ତିନି ଦିନ ପରେ ବି ପରିବାର ପାଖରେ ପହଞ୍ଚିଲା ନାହିଁ ପ୍ରଶାସନ : ଗ୍ରାମକୁ ଅନ୍ୟ କାମରେ ଯାଇ ଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବାନ୍ଧିଲେ ଗ୍ରାମବାସୀ ଓ ମହିଳା
ବେତନଟୀ, ୧୭/୫ : ଦୁଇ ଦିନ ପୂର୍ବରୁ ବେତନଟୀ ବ୍ଲକର ଅଁଳା ପଞ୍ଚାୟର ଡମ୍ବରୁଡହର ସଙ୍ଗରୋଧ କେନ୍ଦ୍ରରେ ଗତ ୧୦ ତାରିଖରୁ ସଂଗରୋଧରେ ଥିବା ରାଇକମାର ସ୍ୱର୍ଗତଃ ଜଗନ୍ନାଥ ବେହେରାଙ୍କ ମଝିଆ ପୁଅ ସୁରେନ୍ଦ୍ର ବେହେରା ବାହାରି ପାଖରେ ଥିବା ଏକ ମହୁଲ ଗଛରେ ନିଜ ଲୁଙ୍ଗିରେ ଫାଶି ଲଗାଇ ଆତ୍ମହତ୍ୟା କରି ଥିଲେ । ସଙ୍ଗରୋଧ କେନ୍ଦ୍ର ଗୁଡିକ ସରପଞ୍ଚ ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରହୁ ଥିବା ବେଳେ ଏହାର ତଦାରଖ ପାଇଁ ବ୍ଲକ ବିଡିଓ, ଇଭେଣ୍ଟ କମାଣ୍ଡର ଭାବେ ତହସିଲଦାରଙ୍କୁ ଦାୟୀତ୍ୱ ଦିଆ ଯାଇଛି । ସରକାରୀ ସଙ୍ଗରୋଧ କେନ୍ଦ୍ରରେ ସରକାରୀ ହେପାଜାତରେ ଥିବା ବେଳେ ଜଣେ ଯୁବକ ବାହାରି ଯାଇ ଆତ୍ମହତ୍ୟା କରିବା ପରେ କେବଳ ପୋଲିସ ମୃତ୍ୟୁ ଜନିତ ସମସ୍ତ କାଗଜପତ୍ର ଓ କାର୍ଯ୍ୟକ୍ରମ କରିଛି ।
ସରପଞ୍ଚ ପାଖରୁ ନେଇ ତହସିଲଦାର ପର୍ଯ୍ୟନ୍ତ କେହି ହେଲେ ସଂପୃକ୍ତ ପରିବାରକୁ ଅଫିସିଆଲ ଭାବେ ଯାଇ ଏହି ମୃତ୍ୟୁ ବାବଦରେ ସନେ୍ଦଶ ଦେଇ ନାହାଁନ୍ତି । ପ୍ରଶାସନର ଏପରି ଅମାନବିକତାକୁ ପ୍ରଶ୍ନ ଉଠାଇଛନ୍ତି ରାଇକମା ଗ୍ରାମବାସୀ । ଆଜି ସରପଞ୍ଚ କୃଷ୍ଣଚନ୍ଦ୍ର ହେମ୍ବ୍ରମ ଓ ସମିତି ସଭ୍ୟ ବସନ୍ତ ସାମଲ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସଙ୍ଗରୋଧ ପାଇଁ ଆଣିବାକୁ ଯାଇ ଥିବା ବେଳେ ଗ୍ରାମବାସୀ ମାନଙ୍କର ପୁଞ୍ଜିଭୂତ କ୍ରୋଧ ବାହାରକୁ ଆସି ଥିଲା ଓ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇ ଥିଲା । ଆମ ପାଖରୁ ଭୋଟ ନେଇ ସରପଞ୍ଚ ଓ ସମିତି ସଭ୍ୟର ଗାଦିରେ ଆପଣ ମାନେ ବସିଛନ୍ତି, କିନ୍ତୁ ଆମ୍ଭ ମାନଙ୍କର ଜଣେ ରୋଜଗାରିଆ ପୁଅ ମରି ଯିବା ପରେ ଆପଣ ମାନଙ୍କର ତାଙ୍କ ପରିବାରକୁ ଖବର ଦେବା କଣ ଦାୟୀତ୍ୱ ନୁହେଁ ବୋଲି ସ୍ଥାନୀୟ ମହିଳା ମାନେ ପ୍ରଶ୍ନ କରି ଥିଲେ । ମହିଳା ଓ ଗ୍ରାମବାସୀ ମାନେ ମିଳିତ ଭାବେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଟକ ରଖି ଥିଲେ ଓ ଏହାକୁ ନେଇ ଠେଲାପେଲା ମଧ୍ୟ ହୋଇ ଥିଲା ।
ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମହିଳା ମାନେ ବାନ୍ଧି ପକାଇ ଥିଲେ । ତୁରନ୍ତ ତହସିଲଦାର ଓ ବିଡିଓ ଘଟଣାସ୍ଥଳକୁ ଆସନ୍ତୁ ବୋଲି ଗ୍ରାମବାସୀ ମାନେ ଦାବି କରି ଥିଲେ । ଏହା ଛଡା ସରକାରୀ ହେପାଜାତର ଥିବା ସୁରେନ୍ଦ୍ର ବାହାରକୁ ଯାଇ ଆତ୍ମହତ୍ୟା କରିଛନ୍ତି, ଏଥି ପାଇଁ ଦାୟୀତ୍ୱରେ ଥିବା କେଉଁ କର୍ମଚାରୀ ଦାୟୀ ତାଙ୍କ ôଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯିବା ଦରକାର ବୋଲି ଗ୍ରାମବାସୀ ମାନେ ଦାବି କରି ଥିଲେ । ଯେହେତୁ କରୋନା ସଙ୍ଗରୋଧରେ ଥାଇ ମାନସିକ ଚାପଗ୍ରସ୍ତ ହୋଇ ସୁରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି, ତେଣୁ ସରକାରୀ ଭାବେ ତାଙ୍କର ପରିବାର ପାଇଁ କ୍ଷତିପୂରଣ ଘୋଷଣା କରା ଯିବାକୁ ଦାବି କରା ଯାଇ ଥିଲା । ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ସୁଶାନ୍ତ କୁମାର ମହାକୁଡ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ହେଲେ ଗ୍ରାମବାସୀ ମାନେ ତହସିଲଦାର ଓ ବିଡିଓ ନଆସିଲେ କୌଣସି ସମାଧାନ ହେବ ନାହିଁ ବୋଲି ମତ ରଖି ଥିଲେ । ଶେଷରେ ଖବର ପାଇ ବଡସାହି ବିଧାୟକ ସନାତନ ବିଜୁଳି, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଗ୍ରାମରେ ପହଞ୍ଚି ଥିଲେ ।
ପ୍ରଶାସନିକ ଅଧିକାରୀ ମାନଙ୍କର ପରିବାରର ଜଣେ ସଦସ୍ୟଙ୍କୁ ହରାଇ ଥିବା ପରିବାର ପାଇଁ ଏପରି ମନୋଭାବ ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ କରି ଥିଲେ । ଘଟଣା ଦିନ ବିଧାୟକ ନିଜେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହିତ ଆଲୋଚନା କରି ଥିଲେ ଓ ଏବାବଦରେ ତଦନ୍ତ ହୋଇ ବିହୀତ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଜିଲ୍ଲାପାଳ ବିଧାୟକଙ୍କୁ ପ୍ରତିଶୃତି ଦେଇ ଥିବାର ବିଧାୟକ ପ୍ରକାଶ କରିଛନ୍ତି । ତେବେ ବିଧାୟକ ପ୍ରଭାବିତ ପରିବାର ଓ ଗ୍ରାମବାସୀଙ୍କ ସହିତ ଅଛନ୍ତି ବୋଲି କହିବା ସହିତ ପରିବାରକୁ ସାମାନ୍ୟ ସହାୟତା ପ୍ରଦାନ କରି ଥିଲେ । ଆଗକୁ ପ୍ରଶାସନ ତରଫରୁ ଯାହା ସହାୟତା ଦେବା କଥା ସେ ବାବଦରେ ବିଧାୟକ ନିଜେ ବ୍ୟକ୍ତିଗତ ଭାବେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇ ଥିଲେ । ଏହା ପରେ ମହିଳା ଓ ଗ୍ରାମବାସୀ ମାନେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଛାଡି ଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି କରୋନା ମହାମାରୀ ପାଇଁ ଘୋଷଣା ହୋଇ ଥିବା ଜରୁରୀ କାଳୀନ ପରିସ୍ଥିତିରେ ଇଭେଣ୍ଟ କମାଣ୍ଡର ଓ ଅନ୍ୟ କେତେକ ପବଦୀ ସୃଷ୍ଟି କରା ଯାଇ ଅଧିକାରୀ ମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆ ଯାଇଛି । କିନ୍ତୁ ଜନସାଧାରଣଙ୍କ ଖରାପ ସମୟରେ ଯଦି ଏମାନେ ଛିଡା ହୋଇ ପାରିବେ ନାହିଁ ତେବେ ଏହି ପଦ ପଦବୀ କେଉଁ କାମକୁ ବୋଲି ଉପସ୍ଥିତ ଜନ ସାଧାରଣ ମତ ଦେଉଛନ୍ତି ।