ସ୍ନାନଯାତ୍ରାର ଉଦ୍ଦେଶ୍ୟ ହେଉଛି ଶ୍ରୀଅଙ୍ଗର ସୁରକ୍ଷା। ଯଦି ସ୍ନାନଯାତ୍ରା ନହୁଏ, ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ଘୋର ବିପଦ ସୃଷ୍ଟି ହେବ। :ଜଗନ୍ନାଥ ଙ୍କ ବାଡ଼ଗ୍ରାହୀ
ପୁରୀ : ରଥ ନିର୍ମାଣ, ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାର ମୁହଁ ନ ଖୋଲି କେବଳ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉନାହାନ୍ତି, ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ମଧ୍ୟ ବିପଦ ଭିତରକୁ ଠେଲି ଦେଉଛନ୍ତି। ରଥ ନିର୍ମାଣ ନ ହେଲେ ରଥଯାତ୍ରା ସମ୍ଭବ ନୁହେଁ। ସେହି ଭଳି ରଥଯାତ୍ରା ନ ହେଲେ ସ୍ନାନଯାତ୍ରା ମଧ୍ୟ ସମ୍ଭବ ନୁହେଁ। କାରଣ କରୋନା କଟକଣା ପାଇଁ ସରକାର ସାମାଜିକ ଦୂରତା ରକ୍ଷା କରିବାକୁ କହୁଛନ୍ତି। ସ୍ନାନଯାତ୍ରାରେ ସାମାଜିକ ଦୂରତା ରକ୍ଷା ଅସମ୍ଭବ। ସ୍ନାନଯାତ୍ରାର ଉଦ୍ଦେଶ୍ୟ ହେଉଛି ଶ୍ରୀଅଙ୍ଗର ସୁରକ୍ଷା। ଯଦି ସ୍ନାନଯାତ୍ରା ନହୁଏ, ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ଘୋର ବିପଦ ସୃଷ୍ଟି ହେବ। ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ତଥା ବରିଷ୍ଠ ଦଇତାପତି ସେବକ ହଳଧର ଦାସମହାପାତ୍ର ଆଜି ଗଣମାଧ୍ୟମ ଆଗରେ ଏଭଳି କ୍ଷୋଭ ପ୍ରକାଶ କରିବା ସହ ସରକାର ଏ ଦିଗରେ ସ୍ପଷ୍ଟ ଉତ୍ତର ରଖନ୍ତୁ ବୋଲି ମତ ଦେଇଛନ୍ତି।
ଚଳିତ ବର୍ଷ ସ୍ନାନଯାତ୍ରା ଜୁନ ୫ରେ ପଡ଼ୁଛି। ଜୁନ୍ ୨୦ରେ ନେତ୍ରୋତ୍ସବ, ଜୁନ ୨୧ରେ ନବଯୌବନ ଦର୍ଶନ। ଏହାର ଦିନକ ପରେ ଅର୍ଥାତ୍ ଜୁନ ୨୩ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ପ୍ରାରମ୍ଭିକ ପର୍ବ ଆରମ୍ଭ ହୋଇନାହିଁ। କେବଳ ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ପରିସରରେ ରଥ ନିର୍ମାଣ ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଉ ୨୮ ଦିନ ପରେ ସ୍ନାନଯାତ୍ରା ପଡ଼ୁଥିବାରୁ ଏହାକୁ ନେଇ ଶଙ୍କା ବଢ଼ିଲାଣି। କେଉଁଭଳି ପରିସ୍ଥିତିରେ ଏହି ନୀତିକାନ୍ତି ଅନୁଷ୍ଠିତ ହେବ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂପର୍କରେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ଶ୍ରୀ ଦାସମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ସ୍ନାନଯାତ୍ରା ପୂର୍ବରୁ ଜ୍ୟେଷ୍ଠ ତ୍ରୟୋଦଶୀ ତିଥିରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହୋଇଥାଏ। ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଗୁପ୍ତ ନୀତି ସଂପାଦନ କରିଥାନ୍ତି। ପ୍ରାୟ ୫୦ ଜଣ ସେବକ ରତ୍ନସିଂହାସନରେ ଚଢ଼ି ଏହି ଗୁପ୍ତନୀତି କରିଥାନ୍ତି। ଏହା ପରେ ଚାରବନ୍ଧା ନୀତି ଆରମ୍ଭ ହୋଇଥାଏ। ଏହି ନୀତି ୫୦ରୁ ଅଧିକ କୋଠ ସୁଆଁସିଆଙ୍କ ଦ୍ବାରା ସଂପାଦିତ ହୋଇଥାଏ। ସେନାପଟି ଲାଗି ହେବା ପରେ ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀକୁ ବିଜେ କରନ୍ତି। ଦଇତାପତି ସେବକମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ସ୍ନାନବେଦୀକୁ ନେଇଥାନ୍ତି। ପହଣ୍ଡି ଉପଲକ୍ଷେ ବଡ଼ଠାକୁରଙ୍କ ପାଇଁ ୧୦୦ଜଣ, ଶ୍ରୀଜଗନ୍ନାଥଙ୍କ ପାଇଁ ୧୦୦ଜଣ ଓ ମା’ ସୁଭଦ୍ରାଙ୍କ ପାଇଁ ୫୦ ଜଣ ଦଇତାପତି ସେବକ ରହିଥାନ୍ତି। ଘଣ୍ଟୁଆ ବି ରହିଥାନ୍ତି। ଏଠି ଯଦି ସାମାଜିକ ଦୂରତା ରକ୍ଷା କଥା ଉଠିବ, ତେବେ କୌଣସି ପରିସ୍ଥିତିରେ ଏହାକୁ ମାନି ନୀତି ସଂପାଦନ କରିବା ସମ୍ଭବ ହେବନାହିଁ। କାରଣ ଦୂରତା ରକ୍ଷା କରି ପହଣ୍ଡି କରିବା ଅସମ୍ଭବ।
ସ୍ନାନଯାତ୍ରା, ଅଣସର ନୀତିର ପ୍ରମୁଖ କାର୍ଯ୍ୟ ହେଉଛି ଶ୍ରୀଅଙ୍ଗକୁ ସୁରକ୍ଷା। ସ୍ନାନଯାତ୍ରାରେ ଚତୁର୍ଦ୍ଦାମୂର୍ତ୍ତି ୧୦୮ ସୁବାସିତ ଜଳରେ ସ୍ନାନ ପରେ ୧୫ଦିନ ଅଣସର ଘରେ ରୁହନ୍ତି। ଏହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଉପଚାର ନୀତି ଚାଲେ। ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସର୍ବାଙ୍ଗ, ଓଷ ଲାଗି ଆଦି ନୀତି ଅନୁଷ୍ଠିତ ହୋଇଥାଏ। ପରେ ପରେ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହୋଇଥାଏ। ଚତୁର୍ଦ୍ଧାମୂର୍ତ୍ତି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ନବଯୌବନ ଅର୍ଥ ମହାପ୍ରଭୁ ନୂଆ ଜନ୍ମ ପାଇଥାନ୍ତି। ନୂଆ ଜନ୍ମ ପାଇ ଚତୁର୍ଦ୍ଧାମୂର୍ତ୍ତି ନୂଆ ରଥରେ ବିଜେ କରି ରଥଯାତ୍ରାରେ ବାହାରିଥାନ୍ତି। ଯଦି ରଥ ନିର୍ମାଣ ହେବନି, ସ୍ନାନଯାତ୍ରାର କିଛି ମୂଲ୍ୟ ବି ନାହିଁ। ଯଦି ଚଳିତବର୍ଷ ସ୍ନାନଯାତ୍ରା ନହୁଏ, ଏହା ଶ୍ରୀଅଙ୍ଗକୁ ଘୋର ବିପଦ ଆଣିଦେବ। ଠାକୁରଙ୍କ କୌଣସି ସତ୍ତା ରହିବନି। ଅନେକ ବିଘ୍ନ ଘଟିବ। ଆଗାମୀ ବର୍ଷର ରଥଯାତ୍ରାକୁ ଏହା ଅନିଶ୍ଚିତତା ଭିତରକୁ ଠେଲିଦେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।