Odisha news

ଠାକୁରମୁଣ୍ଡାରେ ଆଞ୍ଚଳିକ ବୈଦ୍ୟ ସମ୍ମିଳନୀ

0

ଠାକୁରମୁଣ୍ଡା -24/12  ଠାକୁରମୁଣ୍ଡା ବ୍ଲକର ବୈଦ୍ୟ ମାନଙ୍କୁ ନେଇ ପାରମ୍ପରିକ ବୈଦ୍ୟ ସମ୍ମିଳନୀ 24 ତାରିଖରେ ଠାକୁରମୁଣ୍ଡାରେ ଅନୁଷ୍ଠିତ ହୋଇଯାଇଛି l ଆରସିଡିସି ସହାୟତାରେ ଆରଆରଡିଓ ଦ୍ୱାରା ଆୟୋଜିତ ଏହି ପାରମ୍ପରିକ ବୈଦ୍ୟ ସମ୍ମିଳନୀରେ 40 ରୁ ଉର୍ଦ୍ଧ ବୈଦ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ l ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ଚଳୁଥିବା ବନବାସୀ ମାନଙ୍କର ଚାହିଦା ମୁତାବକ ବନୌଷଧି ମିଳିପାରୁନଥିବାରୁ ବୈଦ୍ୟମାନେ ଉଦବେଗ ପ୍ରକାଶ କରିଥିଲେ l ପ୍ରାକୃତିକ ଜଙ୍ଗଲରେ ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ପୁନର୍ଜନନ ଓ ଆବଶ୍ୟକ ସୁରକ୍ଷା ପାଇଁ ବୈଦ୍ୟମାନେ ନିଜ ନିଜ ଅଞ୍ଚଳରେ ସଚେତନତା ବୃଦ୍ଧି ନିମିତ୍ତ ଆଲୋଚନା କରିଥିଲେ l ନିଜ ବାଡ଼ି ବଗିଚାରେ ଔଷଧୀୟ ଉଦ୍ୟାନ ସୃଷ୍ଟି ପାଇଁ ସରକାରୀ ସହାୟତା କିପରି ମିକିପାରିବ ସେ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା l ହଜି ଯାଉଥିବା ଜ୍ଞାନର ଦଲିଲ କରଣ, ଔଷଧୀୟ ବୃକ୍ଷରୁ ଚିରସ୍ଥାୟୀ ଅମଳ, ସଠିକ ଉପଯୋଗ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା l

ସମ୍ମାନିତ ଅତିଥି ଭାବେ ଭାଲିଆଡାଳ ସରପଞ୍ଚ ଜାହ୍ନବୀ ସଏ ଯୋଗଦେଇ ନିଜ ପଞ୍ଚାୟତରେ ଔଷଧୀୟ ଉଦ୍ୟାନ ପାଇଁ ବୈଦ୍ୟ କିମ୍ବା ଅନୁଷ୍ଠାନ ଆଗ୍ରହ ପ୍ରକାଶ କଲେ ସହଯୋଗ କରିବାକୁ ସୂଚନା ଦେଇଥିଲେ l ଠାକୁରମୁଣ୍ଡା ଅଞ୍ଚଳରେ କେଉଁ ବୈଦ୍ୟ କେଉଁ ଚିକିତ୍ସା ପାଇଁ ବିଶାରଦ ତା ଉପରେ ଭାବ ବିନିମୟ ହୋଇଥିଲା l ରୋଗୀଙ୍କୁ ସମ୍ପୃକ୍ତ ବିଶାରଦ ପାଖକୁ ପଠାଇବା ପାଇଁ ପରସ୍ପର ମତ ଦେଇଥିଲେ l ଆରସିଡିସି କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ସେଠି ଯୋଗଦେଇ ପାରମ୍ପରିକ ଚିକିତ୍ସାକୁ ଲୋକପ୍ରିୟ କରିବା ସହିତ ଯୁବ ପିଢ଼ି ଓ ମହିଳା ମାନଙ୍କୁ ତାଲିମ ଦେଇ ନୂଆ ବୈଦ୍ୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ l ଆରଆରଡିଓ ସମ୍ପାଦକ ଶରତ ତ୍ରିପାଠୀ ବୈଦ୍ୟମାନେ ନିଜ ଚିକିତ୍ସା ଉପରେ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ଉଦ୍ୟମ କରିବା, ନିଜ ଅଞ୍ଚଳରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ସହିତ ଔଷଧୀୟ ବୃକ୍ଷରାଜି ର ସୁରକ୍ଷା ପାଇଁ ଗୁରୁତ୍ୱ ଦେଇଥିଲେ l ଠାକୁରମୁଣ୍ଡା ଅଂଚଳର ଜଣାଶୁଣା ବୈଦ୍ୟ ଗିରିଶ ଚନ୍ଦ୍ର ମହାନ୍ତଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ ଆଗାମୀ 31 ତାରିଖରେ ପୁନର୍ବାର ବୈଦ୍ୟ ମାନେ ବିସ୍ତୃତ ଆଲୋଚନା ପାଇଁ ଏକ ବୈଠକରେ ଏକତ୍ରିତ ହେବାକୁ ନିଷ୍ପତ୍ତି ନେଇଥିଲେ l ନିୟମିତ ବ୍ୟବଧାନରେ ବୈଠକ ପାଇଁ ସହଯୋଗ, ତାଲିମ, ପ୍ରଚାର, ପ୍ରସାର, ବିଭିନ୍ନ ସ୍ଥାନକୁ ଜ୍ଞାନବର୍ଦ୍ଧକ ଭ୍ରମଣ ନିମିତ୍ତ ସହାୟତା ପାଇଁ ସହଯୋଗ କରିବା ପାଇଁ ଆରସିଡିସିକୁ ବୈଦ୍ୟ ମାନେ ନିବେଦନ କରିଥିଲେ l ସ୍ବେଛାସେବୀ ନୀତିମା ସିଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

IEC 2 years
Leave A Reply