କୋରେଇ ୧୨ା୦୫: କୋରେଇ ବ୍ଳକ ଅନ୍ତର୍ଗତ ହଳଦୀଗଡ଼ିଆ ପଚାଂୟତ ହଳଦୀଗଡ଼ିଆ ଗ୍ରାମର ଭାଗିରଥି ନାଥ, ମୃତୁ୍ୟଞୟ ପ୍ରସାଦ ଦେବନାଥ ଓ ସହଶ୍ରାଂଶୁ ପ୍ରସାଦ ଦେବନାଥଙ୍କ ଘରେ ନିଆଁ ଲାଗି ପ୍ରତ୍ୟେକଙ୍କ ଦୁଇ ବଖରା ଲେଖାଏଁ ମୋଟ ୬ ବଖରା ଘର ସହ ଟିଭି, ପ୍ରିଂଜ, ଆଲମିରା, ଖଟ, ପଲଙ୍କ, ଶୋଫା ସହ ଘରର ସମସ୍ତ ଆସବାବ ପତ୍ର ଧାନ, ଚାଉଳ, ସୁନା, ରୂପା, ନଗଦ ଟଙ୍କା ସମ୍ପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିବା ବେଳେ କେବଳ ପିନ୍ଧାଲୁଗା ଛଡ଼ା ସେମାନଙ୍କ ପାଖରେ କୌଣସି ସମ୍ବଳ ନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।
ଖବର ପାଇ ବୈତରଣୀ ରୋଡ ଦମକଳ ବାହିନୀ ସେଠାରେ ପହଂଚିଥିଲେ ମଧ୍ୟ ସେତେବେଳକୁ ୬ ବଖରା ଘର ସମ୍ପୃର୍ଣ୍ଣ ପୋଡିଯାଇଥିଲା । ସୂଚନା ଥାଉକି ଆଜି ମଙ୍ଗବାର ମଧ୍ୟହ୍ନ ୧୨.୩୦ସମୟରେ ଭାଗିରଥିଙ୍କ ଘରେ କୌଣସି ମତେ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ଘରେ ନିଆଁ ଲାଗିଯିବା ଦେଖି ଗ୍ରାମ ବାସୀଙ୍କୁ ଡ଼ାକିଥିଲେ । ଗାଁ ଲୋକମାନେ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବା ସହ ବୈତରଣୀ ରୋଡ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ସେଠାରେ ପହଁଚିଲା ବେଳେକୁ ୬ ବଖରା ଘର ସମ୍ପୃର୍ଣ୍ଣ ପୋଡ଼ି ଯାଇଥିଲା । ଅଗ୍ନିକାଣ୍ଡର କାରଣ କୌଣସି ଜଣା ପଡ଼ିନାହିଁ ।
ଖବର ପାଇ କୋରେଇ ଥାନାଅଧିକାରୀ ରଜିଂତ କୁମାର ମହାନ୍ତି, ତୁଳତୀ ସରପଂଚ ଦିପ୍ତିମୟୀ କୁଅଁର, ହଳଦୀଗଡ଼ିଆ ସରପଂଚ ସବିତା ମଲିକ, ଭୂବନ ମୋହନ ମହାନ୍ତି, ଉଦୟ କୁମାର ସାହୁ, ପୁରୁଷୋତମ ବିଶ୍ୱାଳ, ଦୁର୍ଗା ପ୍ରସାଦ ଦାସ, ଉଦୟ କୁମାର ନାୟକ ପ୍ରମୁଖ ଗ୍ରାମରେ ପହଁଚି ବିପନ୍ନଙ୍କୁ ସମବେଦନା ଜଣାଇଥିବା ବେଳେ ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର ଓ ତୁଳତୀ ରାଜସ୍ୱନିରୀକ୍ଷକ ରବି ନାରାୟଣ ସାହୁ ଘଟଣା ସ୍ଥଳରେ ପହଁଚି ବିପନ୍ନଙ୍କୁ ରହିବା ପାଇଁ ଜରିପାଲ ଦେଇଥିବା ବେଳେ ଆସନ୍ତା କାଲି ଲୁଗାପଟା, ରୋଷେଇ ସରଜାଂମ ବାବଦକୁ ଆର୍ଥିକରାଶି ଦିଆ ଯିବା ସହ ଖୁବ୍ ଶିଘ୍ର ଘରପୋଡ଼ି ସହାୟତା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି