Odisha news

କରୋନା କଟକଣା: ଛାତ୍ରଛାତ୍ରୀଙ୍କ ପାଠ ପଢା ନେଇ ଆଶଙ୍କାରେ ଅଭିଭାବକ

0

ତିହିଡି ( jadumani panihagri) : ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଉଥିବା ନେଇ ସରକାର ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ସମେତ ଟିଉସନ ଓ କୋଚିଂ ସେଣ୍ଟର ଆଦି ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଗତ ପ୍ରାୟ ୪ ମାସ ହେଲା ଏହି ପ୍ରକ୍ରିୟା ବଳବତ୍ତର ରହିଥିବା ଯୋଗୁଁ ବିଶେଷ କରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଠ ପଢା ନେଇ ଅଭିଭାବକ ମାନେ ଆଶଙ୍କା ଭିତରେ ରହିଛନ୍ତି । ସହଜେ ବିଭିନ୍ନ ଦୃଷ୍ଟିକୋଣରୁ ଗ୍ରାମାଞ୍ଚର ଛାତ୍ରଛାତ୍ରୀ ମାନେ ସହରାଞ୍ଚଳର ଛାତ୍ରଛାତ୍ରୀଙ୍କ ଠାରୁ ଅପେକ୍ଷାକୃତ ଦୁର୍ବଳ ହୋଇଥିବା ବେଳେ ଏବେ କରୋନା କଟକଣା ସେମାନଙ୍କୁୁ ଆହୁରି ହତୋତ୍ସାହିତ କରିଛି ।

ସରକାର ଯଦିଓ ଅନଲାଇନ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଛନ୍ତି ତେବେ ଏସବୁ ସୁଯୋଗ ଗ୍ରାମାଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀଙ୍କ ଲାଗି ସହଜ ହୋଇ ନଥିବା କାରଣରୁ ସେମାନେ ଏଥିରୁ ଏକରକମ ବଞ୍ଚିତ ହୋଇଛନ୍ତି । ସବୁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କର ଏନ୍ଡ୍ରୟଡ ମୋବାଇଲ ନଥିବା ବେଳେ ଗ୍ରାମାଞ୍ଚଳରେ ନେଟ୍ ସୁବିଧା ବି ସହଜେ ଉପଲବ୍ଧ ନୁହେଁ । ତେଣୁ ଏପରିସ୍ଥିତିରେ ପିଲାଙ୍କ ପାଠ ପଢା ହେବ କେମିତି? ରାଜ୍ୟ ସରକାର ବିବାହ ଓ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ଅତିବେଶୀରେ ୫୦ ଜଣ ଲୋକଙ୍କ ଉପସ୍ଥିତିରେ ସଂପନ୍ନ କରାଇବାକୁ ଅନୁମତି ଦେଇଥିବା ବେଳେ ଟିଉସନ ଓ କୋଚିଂସେଣ୍ଟର ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେବା କେତେଦୂର ଯୁକ୍ତିସଙ୍ଗତ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ସେମାନଙ୍କ ପାଠ ପଢା ଅଧିକ ଗୁରୁତ୍ୱପୂର୍ଣ୍ଣ ନା ବିବାହ, ବ୍ରତ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଦର୍ଶାଇଛନ୍ତି । କରୋନା ନିୟମ ମୁତାବକ ସାମାଜିକ ଦୂରତା ରକ୍ଷା କରି ଯଦି ବିବାହ ଓ ବ୍ରତ ଆଦି ହୋଇପାରୁଛି ତେବେ କଟକଣା ପାଳନ କରି ପାଠ ପଢା ଯିବାରେ କ୍ଷତି କ’ଣ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତଥା କରୋନା ନିୟମ ପାଳନ କରି ପାଠ ପଢା କାର୍ଯ୍ୟ ସଂପନ୍ନ କରାଯାଉଥିବା ଟିଉସନ ଓ କୋଚିଂ ସେଣ୍ଟରକୁ ଅନୁମତି ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

Nalco
Leave A Reply