ଠାକୁରମୁଣ୍ଡା ବ୍ଲକ ଖଣ୍ଡବନ୍ଧ ଜଙ୍ଗଲ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଗତ ୧୯ ତାରିଖରେ ପୋଲିସ ଉଦ୍ଧାର କରିଥିଲା। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ତେଣୁ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ପ୍ରତକ୍ଷ୍ୟ ନେତୃତ୍ୱରେ ଏହାର ତଦନ୍ତ କରାଯାଇଥିଲା। ତେଣୁ ପ୍ରଥମ କାର୍ଯ୍ୟ ଭାବେ ନିକଟସ୍ଥ ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୁବତୀଙ୍କ ଫଟୋ ଲଗାଯାଇଥିଲା।
ଫଳରେ ଯୁବତୀଙ୍କ ଫଟୋକୁ ଆଧାର କରି ସେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବଡଗମ୍ଭାରିଆ ଗାଁର ବୋଲି ଜଣାପଡିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଯୁବତୀଙ୍କ କେନ୍ଦୁଝର ଜିଲ୍ଲା ପାଟଣାର ତପନ ଓରଫ୍ କୁଲୁ ମହାରଣାଙ୍କ ସହ ପ୍ରେମ ଜନିତ ସମ୍ପର୍କ ଥିଲା। ଏହା ଦିନକୁ ଦିନ ନିବିଡ଼ ହେବା ପରେ ଯୁବତୀ ଜଣକ ବିବାହ ପାଇଁ ଯୋର କରିଥିଲା। ମାତ୍ର କୁଲୁ ବିବାହିତ ହୋଇଥିବାରୁ ବିବାହ ପାଇଁ ରାଜି ହୋଇନଥିଲା। ମାତ୍ର ଯୁବତୀର ଜୋର୍ ଯୋଗୁଁ ବାଧ୍ୟ ହୋଇ କୁଲୁ ଘରୁ ଫେରାର ହେବାପାଇଁ ଗତ ୧୮ ତାରିଖ ରେ ଘରୁ ପଳାଇଥିଲେ।
ରାସ୍ତାରେ ଖଣ୍ଡବନ୍ଧ ଜଙ୍ଗଲ ନିକଟରେ ଷ୍ଟଲ୍ ଯୋଗେ ଯୁବତୀକୁ ଗଳା ଚାପି ହତ୍ୟା କରିଥିଲା ବୋଲି ସୂଚନା ପ୍ରଦାନ କରିଛନ୍ତି।ଆସାମୀ କୁଲୁ ମହାରଣା ଓରଫ୍ ତପନକୁ ଗତ ୨୨ ତାରିଖରେ ଗିରଫ କରାଯାଇଥିଲା। ଆଜି ତାହାକୁ କୋର୍ଟ ଫରୱଡ କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ।