ରାଜଧାନୀ ଭୁବନେଶ୍ୱରରେ ·ଲିଛି ବାଘ ଛାଲ ବେପାର । କଲରାପତରିଆ ବାଘ ଛାଲ ସହ ଅଭିଯୁକ୍ତ ଧରାପଡ଼ିଛି । ଧରାପଡ଼ିଥିବା ଅଭିଯୁକ୍ତ କେବଳ ଜଣେ ମୋହରା ହୋଇଥିବା ବେଳେ ଏହା ପଛରେ ଏକ ର୍ୟାକେଟ କାମ କରୁଥିବା ଅନୁମାନ କରିଛି ତଦନ୍ତକାରୀ ଟିମ୍ । ସୂଚନା ଅନୁସାରେ, ବରମୁଣ୍ଡା କାଳୀମନ୍ଦିର ନିକଟରେ ଜଣେ ଯୁବକ ବାଘ ଛାଲ ବିକ୍ରି କରିବାକୁ ଗ୍ରାହକ ଅପେକ୍ଷାରେ ଥିବା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ବିଶେଷ ସୂତ୍ରରୁ ଖବର ପାଇଥିଲା ।
ଏସ୍ଟିଏଫ୍ର ଏକ ଟିମ୍ ସେଠାରେ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ଗାଡି ଡିଗିରୁ ଏକ ବାଘ ଛାଲ ଜବତ କରିଥିଲା । ଗିରଫ ଅଭିଯୁକ୍ତ ହେଲୋ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧିନ ରାଡଙ୍ଗ ଗାଁର ପ୍ରଶାନ୍ତ ନାଏକ । ପ୍ରାଶାନ୍ତ ଖଣ୍ଡଗିରି ଥାନା ଅଧିନ ଏକ ଶିକ୍ଷାନୁଷ୍ଠାନରେ ଡ୍ରାଇଭର ଚାକିରି କରିଥିବା ତଦନ୍ତକାରୀ ଟିମ୍ ସୂଚନା ଦେଇଛି ।
ଗିରଫ ପ୍ରଶାନ୍ତ ବାଘ ଛାଲ ବାବୁଙ୍କ ପାଇଁ ଆଣିଥିବା ଜେରାରେ ଏସ୍ଟିଏଫ୍ ଆଗରେ ସ୍ୱୀକାର କରିଛି । ତେବେ ଏହି ବାବୁଜଣକ କିଏ, ତାଙ୍କୁ ଧରିବାକୁ ଏସ୍ଟିଏଫ୍ ଖୋଳତାଡ଼ ଆରମ୍ଭ କରିଛି । ଏହି ର୍ୟାକେଟରେ କେବଳ ପ୍ରଶାନ୍ତ ନୁହନ୍ତି ବରଂ ଏଥିରେ ଉପରୋକ୍ତ ଶିକ୍ଷାନୁଷ୍ଠାନର ଅନ୍ୟ ଜଣେ ଡ୍ରାଇଭରଙ୍କ ସମ୍ପୃକ୍ତି ରହିଛି । ପ୍ରଶାନ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହୋଇଥିବା ବେଳେ ତାଙ୍କ ସାଥୀ ଡ୍ରାଇଭରଙ୍କ ଘର ଫୁଲବାଣୀ ଅଞ୍ଚଳରେ ବୋଲି କହିଛି ଅଭିଯୁକ୍ତ ।
ସେ କେବଳ ମଧ୍ୟସ୍ତି ଭାବେ କାମ କରୁଥିଲେ ବୋଲି ଅଭିଯୁକ୍ତ ସଫେଇ ଦେଇଛି । କୌଣସି ଜଣେ ଅଧିକାରୀଙ୍କ ନିକଟରେ ଏହା ପହଞ୍ଚାଇବାକୁ ତାଙ୍କୁ କୁହାଯାଇଥିବା ପ୍ରଶାନ୍ତ କହିଛନ୍ତି । ତେବେ ଏହି ଅଧିକାରୀ ଜଣକ କିଏ ? ତାକୁ ନେଇ ଏବେ ଖୋଲତାଡ଼ କରାଯାଉଛି । ସେହିପରି ଅନ୍ୟ ଜଣେ ଡ୍ରାଇଭର୍ କିଏ ତାକୁ ନେଇ ବି ଖୋଳତାଡ଼ ହେଉଛି ।
