Odisha news

ତୃଣମୂଳ ସ୍ତରୀୟ ମହିଳା ନେତୃତ୍ୱ ତାଲିମ

ଠାକୁରମୁଣ୍ଡା – 18/2 ( ସମୟ ବ୍ୟରୋ) ନାବାର୍ଡ ସହାୟତାରେ ଠାକୁରମୁଣ୍ଡା ବ୍ଲକରେ ଦିନିକିଆ ତୃଣମୂଳ ସ୍ତରୀୟ ମହିଳା ନେତୃତ୍ୱ ତାଲିମ କାର୍ଯ୍ୟକ୍ରମ 18 ତାରିଖରେ ଅନୁଷ୍ଠିତ ହୋଇଯାଇଛି l ଆରଆରଡିଓ ଦ୍ୱାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ ଯୋଗ ଦେଇ ଦୁର୍ବଳ ନେତୃତ୍ୱ ଓ ଇଚ୍ଛାଶକ୍ତି ଅଭାବରୁ ଏସଏଚଜି ଗୁଡିକ ଆଗକୁ ଯାଇ ପାରୁନାହାନ୍ତି ବୋଲି ସେ ମତ ରଖିଥିଲେ l ଏଣୁ ଗୋଷ୍ଠୀକୁ ଗୋଟିଏ ମତରେ ବାନ୍ଧି ରଖି ନିଦ୍ଧିଷ୍ଟ କାର୍ଯ୍ୟକ୍ରମ ହାତକୁ ନେବାକୁ ସେ ପରାମର୍ଶ ଦେଇଥିଲେ l ମହିଳା ମାନେ ଗୋଷ୍ଠୀଗତ ଭାବେ କାର୍ଯ୍ୟକ୍ରମ ଆରମ୍ଭ କଲେ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ l ସ୍ବେଛାସେବୀ ସଂଗଠନ ଗୁଡିକ ମହିଳା ନେତୃତ୍ୱ ଓ ଦକ୍ଷତା ବୃଦ୍ଧି ଦିଗରେ ନିରନ୍ତର ସହାୟତା କରିବାକୁ ପରାମର୍ଶ ଦେଇଥିଲେ l ନାବାର୍ଡ ଆଦିବାସୀ ଅଧ୍ୟୁଷିତ ଠାକୁରମୁଣ୍ଡା ବ୍ଲକରେ ଜୀବିକା ବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ନେଉଥିବାରୁ ସେ କୃତଜ୍ଞତା ଜଣାଇଥିଲେ l
ତାଲିମ ଶିବିରରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ବୀରେନ୍ଦ୍ର କୁମାର ଦାସ, ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳକ ଇନ୍ଦ୍ରାୟ ଶୋହନ ସିଂ ଯୋଗ ଦେଇ ଏସଏଚଜି ପାଇଁ ଥିବା ସୁବିଧା ଆଲୋଚନା କରିଥିଲେ l ଜମା, ଦେଣ, ନେଣ, ଋଣ, ବୀମା ଆଦି ସୁବିଧା ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ l ବିଶେଷକରି ବ୍ୟାଙ୍କ ନାମରେ ଫୋନ କରି ଠକେଇ କିପରି ହେଉଛି ଏବଂ ସେଥିରୁ କିପରି ମୁକ୍ତି ମିଳିବ ସେ ନେଇ ସଚେତନ କରିଥିଲେ l ଓଡିଶା ଜୀବିକା ମିଶନ ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ରମଣୀ ରଞ୍ଜନ ଓଝା ଯୋଗ ଦେଇ ସରକାରଙ୍କ ଯୋଜନା ଏବଂ ତାର ସୁବିଧା ନେବାକୁ ପରାମର୍ଶ ଦେଇଥିଲେ l ମିଶନ ଶକ୍ତି ଅଧିକାରିଣୀ ସାବିତ୍ରୀମଣି ଦଳେଇ ଓ ଜୈନ ସେଠୀ ଯୋଗ ଦେଇ ମହିଳା ମାନେ ନିଜ ସଂଚୟକୁ ଠିକ ବାଟରେ ଉପଯୋଗ କରିବାକୁ ନିଜ ବକ୍ତବ୍ୟରେ କହିଥିଲେ l ସେଣ୍ଟ୍ରାଲ ସୀଲକ ବୋର୍ଡ ପ୍ରଶିକ୍ଷକ ରବୀନ୍ଦ୍ରନାଥ ମିଶ୍ର ରେଶମ କିପରି ପରିବାରକୁ ରୋଜଗାର ଦେଉଛି ଏବଂ ଆତ୍ମ ନିର୍ଭର ପାଇଁ ବାଟ ଦେଖାଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ l ସମ୍ପାଦକ ଶରତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ନିର୍ଦେଶକ ମନୋଜ କୁମାର ଜେନା ଧନ୍ୟବାଦ ଦେଇଥିଲେ l ନମିତା ରାଉତ, ପଦ୍ମିନୀ ମହାନ୍ତ, ପୁଷ୍ପଲତା ସେଠୀ ଏବଂ ଅପର୍ଣ୍ଣା ମାହା ପ୍ରମୁଖ ତାଲିମ ଆୟୋଜନରେ ସହଯୋଗ କରିଥିଲେ l।
2 Attachments

Comments are closed.