ନୀଳଗିରି : ନୀଳଗିରି ବ୍ଲକ ଅଫିସଠାରୁ ମାତ୍ର କୋଶେ ଦୂରରେ ରହିଛି ସିଆଳିମାଡ଼ ପଞ୍ଚାୟତ । ଏହି ପଞ୍ଚାୟତର ସିନ୍ଦୁରିଆ ଗାଁ ପାହାଡ଼ ଘେରାରେ ରହିଥିବା ବେଳେ ଗାଁକୁ ଯାତାୟାତ ନିମନ୍ତେ ଗମନା ଗମନର ସୁବିଧା ନାହିଁ । ଯାହାଫଳରେ ସିମୁଳିଆ ଗାଁକୁ ଗାଡ଼ି କିମ୍ବା ଆମ୍ବୁଲେନ୍ସ କିଛି ଯାତାୟାତ କରିପାରେ ନାହିଁ । ଗ୍ରାମବାସୀମାନେ ନିଜ ଖର୍ଚ୍ଚରେ ରାସ୍ତାଟିଏ କରିଥିବା ବେଳେ ଗ୍ରାମରେ ୪୦ରୁ ୫୦ଟି ପରିବାର ବସବାସ କରୁଛନ୍ତି ।
ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ରାସ୍ତା ନଥିବାରୁ ଗ୍ରାମବାସୀମାନେ ପକ୍କାଘର ଖଣ୍ଡିଏ କରିପାରୁ ନାହାଁନ୍ତି । ଗ୍ରାମର ଅର୍ଦ୍ଧାଧିକ ପରିବାର ଭଙ୍ଗା ଚାଳ ଛପରତଳେ ଜୀବନ କାଟୁଥିବା ବେଳେ ଗ୍ରାମର କିଛି ଲୋକ ନଳକୂପ ପାଣି ଓ ଚୂଆପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳେ । କିଛି ପରିବାର ବିଦୁ୍ୟତ୍ ସେବାରୁ ବଞ୍ଚôତ ଥିବା ବେଳେ ଗ୍ରାମରେ ସ୍ଥାୟୀ ଅଙ୍ଗନବାଡ଼ି ଗୃହଟିଏ ନଥିବାରୁ ସ୍କୁଲଘରେ ଅଙ୍ଗନୱାଡ଼ି ପାଠ ପଢାହୁଏ ।
ଗ୍ରାମର କୌଣସି ଲୋକର ଦେହ ଖରାପ ହେଲେ ଖଟିଆରେ ବୁହାହୋଇ ଗାଁ ମୁଣ୍ଡ ପର୍ଯ୍ୟନ୍ତ ନିଆଯିବା ପରେ ସେଠାରୁ ରୋଗୀକୁ ଅନ୍ୟ ବ୍ୟବସ୍ଥା କରି ଡାକ୍ତରଖାନା ନିଆଯାଇଥାଏ । କିନ୍ତୁ ନିର୍ବାଚନ ସମୟ ଆସିଲେ କୁଜି ନେତାଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ନେତାମାନଙ୍କ ପାଦ ସିନ୍ଦୁରିଆ ଗାଁ ମାଟିରେ ପଡ଼ିଥାଏ । ନେତାମାନେ ଲୋକମାନଙ୍କୁ ହାତୀ ଦେବୁ, ଘୋଡ଼ା ଦେବୁ ଭଳି ଲୋଭନୀୟ ପ୍ରତିଶୃତି ଦେଇ ଭୋଟ ଖଣ୍ଡିକ ହାତେଇ ନେବାପରେ ଆଉ ସେମାନଙ୍କର ଦେଖା ମିଳି ନଥାଏ ।
ଏହି ଗ୍ରାମର ସମସ୍ତ ପରିବାର ଆଦିବାସୀ ଶ୍ରେଣୀୟ ହୋଇଥିବାରୁ ସେମାନେ ମୁଖ୍ୟତଃ ଚାଷବାସ ଉପରେ ନିର୍ଭରକରି ଚଳିଥାନ୍ତି । କିନ୍ତୁ ଏହି ସିନ୍ଦୁରିଆ ଗ୍ରାମଟି କୁଲଡ଼ିହା ଅଭୟାରଣ୍ୟର ପାଦଦେଶରେ ଥିବାରୁ ବହୁ ସମୟରେ ହାତୀପଲ ଆସି ଚାଷ ନଷ୍ଟ କରିବା ସହ ଗ୍ରାମର ଲୋକମାନଙ୍କ ଘରଦ୍ୱାରା ଭାଙ୍ଗି ଦେଇଥାନ୍ତି । ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ଉଦ୍ୟମରେ ଗ୍ରାମରେ ନଳକୂପ ବସାଯିବା ସହ କିଛି ପରିବାରକୁ ବିଦୁ୍ୟତ ଯୋଗାଣର ବ୍ୟବସ୍ଥା ହୋଇଛି । ଘଟଣାସମ୍ପର୍କରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କହିଛନ୍ତି ଯେ ଗ୍ରାମର ସମସ୍ୟା ସମ୍ପର୍କରେ ସେ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରି କିଛିଟା ବ୍ୟବସ୍ଥା କରିବେ । ଅନ୍ୟପକ୍ଷରେ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ମତାମତ ନେବାରୁ ସେ କହିଥିଲେ ଯେ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ସିନ୍ଦୁରିଆ ଗ୍ରାମରେ ଥିବା ବହୁବିଧ ସମସ୍ୟାର ସମାଧାନ ଦିଗରେ ଯତ୍ନବାନ ହେବେ । (
