Odisha news

ଭୀମକୁଣ୍ଡ ସ୍ବତୀ ଘାଟରେ ଦାମୋଦର ମେଳା,୧୬୧୩ ଅସ୍ଥି ବିସର୍ଜନ

0
ଠାକୁରମୁଣ୍ଡା ତା ୨୦/୦୧ :  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ନିକଟ ବୈତରଣୀ ନଦୀ ର ସ୍ବତୀ ଘାଟରେ ସାନ୍ତାଳ ସମ୍ପ୍ରଦାୟର ଅସ୍ଥି ବିସର୍ଜନ ବା ଦାମୋଦର ମେଳା ଗୁରବାର ଦିନ ଅନୁଷ୍ଠିତ ହୋଇଯାଇଛି।ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର,ବାଲେଶ୍ଵର ଜିଲ୍ଲା ସମେତ ଝାଡ଼ଖଣ୍ଡ ରାଜ୍ୟରୁ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।ସ୍ଥାନୀୟ ମରାଙ୍ଗ ବୁରୁ ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଏହି ଦାମୋଦର ମେଳା ଆୟଜନ କରିଥାଏ।
           ପ୍ରକାଶ ଯେ ସାନ୍ତାଳ ସମ୍ପ୍ରଦାୟର ପ୍ରଥା ଅନୁଯାୟୀ ପରିବାର ରେ ମୃତ ବ୍ୟକ୍ତିଙ୍କ ଅସ୍ଥି କୁ ପବିତ୍ର ନଦୀ ରେ ବିସର୍ଜନ କରିବାକୁ ହୋଇଥାଏ।ଏଣୁ ଅସ୍ଥି ବିସର୍ଜନ ପାଇଁ ସମ୍ପ୍ରଦାୟ ପକ୍ଷରୁ ପ୍ରତି ବର୍ଷ ଜାନୁଆରୀ ମାସ ୨୦ ତାରିଖ ରେ ସ୍ବତୀ ଘାଟରେ ବିସର୍ଜନ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।ମୃତକ ଙ୍କ ପରିବାର ପକ୍ଷରୁ ଅସ୍ଥି କୁ ଘର ବାହାରେ ପୋତା ଯାଇ ରଖା ଯାଇଥାଏ।ଅସ୍ଥି ବିସର୍ଜନ ଧାର୍ଯ୍ୟ ଦିନ ର ଗୋଟିଏ ଦିନ ପୂର୍ବରୁ ଅସ୍ଥି କୁ ବାହାର କରାଯାଇଥାଏ।ଅସ୍ଥି ବିସର୍ଜନ ଦିନ ପରିବାର ଲୋକ ଓ ବନ୍ଧୁବାନ୍ଧବ ଙ୍କୁ ନେଇ ପରିବାର ଲୋକେ ଆସିଥାନ୍ତି।ପାରମ୍ପରିକ ବେଶ ରେ ଆସି ପବିତ୍ର ବୈତରଣୀ କୂଳ ରେ ପୂଜାର୍ଚ୍ଚନା କରି ଅସ୍ଥି କୁ ବିସର୍ଜନ କରିଦେଇଥାନ୍ତି।ଅସ୍ଥି ବିସର୍ଜନ ପରେ ସ୍ବତୀ ଘାଟ କୂଳରେ ଥିବା ମରାଙ୍ଗ ବୁରୁ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରି ସାରି ଘରକୁ ଫେରି ଯାଇଥାନ୍ତି।ଚଳିତ ବର୍ଷ ମୋଟ ୧୬୧୩ ଅସ୍ଥି ବିସର୍ଜନ ନେଇ ମେଳା ର ଆୟୋଜକ ମାରାଙ୍ଗ ବୁରୁ ଆସୋସିଏସନ ପକ୍ଷରୁ ସୂଚନା ଦୁଆଯାଇଛି।ମେଳା ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଠାକୁରମୁଣ୍ଡା ଥାନା ଆଇଆଇସି ପ୍ରମୋଦା ନାୟକ ଙ୍କ ନେତୃତ୍ୱରେ ପୋଲିସ ଟିମ ଉପସ୍ଥିତ ଥିଲେ।ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ମଧ୍ୟ ଉପସ୍ଥିତ ଥିଲେ।କମିଟିର ସଭାପତି ଦଶରଥ ସରେନ,ସମ୍ପାଦକ ଭାଗିରଥି ଟୁଡୁ, ବସନ୍ତ ସରେନ,ଭୀମସେନ ଟୁଡୁ,ବିଜୟ ଟୁଡୁ,ସଂଜୟ ମାଝୀ, ନିମାଇଁ ହେମ୍ବ୍ରମ,ଲଲମୋହନ ମାଝୀ, ବିଜୟ ଟୁଡୁ ପ୍ରମୁଖ କର୍ମକର୍ତ୍ତା ମାନେ ମେଳା ରେ ସହଯୋଗ କରିଥିଲେ।।
Leave A Reply

Your email address will not be published.