Odisha news

ବାପ ପୁଅ କଳହ ବେଳେ ଦେଶୀ ବନ୍ଧୁକରୁ ଗୁଳିଫୁଟି ବୋହୁର ମୃତ୍ୟୁ

0

ଭଞ୍ଜନଗର,୧୩/୬-ବାପପୁଅ କଳହ ବେଳେ ଦେଶୀ ବନ୍ଧୁକରୁ ଗୁଳିଫୁଟି ବୋହୁର ମୃତ୍ୟୁ । ଏଭଳି ଏକ ଅଭାବୀନୟ ଘଟଣା ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ମେରିକୋଟ ପଞ୍ଚାୟତର ବାରଘଣିଆ ଗ୍ରାମରେ ଘଟିଯାଇଛି । ଶନିବାର ପୂର୍ବାହ୍ନ ୧୧ଟାବେଳେ ବାରଘଣିଆ ଗ୍ରାମର ପ୍ରଫୁଲ ମଳିକ ତାଙ୍କ ପୁଅ ମିଟୁ ମଳିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟେ ଘରେଥିବା ଏକ ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ପରସ୍ପରକୁ ମାରିଦେବାକୁ ଉଦ୍ୟମ କରୁଥିବାବେଳେ ବୋହୁ ରଶ୍ମିତା ବନ୍ଧୁକ ଛଡାଇବାକୁ ଉଦ୍ୟମ କରିଥିଲେ ।

ତେବେ ବନ୍ଧୁକରୁ ଗୁଳି ଫୁଟି ବୋହୁର ମୁଣ୍ଡରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୋହୁ ରଶ୍ମିତା ମଳିକଙ୍କ ମୃତ୍ୟୁ ଘଟିଥିଲା । ଏଭଳି ଅଭାବନୀୟ ଘଟଣା ଦେଖି ଉଭୟ ବାପପୁଅ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ଖବର ପାଇ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତି୍ରପାଠୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ମଧ୍ୟ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୁଚନା ପ୍ରକାରେ ଗତ କିଛି ମାସ ତଳେ ପ୍ରଫୁଲ ମଳିକ ତାର ପୁଅ ମିଟୁ ମଳିକର ବିବାହ କରିଥିଲେ । ବିବାହବେଳେ ଭୋଜିକାର୍ଯ୍ୟ ଆଦି ପାଇଁ ବିଭିନ୍ନ ସ୍ଥାନରୁ ଧାରକରଜ କରି ରାସନ ସାମଗ୍ରୀ ଓ ଲୁଗାପଟା ଆଦି କିଣି ଆଣିଥିଲେ । ହେଲେ ବିବାହର ଦୀର୍ଘଦିନ ବିତିବାରୁ ବାକି ଦେଇଥିବା ବେପାରୀମାନେ ଘରକୁ ଆସି ଟଙ୍କା ମାଗିବାରୁ ଏହାକୁ ନେଇ ବାପ ପୁଅ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ପରେ ଏହାର ଚରମ ସୀମାରେ ପହଞ୍ଚିଥିଲା । ଶେଷରେ ଘରେ ଥିବା ଏକ ଚୋରା ଦେଶୀ ବନ୍ଧୁକ ବାହାର କରି ଉଭୟେ ଉକ୍ତ ବନ୍ଧୁକରୁ ପରସ୍ପରକୁ ଗୁଳି କରିବାକୁ ଛଡାଛଡି ହେଉଥିବାବେଳେ ଆକସ୍ମିକଭାବେ ଏଥିରୁ ଗୁଳି ବାହାରିଯାଇ ବୋହୁ ରଶ୍ମିତାଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ରଶ୍ମିତାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ପୁଲିସ ଘଟଣାସ୍ଥଳରୁ ଶବକୁ ଜବତ କରି ବ୍ୟବଚ୍ଛଦ ପାଇଁ ପଠାଇଥିବାବେଳେ ଏସଂପର୍କରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.