Odisha news

ଚାଲିଗଲା ରୋଜଗାରିଆ ଭେଣ୍ଡିଆ ପୁଅ , ଝୁରୁଛି ମାଆ ମନ : ମୁକ ପାଲଟିଛନ୍ତି ପତ୍ନୀ ପ୍ରତିମା

0

ଭଞ୍ଜନଗର :  ଶତାଦ୍ଦୀର ସବୁଠାରୁ ବଡ ବିପତ୍ତି କରୋନା ଏବେ ସଭିଙ୍କ ମନରେ ଦେଇଛି ଅଜସ୍ର ଦୁଃଖ । ତେବେ ଦେଶରେ ଏବେ ସବୁଠାରୁ ବଳି ଯାଇଛି ଦାଦନ ଦୁଃଖ । ଲକ୍ଷ ଲକ୍ଷ ସଂଖ୍ୟାରେ ଦାଦନ ଏବେ ଘରମୁହାଁ । କିଏ ପାଦରେ ଚାଲି ଚାଲି ଘରମୁହାଁ ହେଉଛି ତ ଆଉ କିଏ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରକ୍, ଅଟୋ, ବସ ଆଦିରେ ଫେରୁଛି ।

କିଏ ଚାଲି ଚାଲି ଆସିବାବେଳେ ରାସ୍ତାରେ ଜୀବନ ହାରୁଛି ତ ଆଉ କିଏ ପୋଲିସ ଆକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛି । ଶତାଦ୍ଦୀର ଏଭଳି ଲୋମହର୍ଷଣ ଦୃଶ୍ୟ ବୋଧେ ଆଉ କେବେ ଦୃଷ୍ଟିଗୋଚର ହେବନାହିଁ । ଗୁଜୁରାଟର ସୁଦୂର ସୁରାଟ ଇଲାକାରେ ନିଜର ଭବିଷ୍ୟତ ଗଢିବାକୁ ଯାଇଥିବା ଅଧିକାଂଶ ଓଡିଆ ଏବେ ଏହି ବିପତ୍ତି ବେଳେ ଓଡିଶା ମୁହାଁ ହୋଇଛନ୍ତି ।

ତେବେ ଅଧିକାଂଶ ଓଡିଆ ନିର୍ଯ୍ୟାତିତ ହୋଇ ସେଠାରୁ ଫେରୁଥିବାବେଳେ ଗୁରୁବାର ସୁରତର ଆମ୍ରୋଲି ଥାନା ଇଲାକାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟା ସବୁ ଓଡିଆ ଦାଦନଙ୍କ ଦୁଃଖକୁ ବହୁଗୁଣିତ କରିଦେଇଛି । ଘରକୁ ଫେରିବାକୁ ଦାବୀ କରୁଥିବା ଦାଦନକୁ ସୁରତ ପୋଲିସ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି । ଅତି ନିଷ୍ଟୁର ଭାବରେ ପିଟି ପିଟି ସତ୍ୟବାନ ସ୍ୱାଇଁ ନାମକ ଜଣେ ୩୫ବର୍ଷୀୟ ଯୁବକକୁ ମାରିଦେଇଛି ଆମ୍ରୋଲି ପୋଲିସ । ସପ୍ତାହକ ମଧ୍ୟରେ ଘରକୁ ଫେରିବାକୁ କଥା ହୋଇଥିବା ସତ୍ୟ ଆଉ ଆସିଲାନି । ତାର ଶବ ମଧ୍ୟ ଏଠାକୁ ଆସିପାରିଲାନି । ଶଳା ଓ ଅନ୍ୟମାନଙ୍କ ଉପସ୍ଥିତିରେ ଆମ୍ରୋଲିରେ ହିଁ ଦାହ ସଂସ୍କାର କରିଦିଆଗଲା ।

ଏପଟେ ନିରବୀ କାନ୍ଦୁଛି ସ୍ତ୍ରୀ ପ୍ରତିମା ଓ ୮୦ବର୍ଷର ବୃଦ୍ଧା ମାଆ କମା ସ୍ୱାଇଁଙ୍କ ମନ । ଭେଣ୍ଡିଆ ପୁଅକୁ ହରାଇ  ବାରୁଡା ଯେପରି ସ୍ତବ୍ଧ ପାଲଟିଯାଇଛି । ସତ୍ୟବାନ ସ୍ୱାଇଁ । ବୟସ ୩୫ ବର୍ଷ । ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗ୍ରାମର ସ୍ୱର୍ଗତ ନାରାୟଣ ସ୍ୱାଇଁଙ୍କ ପୁଅ ସତ୍ୟ ମାଟି୍ରକ୍ ଶିକ୍ଷା ସମାପ୍ତ ପରଠାରୁ  ସୁରତରେ ହିଁ ଦାଦନ ଶ୍ରମିକଭାବେ କାମ କରିଆସୁଥିଲେ । ଗତ ୮ବର୍ଷ ତଳେ ବିବାହ କରିଥିଲେ ସତ୍ୟ । ତାଙ୍କର ରାଜକୁମାର ଭଳି ଜଣେ ୭ବର୍ଷର ପୁଅ ଅଛି । ହେଲେ ପୁଅ ପରେଶ କିନ୍ତୁ ଜନ୍ମରୁ ପାଟି ଖୋଲିପାରୁନି । ସବୁ ଦେଖୁଛି କିନ୍ତୁ କିଛି ବୁଝିବିି ପାରୁନି । ଏଭଳି ଜଣେ ଦିବ୍ୟାଙ୍ଗ ପୁଅକୁ ନେଇ ପ୍ରତିମା ସ୍ୱାଇଁ ଭଙ୍ଗା ଦଦରା ଘରେ ନିଜ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । ଏବେବି ତାଙ୍କ ମନ  ବୁଝୁନି । ସତ୍ୟ ତାଙ୍କୁ କଥା ଦେଇଛନ୍ତି ନିଶ୍ଚୟ ଫେରିବେ । ଏଭଳି ବିଶ୍ୱାସ ଏବେବି ତାଙ୍କ ମନର କେଉଁଠି ନା କେଉଁ କୋଣରେ ଉଙ୍କି ମାରୁଛି ।

ତେବେ ମୃତ୍ୟୁ ଧୃବ ସତ୍ୟ । ଏକଥା ତାଙ୍କ ବିଶ୍ୱାସର ବାହାରେ । ଏବେ କେମିତି ଚାଲିବ ତାଙ୍କ ସଂସାର ରଥ । ଭଙ୍ଗା ଦଦରା ୪ ହାତ ଘରେ ଦିବ୍ୟାଙ୍ଗ ପୁଅକୁ ନେଇ କେମିତି ଆଗକୁ ଗଡିବ ତାଙ୍କ ସଂସାର ରଥ ? ଏକଥା ଚିନ୍ତା କଲା ବେଳକୁ ତାଙ୍କ ପାଦତଳୁ ମାଟି ଖସି ଯାଉଛି । ଏପଟେ ଭେଣ୍ଡିଆ ପୁଅକୁ ହରାଇ ବାହୁନି କାନ୍ଦୁଛି ମାଆ ମନ । ପୁଅର କାନ୍ଦରେ ମୋର ଶବ ଯାଇଥାନ୍ତା ବାବୁ ହେଲେ ମୋ ଆଗରେ ମୋର ଭେଣ୍ଡିଆ ପୁଅ ଚାଲିଗଲା । ଭଗବାନ ବଡ ନିଷ୍ଟୁର । ମୋତେ ନନେଇ ମୋର ଗେଲ୍ଲା ସାନପୁଅକୁ ମୋ ଆଗରୁ ନେଇଗଲା । ମୁଁ ତ ଶୁଖିଲା ପତର । କେତେବେଳେ ଝଡିପଡିବି ତାର ଠିକଣା ନାହିଁ । ଯୁବା ବୋହୁଟି ଏବେ ବିକଳାଙ୍ଗ ୭ବର୍ଷର ପୁଅ ନେଇ କିମିତି ବଞ୍ଚିବ ସେହି କଥା ଭାବିଲାବେଳକୁ ମୋ ମୁଣ୍ଡ କିଛି କାମ କରୁନି । ବାଷ୍ପରୁଦ୍ଧ କଣ୍ଠରେ ଏମିତି କେତେକଣ କହିପକାଇଲେ ସୁରତରେ ମୃତ ସତ୍ୟ ସ୍ୱାଇଁଙ୍କ ମଆ ମାୟା ସ୍ୱାଇଁ । ବାସ୍ତବରେ କରୋନା ମହାମାରୀ ପାଇଁ ସାରା ଦେଶରେ ବଡ ସମସ୍ୟାଭାବେ ମୁଣ୍ଡ ଟେକିଥିବା ଦାଦନ ଦୁଃଖ ବଡ ଅସରନ୍ତି ।

ନିଜ ଜନ୍ମମାଟି ବାରୁଡା ଏବେ ସତ୍ୟକୁ ଝୁରୁଛି । ଗାଆଁ ପାଲଟିଯାଇଛି ସ୍ତବ୍ଧ । ସଭିଙ୍କ ଆଖିରେ ଲୁହ । ବାସ୍ତବରେ ସୁରାଟ ପୋଲିସ ଏତେ ନିଷ୍ଟୁର । ସତ୍ୟଙ୍କ ବିଧବା ପତ୍ନୀ ପ୍ରତିମାଙ୍କ ଦାବୀ ମୋ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ । ପ୍ରକାଶଥାଉକି ଗତ ଗୁରୁବାର ସଂଧ୍ୟାରେ ସୁରାଟର ଆମ୍ରୋଲି ଥାନା ଇଲାକାରେ ରହୁଥିବା ବହୁ ଓଡିଆ ନିଜ ରାଜ୍ୟକୁ ଫେରିବାକୁ ଥାନା ଆଗରେ ଭିଡ ଜମାଇଥିଲେ । ଟ୍ରେନ୍ ଟିକେଟ ପାଇଁ ଏମାନେ ଆମ୍ରୋଲି ପୋଲିସର  ସହୟତା ଚାହୁଁଥିବାବେଳେ ଶେଷରେ ପୋଲିସ ଏମାନଙ୍କୁ ବର୍ବରୋଚିତ ଆକ୍ରମଣ କରିଥିଲା । ପରେ ପୋଲିସ ଅଧିକ ହ୍ରିଂସ ହେବାସହ ଅଞ୍ଜନୀ ଇଣ୍ଡଷ୍ଟ୍ରି ଏରିଆର ବିଭାଗ ନମ୍ବର-୧, କୋଠା  ନମ୍ବର-୧୫୮/୧୫୯ ଓ ୧୬୦ରେ ମେସ କରି ରହୁଥିବା ଓଡିଆଙ୍କ ମେସକୁ ତାଲା ଭାଙ୍ଗି ପଶିବା ସହ ମେସରେ ଏକାଥିବା ସତ୍ୟ ସ୍ୱାଇଁଙ୍କୁ ପ୍ରବଳ ମାଡ ମାରି ତାକୁ ଜୀବନରୁ ମାରି ଦେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି ।

Leave A Reply