ତେଲକୋଇ ୨୭/୮- ତେଲକୋଇ ବ୍ଲକ ଏକ ପାହାଡ ପର୍ବତ ଘେରା ଅଞ୍ଚଳ। ଏହି ଅଞ୍ଚଳ ରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବ୍ଲକ ରେ ୨୧୫ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ବ୍ଲକ ର ୨୨ ଟି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଘର ଭାଙ୍ଗିବା ସହିତ କାନ୍ଥ ଭୁଷୁଡିବା ଚିତ୍ର ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ବୁଧବାର ବିଭିନ୍ନ ଛୋଟ ବଡ ନଦୀ ନାଳ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ପୋଲ ଉପରେ ମାତ୍ରାଧିକ ବଢି ପାଣି ଚାଲିଥିବାରୁ ବ୍ଲକ ମୂଖ୍ୟାଳୟ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା।
ସେହିପରି ଶତାଧିକ ସଂଖ୍ୟାରେ ଚାଳ ଘର ଭାଙ୍ଗିବା ସହିତ କାନ୍ଥ ଭୁଷୁଡି ପଡିବାରୁ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି। ସେହିପରି କାନ୍ଥ ଭୁଷୁଡି ତେଲକୋଇ ର ପଦ୍ମା ଧୀବର (୪୮) ହାତ ଭାଙ୍ଗି ଗୁରୁତ୍ଵର ହୋଇ ପଡିଥିବା ବେଳେ କାଳିଆହତା ପଞ୍ଚାୟତ ର ଗଳଦା ଗ୍ରାମ ର ଭାରତୀ ନାୟକ (୨୮) ଓ ୬ ମାସ ର ଶିଶୁ କନ୍ୟା ଆହତ ହୋଇଛନ୍ତି। ଗୁରୁତର ପଦ୍ମା ଙ୍କୁ ଜିଲ୍ଲା ସ୍ବାସ୍ଥ୍ଯକେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିବା ବେଳେ ଆହତ ମା ଓ ଶିଶୁ କନ୍ୟା କୁ ତେଲକୋଇ ସ୍ବାସ୍ଥ୍ଯକେନ୍ଦ୍ର ରେ ଚିକିତ୍ସା କରାଯାଉଛି। ବ୍ଲକ ରେ ଶତାଧିକ ସଂଖ୍ୟାରେ ଘର ଭାଙ୍ଗିଥିବା ଯୋଗୁଁ ସ୍ଥାନୀୟ ତହସିଲଦାର ଅଶ୍ବିନୀ କୁମାର ନାଏକ ବିଭିନ୍ନ ପ୍ରଭାବିତ ଅଞ୍ଚଳ କୁ ଯାଇ ସରଜମିନ ତଦନ୍ତ କରି ତୁରନ୍ତ କ୍ଷତିଗ୍ରସ୍ତ ଙ୍କୁ ତାରପୋଲିନ ଯୋଗାଇ ଦେଇଥିଲେ।
