ଦକ୍ଷିଣ କଶ୍ମୀରର ପୁଲ୍ୱାମା ଜିଲ୍ଲାରେ ମୁଜାହିଦ୍ଦିନ୍ ଆତଙ୍କବାଦୀ ରିୟାଜ୍ ନାଇକୁ ନିରାପତ୍ତା ବଳଙ୍କ ସହ ଏନ୍କାଉଣ୍ଟର୍ରେ ନିହତ
ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍ୱାମା ଜିଲ୍ଲାରେ ଶୀର୍ଷସ୍ତରୀୟ ମୁଜାହିଦ୍ଦିନ୍ ଆତଙ୍କବାଦୀ ରିୟାଜ୍ ନାଇକୁ ନିରାପତ୍ତା ବଳଙ୍କ ସହ ଏନ୍କାଉଣ୍ଟର୍ରେ ନିହତ ହୋଇଥିବା କଥା ବୁଧବାର ଦିନ ଜଣେ ବରିଷ୍ଠ ନିରାପତ୍ତା ଅଧିକାରୀ କହିଛନ୍ତି।
ବେଇଗ୍ପୋରା ଗୁଲ୍ଜାପୋରା ଅଞ୍ଚଳରେ ଆତ୍ମଗୋପନ କରିଥିବା ହିଜ୍ବ୍-ଉଲ୍-ମୁଜାହିଦ୍ଦିନ୍ କମାଣ୍ଡର୍ ରିୟାଜ୍ ନାଇକୁଙ୍କୁ ଧରିବାକୁ ମଙ୍ଗବାର ରାତିରୁ ତଲାସ ଅଭିଯାନ ଚାଲିଥିଲା।
ଗୁଲ୍ଜାପୋରା ଗାଁ ହେଉଛି ହିଜ୍ବୁଲ୍ର କାର୍ଯ୍ୟନିର୍ବାହୀ ମୁଖ୍ୟ ରିୟାଜ୍ ନାଇକୁର ଜନ୍ମମାଟି। ଆଠ ବର୍ଷ ହେବ ଫେରାର ଥିବା ରିୟାଜ୍ ଥିଲା କଶ୍ମୀର ଉପତ୍ୟକାର ସବୁଠୁ ବରିଷ୍ଠ ସକ୍ରିୟ କମାଣ୍ଡର୍। କୁଖ୍ୟାତ ଆତଙ୍କବାଦୀ ରିୟାଜ ନାଇକୁ ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
ଆଜି ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ବେଇଗ୍ପୋରା ଗ୍ରାମରେ ନିରାପତ୍ତା ବଳଙ୍କ କର୍ଡନ୍ ଘେରରେ ହିଜ୍ବ୍-ଉଲ୍-ମୁଜାହିଦ୍ଦିନ୍ କମାଣ୍ଡର୍ ରିୟାଜ୍ ନାଇକୁ ଅଟକି ରହିଥିଲା।
ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ନିରାପତ୍ତା ବଳ ଦକ୍ଷିଣ କଶ୍ମୀରର ପୁଲ୍ୱାମା ଜିଲ୍ଲାରେ ଅନ୍ୟ ଦୁଇଟି ତଲାସ ଅଭିଯାନ ଚଳାଇ ଆଜି ସକାଳେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ରିୟାଜ ନାୟିକୁ ଧରିବାକୁ ଚାଲିଥିବା ଅଭିଯାନଟି ଥିଲା ତୃତୀୟ ଅଭିଯାନ।
ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦେଶକ ଦିଲ୍ବାଗ ସିଂହ ଏହି ଅଭିଯାନର ପର୍ଯ୍ୟବେକ୍ଷଣ କରୁଛନ୍ତି।