ଠାକୁରମୁଣ୍ଡା – 14/1 : ଠାକୁରମୁଣ୍ଡା ଗତ 15 ବର୍ଷ ଧରି ପାଳିତ ହୋଇ ଆସୁଥିବା ଭୀମକୁଣ୍ଡ ମହୋତ୍ସବ ର ପରମ୍ପରା ଭାଙ୍ଗିଛି ବନ ବିଭାଗ ଓ ପ୍ରଶାସନ l ଥରଟେ ମିଟିଂ ହେଲା ନାହିଁ କିମ୍ବା ମହୋତ୍ସବ ହେବ କି ନାହିଁ ପ୍ରଶାସନ ଘୋଷଣା କଲା ନାହିଁ l କରୋନା କଟକଣା ଆଳରେ ଭୁଲିଗଲେ ଦୀର୍ଘ ବର୍ଷର ପରମ୍ପରା l
ପୁର୍ବରୁ ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ବ୍ଲକ ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ /୩ ଦିନ ଧରି କାର୍ଯ୍ୟକ୍ରମ କରି ଆସୁଥିଲେ l ଭୀମକୁଣ୍ଡକୁ ପରିଚୟ ଦେବା, ପଯ୍ୟଟନର ବିକାଶ ପାଇଁ ମୟୁରଭଞ୍ଜର ଲୋକପ୍ରିୟ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଉଦ୍ୟମ ଆରମ୍ଭ କରିଥିଲେ l ଭୀମକୁଣ୍ଡକୁ ଆକର୍ଷଣୀୟ କରି ଗଢିତୋଳିବା ପାଇଁ ପାଣ୍ଠି ଯୋଗାଇ ଦେଇଥିଲେ l ବୈତରଣୀ ନଦୀର ଭୀମକୁଣ୍ଡ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆସୁଥିବାରୁ କରଞ୍ଜିଆ ବନଖଣ୍ଡକୁ ପାଣ୍ଠି ହସ୍ତାନ୍ତର କରିଥିଲେ ଜିଲ୍ଲାପାଳ l ଉଦଳା ନିକଟସ୍ଥ ଦେବକୁଣ୍ଡ ଢାଞ୍ଚାରେ ଗଢି ତୋଳିବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ l ଭୀମକୁଣ୍ଡ ଅବସ୍ଥିତ ରାଜସ୍ବ ଗ୍ରାମ ବୋରିଂ ରେ ବନ ବିଭାଗ ଗଢିଲା ବନ ସୁରକ୍ଷା ସମିତି l ବନ ସୁରକ୍ଷା ସମିତିକୁ ହାତ ଧରି ସାମର୍ଥ୍ୟ ବଢ଼ାଇବାକୁ ୨ ବର୍ଷ ପାଇଁ ଗୋଟିଏ ଅଭିଜ୍ଞ ସ୍ବେଛାସେବୀ ସଂଗଠନକୁ ଦାୟିତ୍ୱ ଦେଲେ l
2015 ପୁର୍ବରୁ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ନେଇ ଉତ୍ସବ କରାଉ ଥିବାବେଳେ 2015 ଠାରୁ ବନ ବିଭାଗ ଓ ପ୍ରଶାସନର ମିଳିତ ଉଦ୍ୟମ ଏବଂ ସ୍ଥାନୀୟ ବନ ସୁରକ୍ଷା ସମିତି ଓ ମହୋତ୍ସବ କମିଟିକୁ ନେଇ ଖୁବ ଆକର୍ଷଣୀୟ ଭାବେ ପାଳିତ ହୋଇ ଆସୁଥିଲା ଭୀମକୁଣ୍ଡ ମହୋତ୍ସବ l ପ୍ରତି ବର୍ଷ ମହୋତ୍ସବର ମୁଖପତ୍ରଟିଏ ମଧ୍ୟ ଆତ୍ମ ପ୍ରକାଶ କରୁଥିଲା l
2020 ବେଳକୁ କିନ୍ତୁ ବଦଳି ଯାଇଥିଲା ଚିତ୍ର l ନୂଆ ଉପଜିଲ୍ଲାପାଳ, ନୂଆ ଡ଼ିଏଫଓ ଅଛନ୍ତି l ନୂଆ ଲୋକ ଗୋଟିଏ ଅଂଚଳର ପରମ୍ପରାକୁ ଜାଣି ପାରିଲେନି ନା ତାଙ୍କର ସ୍ଥାନୀୟ ଅଂଚଳର ସ୍ୱାଭିମାନ ପ୍ରତି ସମ୍ମାନ ନାହିଁ ତାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ l ଅଧିକାରୀ ନୂଆ କିନ୍ତ କାର୍ଯ୍ୟାଳୟ ଓ କର୍ମଚାରୀ ପୁରୁଣା l କେମିତି ଜାଣି ପାରିଲେ ନାହିଁ ଅଧିକାରୀ ମାନେ l ଗୋଟିଏ ଅଂଚଳର ସ୍ୱାଭିମାନ ପ୍ରତି ଏହା କୁଠାରଘାତ ବୋଲି ଏବେ ଚର୍ଚ୍ଚା ହେଉଛି l ସାଧାରଣ ଲୋକଙ୍କ ପ୍ରତି ବନ ବିଭାଗ ଅଧିକାରୀଙ୍କ ଆଚରଣ ନେଇ ଜନମତ ଦାନା ବାନ୍ଧୁଛି ବୋଲି ଆଲୋଚନା ହେଉଛି l
ଅନ୍ୟ ପକ୍ଷରେ କରୋନା ପାଇଁ ପ୍ରଶାସନ କୌଣସି କଟକଣା ଲଗାଇ ଥିବା ଦେଖିବାକୁ ମିଳିନାହିଁ l ଲୋକେ ସ୍ୱାଭାବିକ ଭାବେ ପୁଣ୍ୟ ବୈତରଣୀର ଗୁପ୍ତ ଗଙ୍ଗା ନାମରେ ପରିଚିତ ଭୀମକୁଣ୍ଡରେ ବୁଡ ଦେଇ କୁଣ୍ଡେଶ୍ୱର ମହାଦେବଙ୍କୁ ଦର୍ଶନ କରିଛନ୍ତି l ଅପରାହ୍ନରେ ମହୋତ୍ସବ ହେଉଥିବ ଭାବି ହଜାର ହଜାର ଜନସାଧାରଣ ଭୀମକୁଣ୍ଡ ଆସି ନିରାଶ ହୋଇ ଫେରିଛନ୍ତି l ବରଂ ପୋଲିସ ନୟାନ୍ତ ହୋଇ ଭିଡ଼ ନିୟନ୍ତ୍ରଣ କରି ଶାନ୍ତି ଶୃଙ୍ଖଳା ରକ୍ଷା କରି ପ୍ରଶଂସା ଭାଜନ ହୋଇଛି l ତେବେ ଆଗକୁ ଏ ଘଟଣା କେଉଁ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା l।
