Editorial by ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : କରୋନାଭୂତାଣୁ ଏ’ପର୍ଯ୍ୟନ୍ତ ତୈଳାଶିଲକ୍ଷ ଲୋକଙ୍କ ଶରୀରରେ ପଶି ବିଶ୍ୱରେ ତିନିଲକ୍ଷ ପାଖାପାଖି ପ୍ରାଣ ବିନାଶ କରିସାରିଲାଣି । ପ୍ରତିଘଂଟାରେ ଏହାର ସଂଖ୍ୟା ଘୁଘୁ ବଢିଚାଲିଛି । ଆମେରିକା, ୟୁକେ, ସ୍ପେନ୍, ରଷିଆ, ଇଟାଲୀ, ଫ୍ରାନ୍ସ, ଜର୍ମାନ୍ ଓ ବ୍ରାଜିଲ୍ ପରି ଦେଶମାନେ ସମର୍ପଣ ମୁଦ୍ରାରେ କାକୁତି ବିନତି କରିବାପରି ମନେ ହେଉଛି ।
ଏବେ ଦୁଇଶହକୋଡିଏ ଦେଶରେ କରୋନା ତାର ତାଣ୍ଡବଳୀଳା ଜାରି ରଖିଛି । ଏତିକିବେଳକୁ ଗାଁ ପଧାନ ଘନବାବୁ ଫାଜିଲ୍ ଖାଁ ଘରୁ ଗୁଡାଖୁ କିଣିବାକୁ ଯାଇ ଜ୍ଞାନନେଇ ଫେରିଛନ୍ତି । ଏ’ସମସ୍ତ ଘଟଣା ଜଣଙ୍କ ନିଦେ୍ର୍ଦଶରେ ଘଟୁଛି । ଅଧର୍ମ ଅଧିକ ହେବାରୁ ଅଲ୍ଲାମିଆଁ କରୋନାକୁ ପଠେଇ ସଂହାର କରୁଛି ।
ମୁହଁରେ କପଡା ବାନ୍ଧିଲେ କି ଲାଭ? ଆମେରିକାରେ କ’ଣ କପଡା ନାହିଁ, ମରୁଛନ୍ତି କାହିଁକି? ତେଣୁ ଏ’ସବୁ ବକ୍ବାସ୍ । ସରକାର ମନଇଚ୍ଛା ଲକ୍ଡାଉନ୍ ସଟ୍ଡାଉନ୍ କରି ଗରିବ ଲୋକଗୁଡାଙ୍କୁ ହନ୍ତସନ୍ତ କରିବା କଥା । ଏପରି ଅନେକ ବ୍ରହ୍ମଜ୍ଞାନ ଫାଜିଲ୍ ମିଆଁଠାରୁ ଆଣି ଗାଁ ମୁଣ୍ଡ ଜଳଖିଆ ଦୋକାନରେ ବସି ବାଂଟୁଛନ୍ତି । ଜଳଖିଆ କୋଣ ଚୌକିରେ ବସି ନରି ସରଂପଚ ସବୁ ଚୁପ୍ପ୍ଚାଶୁଣିଶୁଣି ବାହାରକୁ ଆସି ତୁଣ୍ଡ ଖୋଲିଲା ।
ନବଘନବାବୁ! ତୁମେ ଗାଁ ପଧାନ ଥିଲ । ବୁଢା ହେଲଣି । ଟିକେ ଭାବିଚିନ୍ତି ଯାହା ପ୍ରଚାର କରିବା କଥା କର । ଏସବୁ ଯେଉଁ ମହାତ୍ମାଙ୍କ ଠାରୁ ତୁମେ ଶୁଣିକି ଆସିଛ, ତା’ଙ୍କ ମସିହା ସରକାରଙ୍କୁ ମାସେହେଲା ଚକମା ଦେଇ ଲୁଚିଛନ୍ତି ଯେ ଦିଲ୍ଲୀ ପୋଲିସ୍ ଗଳିକନ୍ଦି ଖୋଜି ବୁଲୁଛି ଏପର୍ଯ୍ୟନ୍ତ ପାଉନି । ଆମ ରାଜ୍ୟରେ ସବୁ ସରପଂଚମାନଙ୍କୁ ଏବେ ଜିଲ୍ଲାପାଳ କ୍ଷମତା ଦିଆଯାଇଛି, ମାନେ ମାଜିଷ୍ଟ୍ରେଟ୍ ପାଓାର ।
ଆଜି ଦିନକ ପାଇଁ ତୁମକୁ ଛାଡିଦେଲି । କାଲିଠାରୁ ତୁମେ କି ସେ ଫାଜିଲ୍ ମିଆଁକୁ ଯଦି ମୁହଁ ନଘୋଡେଇ ବାହାରେ ଦେଖେ ତେବେ କ୍ୱରାଂଟାଇନ୍ ସେଂଟର୍ରେ ଚଉଦଦିନ ରଖିବି । ଶହଶହ ଲୋକ ଦିନକୁ ମରୁଛନ୍ତି, ଇଏ କହିଲା ଅଲ୍ଲାମିଆଁର ଆଦେଶ! କିଏ ଯାଇଥିଲା ଆଲ୍ଲାମିଆଁ ପାଖକୁ? ତୁମେ ନା ସେ ଫାଜିଲ୍ ମିଆଁ? ଏମିତି ଅପପ୍ରଚାର କରି ସମାଜରେ ସରଳିଆ ଲୋକମାନଙ୍କୁ ଭୂଆଁ ବୁଲେଇବାକୁ ଚେଷ୍ଟା କଲେ ତୁମ ନାଁରେ ଦେଶଦୋ୍ରହ ମକଦ୍ଦମା କରି ସିଧା ମାମୁଁଘରକୁ ପଠେଇବି । କଣ ବୁଝୁଛ ନା ନାହିଁ? – ବୁଝିଲି ପୁଅ । ସେ ମିଆଁ କହୁଥଲା.. । ମିଆଁ କଥା ଛାଡ । ମୋ କଥା ଶୁଣ, ସରକାରଙ୍କ କଥା ଶୁଣ । ନହେଲେ ତୁମ ଅବସ୍ଥା ଖରାପ କରିଦେବି । ଆଉ ପଛରେ ମୋ ଦୋଷ ଦେବନି ।
ଆଜି ଅନେକ ଲୋକ ସରକାରଙ୍କର ଅନେକ କଥାକୁ ଭିନ୍ନଭିନ୍ନ ପ୍ରକାରରେ ଆଲୋଚନା କରୁଛନ୍ତି । ଅନେକ ବିରୋଧୀନେତାମାନେ କେବଳ ମୋଦୀଙ୍କୁ ବିରୋଧ କରିବାପାଇଁ ଦେଶଦଶର ମଙ୍ଗଳ ଅମଙ୍ଗଳ ଚିନ୍ତା ନକରି ଯାହା ପାଟିକୁ ଆସିଲା ବାନ୍ତି କରି ପକାଉଛନ୍ତି । ଏବେ କିଛିଲୋକ କହୁଛନ୍ତି ଏତେ ଶୀଘ୍ର ତାଲାବନ୍ଦିର ଆବଶ୍ୟକତା ନଥିଲା । ଯଦି ତାଲାବନ୍ଦି ନହୋଇ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟା ଅଧିକ ହୋଇଥାନ୍ତା ତେବେ ସେହି ଭଦ୍ରବ୍ୟକ୍ତିମାନେ କହି ବୁଲୁଥାନ୍ତେ ତାଲାବନ୍ଦି ନକରି ସରକାର ବହୁତ ବଡ ଭୁଲ୍ କରିଦେଲେ । ଲୋଗୋ ତୋ କୁଛ୍ ବି କହେଙ୍ଗେ, ଲୋଗୋଁକା କାମ୍ ହେ କହନା । ତେଣୁ ଜଣେ ସୁନାଗରିକର କର୍ତ୍ତବ୍ୟ ହେଲା ସରକାରଙ୍କ ଯୋଜନାଗୁଡିକୁ ସଫଳ କରିବାରେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଯଥାସାଧ୍ୟ ସହଯୋଗ କରିବା ଉଚିତ୍ ।
କରୋନା ଭୂତାଣୁରେ ସାରାବିଶ୍ୱ ଆଜି ଆତଙ୍କିତ । ସୃଜନକାଳ ଆରମ୍ଭରୁ ଏପର୍ଯ୍ୟନ୍ତ ବୋଧହୁଏ ଏପରି କୋକୁଆ ଭୟ ଲୋକମାନଙ୍କ ମନରେ ପୂର୍ବରୁ କେବେ ବି ପଶିନଥିଲା । ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଦେଶ ଆମେରିକା କରୋନା ଆଗରେ ଆଣ୍ଠେଇଲା ପରି ଲାଗୁଛି । ଆମେରିକାରେ ଏବେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ବେଶି, ପ୍ରାୟେ ଚଉଦ ଲକ୍ଷଲୋକ ପ୍ରଭାବିତ ଏବଂ ବୈଆଶିହଜାର ଲୋକ ମୃତୁବରଣ କଲେଣି । ଇଟାଲୀ ଓ ଚାଇନା ଠାରୁ ବଳିଗଲାଣି, ଏବେ ଆମେରିକା ହିଁ ବିଶ୍ୱର ପ୍ରଥମ କ୍ଷତିଗ୍ରସ୍ତ ଦେଶ । ବିଜ୍ଞାନ ଆଜି ବହୁତ ଅଗ୍ରଗତି କରିଥିଲେ ସୁଧା, ଏପର୍ଯ୍ୟନ୍ତ କରୋନା ଭୂତାଣୁର ନିର୍ଦ୍ଦିଷ୍ଠ କିଛି ଉପଚାର ଉଦ୍ଭାବନ କରିବାକୁ ସକ୍ଷମ ହୋଇପାରିନାହିଁ ।
ନିଜର ସୁରକ୍ଷା ନିଜ ହାତରେ । ଜିଅନ୍ତା ମଣିଷକୁ ହିଁ ବୋର୍ ଲାଗିବ । ମରିଗଲେ ଗଲା । ଆଜି ବିଶ୍ୱରେ ଯେଉଁ ତିନିଲକ୍ଷ ଲୋକ କରୋନା ଭୂତାଣୁପାଇଁ ପ୍ରାଣ ହରାଇଛନ୍ତି ସେମାନେ ଏମିତି ଦିନେ ଘରେ ରହିରହି ବୋର୍ ହୋଇ ଯାଉଥିଲେ । ତାପରେ ବାହାରକୁ ମନ ଆନମାନ କରିବାକୁ ବାହାରି କରୋନା ଭୂତାଣୁକୁ ନିଜଘରକୁ ସ୍ୱାଗତ କଲେ ଓ ମଲେ । ଏବେ ସ୍ୱର୍ଗବାସୀ ହେବା ପରେ ଆଉ ବୋର୍ ହେବାର ପ୍ରଶ୍ନ ଉଠୁନାହିଁ । ଆପଣଙ୍କ ପସନ୍ଦ ଯାହା ସେଇଆ କରନ୍ତୁ । ତେଣୁ ଜଣେ ସୁନାଗରିକର ଦାୟିତ୍ୱ ହେଲା ସରକାରଙ୍କର ଯାହା ନିଦେ୍ର୍ଦଶ ତାକୁ ଅକ୍ଷରେଅକ୍ଷରେ ପାଳନ କରିବା, ନିଜ ଘରେ ରହିବା । ସମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା ।
ବିଶ୍ୱରେ ମୃତୁ୍ୟର ସଂଖ୍ୟା ତିନିଲକ୍ଷ । ସେ ତିନିଲକ୍ଷଙ୍କ ମଧ୍ୟରେ ଦୁଇଲକ୍ଷ ଲୋକ ଜଣେ ଜଣେ ଘରର ରୋଜଗାରକ୍ଷମ ବ୍ୟକ୍ତି ଥିବେ ଏବଂ ସେମାନଙ୍କ ଉପରେ ଆଉ ଆଠଲକ୍ଷ ନିର୍ଭରଶୀଳ ଥିବେ । ଏମିତି ସମୁଦାୟ ଦଶଲକ୍ଷଉପରେ ଲୋକ କରୋନା ଭୂତାଣୁ ପ୍ରଭାବରେ ଏବେ ଅନାଥ ଓ ନିରାଶ୍ରୟ । ବିଶ୍ୱର ଏହି ଦୟନୀୟ ସ୍ଥିତିକୁ ଦେଖି ଚାଲନ୍ତୁ ନିଜ ଜୀବନ ପାଇଁ ନିଜେ ସତର୍କ ରହି ସମାଜ ଓ ଜାତିପାଇଁ ନିଜର ନୈତିକ ଦାୟିତ୍ୱ ନିର୍ବାହ କରିବା ପୂର୍ବକ ଭଲରେ ଚିହ୍ନିବା ଏ କରୋନା ଭୁତାଣୁ ସାଙ୍ଘାତିକ ଭାବରେ ପ୍ରାଣ ଘାତକ । ସେଥିପାଇଁ ଆଜି କିଂକର୍ତ୍ତବ୍ୟବିମୂଢ ହୋଇ କରୋନା ଆଗରେ ସାରାବିଶ୍ୱ ନତମସ୍ତକ ।
ଏବେ ସରକାର ତାଲାବନ୍ଦିରେ ରଖି ଆମର କରୋନା ଭୂତାଣୁ ସହ ଯୁଦ୍ଧକରିବାକୁ ପ୍ରଶିକ୍ଷଣ ଦେଲା, କିଛି ନୂତନ ଅଭ୍ୟାସ ନିତିଦିନ କରିବାକୁ ବାଧ୍ୟ କଲା । ଏବେ ଆମ ଜୀବନ ଆମ ହାତରେ, ସରକାର ଖୋଲା କଲେ ବି ଆମେ ପାଳିବା ତାଲାବନ୍ଦିର ସବୁ ନିୟମ । ଦରକାର ନଥିଲେ ଅଯଥା ବାହାରେ ବୁଲାବୁଲି ନିଷେଧ । ସରକାରଙ୍କ ତରଫରୁ ଆମର ତାଲାବନ୍ଦି ୩.୦ର ଅବଧି ମେ ୧୭ତାରିଖରେ ସରୁଥିଲେ ମଧ୍ୟ ଆମେ ଏହାକୁ ନିଜ ମନଭିତରେ ରଖି ଏହାର ଔଷଧ ବାହାରିବା ଯାଏ ସମାଜିକ ଦୂରତା, ମାସ୍କ ପିନ୍ଧା ଓ ବାରମ୍ବାର ହାତ ଧୋଇବାକୁ କେବେ ବି ଭୁଲିବା ନାହିଁ । କାରଣ ଏବେ ବି ଯୁଦ୍ଧ ସରିନି କି ଅରି ମରିନି ।