ଖୋର୍ଦ୍ଧା, ୧୬ା୫: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅଧିନସ୍ଥ ଓଳସିଂହ ଗ୍ରାମପଂଚାୟତରେ, ଓଳସିଂହ ଗୟାବନ୍ଧ ରାସ୍ତାର ଡ଼ମଣଭୂଇଁ ତୋଟା ଠାରେ ୩ଶହ ମିଟର ରାସ୍ତାର ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର କରାଯାଇଥିଲା । ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଉକ୍ତ ରାସ୍ତାର ନିର୍ମାଣ ନିମନ୍ତେ ୨୭ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା । କିନ୍ତୁ ଅର୍ଥ ମଂଜୁର ହୋଇଥିବା ରାସ୍ତାର ନିର୍ମାଣ ନ କରି ସଂପୃକ୍ତ ଠିକାଦାର ଅନ୍ୟ ଏକ ଭଲ ରାସ୍ତାରେ ରାତି ଅଧିଆ କାମ ଶେଷ କରି ଦେଇଥିଲେ ।
ଓଳସିଂହ ଗ୍ରାମପଂଚାୟତର ସରପଂଚ ପ୍ରେମାନନ୍ଦ ପରିଡ଼ାଙ୍କ କହିବା ଅନୁଯାୟୀ ଡ଼ମଣଭୂଇଁ ଓଳସିଂହ ଗ୍ରାମକୁ ଯାଇଥିବା ରାସ୍ତାର ନିର୍ମାଣ ପାଇଁ ଗ୍ରାମର କିଛି ବ୍ୟକ୍ତି ସ୍ୱଇଚ୍ଛାରେ ନିଜର ସ୍ଥିତିବାନ ଜମି କିଛି ଛାଡ଼ିଥିଲେ । ଏହାପରେ ଏହି ରାସ୍ତାର ନିର୍ମାଣ ପାଇଁ ଗ୍ରାମପଞ୍ଚାୟତରେ ଏକ ପ୍ରସ୍ତାବ ଗୃହିତ ହୋଇ ଏହାର ଅନୁମୋଦନ ନିମନ୍ତେ ସରକାରଙ୍କ ନିକଟକୁ ପଠାଯାଇଥିଲା । ପରେ ଟେଣ୍ଡର କରାଯାଇଥଲା ।
କିନ୍ତୁ ସେହି ରାସ୍ତା ନିର୍ମାଣ ନ କରି ମଧ୍ୟ ରାତ୍ରୀ ସମୟରେ ଗୟାବନ୍ଧର ଅନ୍ୟ ଏକ ଭଲ ରାସ୍ତାରେ ଅତି ତରବରିଆ ଭାବରେ ପିଚୁ ଢାଳି କାମ ସମ୍ପୂର୍ଣ୍ଣ କରାଯାଇଥିଲା । ଏ ସମ୍ପର୍କରେ ନିରାକାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଯେ, ଗୟାବନ୍ଧ ଗ୍ରାମର କିଛି ଲୋକ ରାସ୍ତା କାମ କରିବାକୁ ବିରୋଧ କରିଥିଲେ । ଏଣୁ ସେହି କାମକୁ ଅନ୍ୟତ୍ର କରାଯାଇଛି ।
ଏ ସମ୍ପର୍କରେ ଖୋର୍ଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗର ଉପନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ୍ ମାଧ୍ୟମରେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଏହି ରାସ୍ତା ନିର୍ମାଣ ଦୁର୍ନିତିର ତଦନ୍ତ କରିବା ନିମନ୍ତେ ଓଳସିଂହ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରେମାନନ୍ଦ ପରିଡ଼ା ଏବଂ ସମିତି ସଭ୍ୟା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଏହାର ତଦନ୍ତ ଦାୟିତ୍ୱ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ ଦେଇଥିବା ଜଣାପଡିଛି ।