Odisha news

ଚଳିତ ବର୍ଷ ୨୦୨୦ ର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ରଥ ନିର୍ମାଣ ସମ୍ପର୍କରେ ବୈଠକ

0

ତାଳଚେର – ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ୨୦୨୦ ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ପ୍ରାପ୍ତ ହେଲା ପରେ ତାଳଚେରର ରଥଯାତ୍ରା ସମ୍ପନ୍ନ ନିମନ୍ତେ ରଥ ନିର୍ମାଣ ପାଇଁ ଆଜି ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୌରପରିଷଦ ଅଧିକାରୀଣୀ ଅତଶୀ ପରିଡା, ଦେବୋତର ମ୍ୟାନେଜର ଓ ମୁଖ୍ୟ ମହାରଣା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିସ୍ତୃତ ଆଲୋଚନା ପରେ ସରକାର ଯଦି ଅନୁମତି ଦିଅନ୍ତି ତେବେ ନିୟମ ମାନି ରଥ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ପ୍ରାରମ୍ଭରେ ରଥଯାତ୍ରା କମିଟିର ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଉପସ୍ଥିତ ସଦସ୍ୟମାନଙ୍କ ସ୍ୱାଗତ କରିବା ସହିତ ପରବର୍ତୀ ସମୟରେ ସରକାର ଯଦି ଅନୁମତି ପ୍ରଦାନ କରନ୍ତି ତାହାହେଲେ ତାଳଚେରରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଚଳିତ ବର୍ଷ ୨୦୧୯ ର ରଥ ଯାତ୍ରା ଆୟ ଓ ବ୍ୟୟର ହିସାବ ପୌରପାଳିକା ଅଧିକାରୀଣୀ ପ୍ରଦାନ କରିଥିଲେ । ପୂର୍ବବର୍ଷ ୪,୬୯,୦୨୯/- ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ୩,୧୮,୦୦୦/- ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ୧,୫୧,୦୨୯/- ଟଙ୍କା ଜମାଖାତାରେ ଗଚ୍ଛିତ ଅଛି ବୋଲି ସେ ସୂଚନା ଦେଇଥିଲେ । ଏହାପରେ ସଭାପତି ବିଧାୟକ ଶ୍ରୀ ପ୍ରଧାନଙ୍କୁ ରଥଯାତ୍ରା ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ବଡଯୋରଡା, କଂସମୁଣ୍ଡା ଏବଂ ଜରଡା ଗ୍ରାମରେ ୩ ଟି ରଥ ଅଛି ଏ ବର୍ଷ ସେଗୁଡିକୁ ଶ୍ରୀ ପ୍ରଭୁଙ୍କ ଯାତ୍ରାରେ ଉପଯୁକ୍ତ ମରାମତି ପୂର୍ବକ ବ୍ୟବହାର କରାଗଲେ ସେ ପ୍ରସ୍ତାବ ଦେଇଥିଲେ ।

ସର୍ବସମ୍ମତି କ୍ରମେ ଏହାକୁ ନିଷ୍ପତିରେ ପରିଣତ କରାଯାଇଥିଲା । ସେହିପରି ଭାବେ ପ୍ରତି ବର୍ଷ ରଥ କାଠ ନଷ୍ଟ ହେଇଯାଉଛି, ଏହାକୁ ଦୃଷ୍ଟିରେ ରଖି ଏକ ସେଡ୍ ଜିଲ୍ଲା ଖଣିଜ ପାଣ୍ଠିରୁ ନିର୍ମାଣ କରିବା ସହିତ ଯଦି ରଥଯାତ୍ରା ସଂପର୍ଣ୍ଣ ହୁଏ , ତାହା ହେଲେ ଟି.ଟି.ଭି. ମାଧ୍ୟମରେ ସିଧା ପ୍ରସାରଣ କରାଯିବ ବୋଲି ନିଷ୍ପତି ହୋଇଥିଲା । ଏ ବର୍ଷ କରୋନା ମହାମାରୀ ଭୟାଭୟତାକୁ ଦୃଷ୍ଟିରେ ରଖି ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଯଦି ରଥଯାତ୍ରା ଅନୁଷ୍ଠିତ କରାଇବା ପାଇଁର୍ ସରକାର ଅନୁମତି ଦିଅନ୍ତି ତାହା ହେଲେ ଆଇନ୍ କାନୁନ୍ର ଶୃଙ୍ଖଳ ମଧ୍ୟରେ ଯାତ୍ରାକୁ ତାଳଚେରରେ ସମ୍ପନ୍ନ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ପରିଶେଷରେ ଇଂ ଜୟନ୍ତ କୁମାର ପରିଡା ଧନ୍ୟବାଦ ଜ୍ଞାପନ ପୂର୍ବକ ବୈଠକରେ ସମାପ୍ତି ଘୋଷଣା କରିଥିଲେ ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Leave A Reply