ତେଲକୋଇ-ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ମୂଖ୍ୟାଳୟ ରେ ଜଣେ ବ୍ୟକ୍ତି ଅପମିଶ୍ରିତ ବିଷାକ୍ତ ମହୁଲି ମଦ ପିଇ ଗୁରୁତର ହୋଇଛନ୍ତି।ଗୁରୁତର ଜଣକ ହେଲେ ଚୌଧୁରୀ ବେହେରା( ୫୦)।ସୂଚନା ଅନୁଯାୟୀ ସେ ଗତ କାଲି ଶନିବାର ରାତି ଗ୍ରାମରେ ମିଳୁଥିବା ଅପମିଶ୍ରିତ ମହୁଲି ମଦ ପିଇ ଘରେ ଆସି ଶୋଇଥିଲେ।ସକାଳ ଉଠିବାର ବିଳମ୍ବ ହେବାରୁ ଘର ଲୋକେ ଉଠାଇଥିଲେ । କିନ୍ତୁ ସେ ଉଠି ନଥିଲେ।ସେ ଅଚେତ ହୋଇପଡ଼ିଥିବା ଦେଖି ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଚୌଧୁରୀ ଙ୍କ ପୁଅ ରମାକାନ୍ତ ବେହେରା ବାପା ବିଷାକ୍ତ ମହୁଲୀ ମଦ ପି ଏଭଳି ଅବସ୍ଥା ହୋଇଥିବା ଥାନା ରେ ଲିଖିତ ଭାବେ ଜଣାଇଛନ୍ତି।
ତେବେ ଗ୍ରାମରେ ବିକ୍ରୟ କରୁଥିବା ବେଆଇନ ଅପମିଶ୍ରିତ ତଥା ବିଷାକ୍ତ ମହୁଲି ମଦ କୁ ଯଥା ଶୀଘ୍ର ବନ୍ଦ କରିବା ପାଇଁ ନାଏବ ସରପଞ୍ଚ ପ୍ରମିଳା ବେହେରା ଙ୍କ ସମେତ ବିଭିନ୍ନ ୱାର୍ଡ ର ୱାର୍ଡ ସଭ୍ୟମାନେ ଦୃଢ ଦାବୀ କରିଛନ୍ତି।ଏହାକୁ ବନ୍ଦ ନକଲେ ଆଗାମୀ ଦିନରେ ଗ୍ରାମରେ ଅନ୍ୟ ଲୋକମାନେ ଏଭଳି ଅବସ୍ଥାରେ ଶିକାର ହୋଇ ପାରନ୍ତି ବୋଲି ଅଭିଯୋଗ ରେ ଦର୍ଶାଯାଇଛି।ସୂଚନାଯୋଗ୍ଯ ଯେ ତେଲକୋଇ ଅଞ୍ଚଳରେ ବହୁ ଗ୍ରାମରେ ଏପରି ବେଆଇନ ମହୁଲି ମଦ ବିକ୍ରି କରାଯାଉଛି ।ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ବେଆଇନ୍ ମହୁଲୀ ମଦ ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବା ପରିଲକ୍ଷିତ ହୋଇଛି।
