀ ପରିବହନ କରୁଥିବା ବେଳେ ଲୋକଙ୍କ ଠାରୁ ବି ମନଇଚ୍ଛା ଭଡା ଆଦାୟ କରୁଛନ୍ତି ।
ଏହି ଗାଡି ଗୁଡିକରେ ଡ୍ରାଇଭରକୁ ମିଶାଇ ମୋଟ ୮ ଜଣ ଯାତ୍ରୀଙ୍କୁ ନେଇ ଚଳପ୍ରଚଳ କରିବାର ସରକାରୀ ନିୟମ ଥିବା ବେଳେ ଏମାନେ କିନ୍ତୁ ମନଇଚ୍ଛା ଯାତ୍ରୀ ପରିବହନ କରୁଛନ୍ତି । ଆଞ୍ଚଳିକ ପରିବହନ ବିଭାଗ କିମ୍ବା ସ୍ଥାନୀୟ ପୋଲିସ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏମାନଙ୍କ ଦୌରାତ୍ମ୍ୟ କ୍ରମଶଃ ବଢିବାରେ ଲାଗିଛି । ସେହିପରି ଏହି ଗାଡି ଚଳାଉଥିବା ଅଧିକାଂଶ ଡ୍ରାଇଭରଙ୍କ ଲାଇସେନ୍ସ ନଥିବା ବେଳେ ଗାଡିର କୌଣସି କାଗଜପତ୍ର ମଧ୍ୟ ନାହିଁ । ଫଳରେ ଏମାନେ ଯଦି ଦୁର୍ଘଟଣା ଘଟାନ୍ତି ତେବେ ସେଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।
