ପୁରୀ : ନରେନ୍ଦ୍ର ପୁଷ୍କରଣୀରେ ଦୁଇଟି ଟିଣ ବାକ୍ସରୁ ଖଣ୍ଡ ବିଖଣ୍ଡିତ ଜଣେ ବ୍ୟକ୍ତିର ଶବ ଉଦ୍ଧାର ହେବାର ସାଢ଼େ ୫ବର୍ଷ ପରେ ସମ୍ପୃକ୍ତ ମୃତ ବ୍ୟକ୍ତିର ଫଟୋ ଜାରି କରିଛି ପୁରୀ ପୁଲିସ । ବହୁଚର୍ଚ୍ଚିତ ଏହି ହତ୍ୟା ଘଟଣାରେ ଅଦ୍ୟାବଧି ମୃତକଙ୍କୁ ଚିହ୍ନଟ କରି ପାରିନାହିଁ । ତେବେ ପ୍ରଥମେ ମୃତକଙ୍କ ପରିଚୟ ସଂଗ୍ରହ କରି ହତ୍ୟାକରୀମାନଙ୍କ ନିକଟରେ ପହଞ୍ଚିବା ଲାଗି ପୁଲିସ ତାର ଉଦ୍ୟମ ଜାରି ରଖିଛି । ଅତ୍ୟାଧୁନିକ କମ୍ପୁ୍ୟଟାରାଇଜ୍ ପ୍ରଣାଳୀରେ ପୁଲିସ ମୃତ ବ୍ୟକ୍ତିର ଛ’ଟି ଫଟୋ ଜାରି କରିଛି ।
ଫଟୋ ଜାରି କରାଯିବା ପରେ ମୃତକଙ୍କ ସମ୍ପର୍କରେ ସୂଚନା ମିଳିବ ଏବଂ ଅଭିଯୁକ୍ତମାନଙ୍କୁ ସହଜରେ ଠାବ କରାଯାଇ ପାରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ପ୍ରକାଶ ଯେ ଗତ ୨୦୧୪ ଡିସେମ୍ବର ୧୦ତାରିଖରେ ନରେନ୍ଦ୍ର ପୁଷ୍କରିଣୀରୁ ୨ଟି ଟିଣ ବାକ୍ସରେ ଥିବା ଜଣେ ବ୍ୟକ୍ତିର ଖଣ୍ଡ ବିଖଣ୍ଡିତ ଶବ କୁମ୍ଭାରପଡା ପୁଲିସ ଉଦ୍ଧାର କରିଥିଲା । ଗୋଟିଏ ବାକ୍ସରେ ସମ୍ପୃକ୍ତ ବ୍ୟକ୍ତିଙ୍କର କଟା ମୁଣ୍ଡ ସହିତ ଶରୀରର କିଛି ଅଂଶ ଏବଂ ଅନ୍ୟ ଏକ ବାକ୍ସରେ ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଶରୀରର ଅବଶିଷ୍ଟ ଅଂଶ ରହିଥିବା ଦେଖାଯାଇଥିଲା ।
ମୃତକଙ୍କ ବୟସ ୪୦ରୁ ୫୦ବର୍ଷ ଓ ଉଚ୍ଚତା ୧୮୨ ସେଣ୍ଟିମିଟର ହେବ ବୋଲି ପୁଲିସ ଅନୁମାନ କରିଥିଲେ ମଧ୍ୟ ମୃତଦେହ ସମ୍ପୂର୍ଣ୍ଣ ବିକୃତ ହୋଇଯାଇଥିବାରୁ ତାଙ୍କ ପରିଚୟ ପାଇପାରିନଥିଲା । ପୁଲିସ ଏହି ଘଟଣାରେ କୁମ୍ଭାରପଡା ଥାନାରେ ଭାରତୀୟ ଦଣ୍ଡବିଧି ଆଇନ୍ର ୩୦୨ ଓ ୨୦୧ ଦଫାରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା । ବିଳମ୍ବରେ ହେଲେ ମଧ୍ୟ ମୃତଙ୍କର ପରିଚୟ ଜାଣିବା ପାଇଁ ପୁଲିସ ଫଟୋ ଜାରି କରିବା ପରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି ।