Odisha news

ଶିକ୍ଷା ପରିବର୍ତ୍ତନର ଚାବିକାଠି

ହିମାଂଶୁ ଶେଖର ଆଚାର୍ଯ୍ୟ : ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୧୧ତାରିଖ ଗୁରୁବାର ଭିଡିଓ କନଫରେନ୍ସିଂ ଯୋଗେ ହିଞ୍ଜିଳି ପୈାରପରିଷଦ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ କହିଛନ୍ତି ଯେ, ‘ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି । ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ’ । ବିଶେଷ କରି ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଶିକ୍ଷାର ଗତି ଓ ପ୍ରଗତି ଉପରେ ଦେଶର ବିକାଶ ନିର୍ଭରଶୀଳ । ଏଥିପାଇଁ ୧୯୫୦ ମସିହାରେ ଭାରତର ସମ୍ବିଧାନ ପ୍ରଣୟନ ହେବା ସମୟରେ ଦେଶର ସମସ୍ତ ଶିଶୁଙ୍କୁ ନ୍ୟାୟସଙ୍ଗତ ଓ ସମାନ ଧରଣର ଶିକ୍ଷା ଯୋଗାଇ ଦେବା ରାଷ୍ଟ୍ରର ଦାୟିତ୍ୱ ବୋଲି ଉଲ୍ଲେଖ କରାଯାଇଥିଲା । ସ୍ୱଧୀନତାର ୭୪ ବର୍ଷ ପରେ ବି ଏହି ଲକ୍ଷ୍ୟ ପୂରଣ ହୋଇପାରିନି । ଏଣିକି ଦେଶର କୌଣସି ଶିଶୁ ନିରକ୍ଷର ରହିବେ ନାହିଁ ବୋଲି ଗତ ୨୦୧୦ ଏପ୍ରିଲ ପହିଲାରୁ ଶିକ୍ଷା ଅଧିକାର ଆଇନ୍ କାର୍ଯ୍ୟକାରୀ ହେଉଛି । ଏଇ ଆଇନ୍ ଲାଗୁ ହେବାର ଇତି ମଧ୍ୟରେ ୧୦ବର୍ଷ ବିତି ଯାଇଥିଲେ ସୁଦ୍ଧା ଏବେବି ଅନ୍ଧାର ଗଳିରେ ବହୁତ ଶିଶୁଙ୍କ ଭବିଷ୍ୟତ ନିଶ୍ଚିହ୍ନ ହୋଇଯାଉଛି । ପ୍ରତ୍ୟେକ ଶିଶୁଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଖାଲି ଆଇନ୍ ଲାଗୁ କରିଦେଲେ ହେବନାହିଁ ଏହାକୁ କାର୍ଯ୍ୟକାରୀ କରିବା ଦରକାର ।
ଆମ ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ ଲକ୍ଷ୍ୟ କରାଯାଏ ଯେ, ସ୍ୱାଧୀନତା ପରେ ଅନେକ କମିଶନ ଶିକ୍ଷାକ୍ଷେତ୍ରରେ ବସିଛି । ସେମାନଙ୍କର ସୁପାରିଶ ଗ୍ରହଣ କରାଯାଇଛି । ମାତ୍ର, ଶିକ୍ଷା ବ୍ୟବସ୍ଥାରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ । ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ହିଁ ଏହାର ପ୍ରମୁଖ କାରଣ । ଉଦାହରଣସ୍ୱରୂପ ବିଭିନ୍ନ କମିଶନଙ୍କ ସୁପାରିଶ ଅନୁଯାୟୀ କେନ୍ଦ୍ର ବଜେଟ୍ର ଶତକଡା ୧୦ ଭାଗ ଓ ରାଜ୍ୟ ବଜେଟ୍ର ଶତକଡା ୩୦ ଭାଗ ଅର୍ଥ ଅଦ୍ୟାବଧି ଶିକ୍ଷାକ୍ଷେତ୍ରରେ ବ୍ୟୟ ହୋଇପାରିଲା ନାହିଁ ।

ବରଂ ଶିକ୍ଷା ବଜେଟ୍ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ବିଶେଷକରି ନବେ ଦଶକ ପରେ ଆମ ଦେଶରେ ଉଦାରୀକରଣ ଅର୍ଥନୀତି ପ୍ରଚଳନ ପରେ ଏହାର ପ୍ରତିକୂଳ ପ୍ରଭାବ ଶିକ୍ଷାକ୍ଷେତ୍ରରେ ପଡିଛି । ଫଳସ୍ୱରୂପ ଆମ ରାଜ୍ୟରେ ଏଯାବତ୍ ଗଢି ଉଠିଥିବା ୫୧,୯୬୪ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୮ ହଜାରରୁ ଉଦ୍ଧ୍ୱର୍ ଉଚ୍ଚ ବିଦ୍ୟାଳୟ ଓ ୧୨ ଶହରୁ ଉଦ୍ଧ୍ୱର୍ ମହାବିଦ୍ୟାଳୟ ଏହି ଜଗତୀକରଣ ଓ ଘରୋଇକରଣ ଚକ୍ରବୁ୍ୟହରେ ପଡି ଅବହେଳିତ ହେବାରେ ଲାଗିଛି । ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର କାରଣଗୁଡିକ ଏଠାରେ ଆଲୋଚନା କରାଯାଇ ପରେ ।

ପ୍ରାଥମିକ ଶିକ୍ଷା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ମୂଳୁଦୁଆ । ମାତ୍ର, ମୂଳୁଦୁଆ କ୍ରମଶଃ ଭୁଷୁଡିବାରେ ଲାଗିଛି । ଏହାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ । ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ, ରାଜ୍ୟରେ ଏବେ ୩୪ ହଜାର ଶିକ୍ଷକ ପଦବୀ ଖାଲି ଅଛି । ଶିକ୍ଷକ ଅଭାବ ଲାଗି ରହିଥିବାରୁ ଗତ କେତେ ବର୍ଷ ଧରି ବିଦ୍ୟାଳୟ ଶିକ୍ଷାର ଅବନତି ଦେଖା ଦେଇଛି । ପୁଣି ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ୩୦:୧ ଓ ୩୫:୧ ଛାତ୍ର ଶିକ୍ଷକ ଅନୁପାତରେ ରାଜ୍ୟରେ ଆହୁରି ୧୫ ହଜାର ସ୍କୁଲ ଓ ସେହି ଅନୁପାତରେ ଶିକ୍ଷକ ଆବଶ୍ୟକ । ଯୋଜନା ପରେ ଯୋଜନା ଚାଲିଛି । ଅର୍ଥ ବି କିଛି କମ୍ ଖର୍ଚ୍ଚ ହେଉନାହିଁ ।

ବହୁ ଚର୍ଚ୍ଚିତ ସର୍ବଶିକ୍ଷା ଅଭିଯାନ ଯୋଜନା ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଯୋଜନାରେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରାଯାଉଛି । ମଧ୍ୟାହ୍ନ ଭୋଜନ, ପୋଷାକ ବିତରଣ ଓ ସାଇକେଲ ବଣ୍ଟନ, ମୋସ୍କୁଲ ଅଭିଯାନ ଏପରିକି ସ୍କୁଲ ପିଲାଙ୍କୁ ହାପିନେସ୍ କିଟ୍ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଏତେ ସବୁ ସତ୍ତ୍ୱେ ପ୍ରାଥମିକ ସ୍ତରରେ ଉପସ୍ଥାନ ବଢିଥିଲେ ମଧ୍ୟ ଡ୍ରପ୍ ଆଉଟ୍ ହାରରେ ସେପରି ଉଲ୍ଲେଖନୀୟ ହ୍ରାସ ଘଟିନାହିଁ । ଏପରିକି ହାଇସ୍ୁଲ ଶିକ୍ଷାରେ ଅଧାରୁ ପାଠ ଛାଡୁଛନ୍ତି ୫୧ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି । ସେହିପରି ଅଧିକାଂଶ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ମଧ୍ୟ ନାହାନ୍ତି । ଇନ୍ଚାର୍ଯ ବା କାମଚଳା ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷରେ ଶିକ୍ଷାନୁଷ୍ଠାନ

ଶିକ୍ଷାନୁଷ୍ଠାନ ପୁଣି ସରକାରୀ ଓ ବେସରକାରୀ । ହାଇସ୍କୁଲ ସ୍ତରରେ ସରକାରୀ, ନୂତନ ସରକାରୀ ଓ ଅଣ ଅନୁଦାନ ପ୍ରାପ୍ତ ସ୍କୁଲ ରହିଛି । କଲେଜ ସ୍ତରରେ ସରକାରୀ, ବେସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ଶହେ ପ୍ରତିଶତ, ବ୍ଲକ୍ଗ୍ରାଣ୍ଟ୍ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ରହିଛି । ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଅଧ୍ୟାପକମାନଙ୍କ ଭିତରେ ବେତନରେ ଯଥେଷ୍ଟ ତାରତମ୍ୟ ରହିଛି । ବେତନ ଭିତ୍ତିରେ ଶିକ୍ଷକ ଓ ଅଧ୍ୟାପକମାନଙ୍କ ମଧ୍ୟରେ ଏପରି ବର୍ଗୀକରଣ ଆମ ସମାଜ ପାଇଁ ଶୁଭଙ୍କର ନୁହେଁ । ଫଳରେ ଗୋଟିଏ ବୃତ୍ତିରେ ସମାନ ଯୋଗ୍ୟତା ଥାଇ ବେତନରେ ଭିନ୍ନତା ଯୋଗୁଁ ଶିକ୍ଷକ ଓ ଅଧ୍ୟାପକମାନେ ହୀନମନ୍ୟତାର ଶିକାର ହେଉଛନ୍ତି ।ସରକାର ନିକଟରେ ଶିକ୍ଷକ,ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ପାଇଁ ନୂତନ ଗ୍ରାଣ୍ଟ-ଇନ୍-ଏଡ୍ ନୀତି ଘୋଷଣା କରିଛନ୍ତି । ମାତ୍ର ଏଥିରେ ଶିକ୍ଷକ ଓ କର୍ମଚାରୀ ମାନଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନାହିଁ । ସେହିପରି ୧୯୮୯ ଏପ୍ରିଲ ୧ ପରେ ୟୁଜିସି ବେତନରୁ ବଞ୍ଚିତ ଅଧ୍ୟାପକମାନଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ଏହି ବର୍ଗର ଶିକ୍ଷକ ଓ ଅଧ୍ୟାପକମାନେ ଆନେ୍ଦାଳନ କରୁଛନ୍ତି ।

ବିଗତ ଦିନରେ ସାମାଜିକ ବର୍ଗୀକରଣର କୁପ୍ରଭାବ ଆମେ ଅଙ୍ଗେ ନିଭାଇଛୁ । ଏବେ ଶିକ୍ଷା, ଶିକ୍ଷକ ଓ ଛାତ୍ର ବର୍ଗୀକରଣ ଦ୍ୱାରା ଆକ୍ରାନ୍ତ । ଏହା ଶିକ୍ଷା ସମସ୍ୟାକୁ ଆହୁରି ଜଟିଳ କରୁଛି । ଶିକ୍ଷକ ପଦ ପୂରଣ କରିବା, ଶିକ୍ଷକ ଓ ଅଧ୍ୟାପକମାନଙ୍କ ବେତନରେ ଥିବା ପାର୍ଥକ୍ୟକୁ ଦୂର କରିବା ଓ ଶିକ୍ଷା ପ୍ରଶାସନକୁ ଉନ୍ନତ କରିବା ଦ୍ୱାତା ଶିକ୍ଷାକ୍ଷେତ୍ରରେ ଥିବା ଅସାମଞ୍ଜସ୍ୟ ଓ ଅସନ୍ତୁଳନକୁ ଦୂର କରାଯାଇପାରିବ । କେବଳ ପ୍ରାଥମିକ ସ୍ତରରେ ନୁହେଁ, ହାଇସ୍କୁଲ ସ୍ତରରେ ମଧ୍ୟ ଶିକ୍ଷକଙ୍କର ଅଭାବ ରହିଛି ବିଡମ୍ବନାର ବିଷୟ କେତେକ ହାଇସ୍କୁଲରେ ବିଜ୍ଞାନ, ଗଣିତ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନାହାନ୍ତି । ହେଲେ ସେଠାରେ ପାଠପଢା ଚାଲିଛି । ପ୍ରଶ୍ନ ଉଠୁଛି ବିନା ବିଜ୍ଞାନ ଶିକ୍ଷକରେପିଲାଙ୍କୁ କିଏ ବିଜ୍ଞାନ ଓ ଗଣିତ ପଢାଇବ? ସେହିପରି କଲେଜ ମାନଙ୍କରେ ଅବସ୍ଥା ମଧ୍ୟ ତଦ୍ରୁପ । ସରକାରୀ କଲେଜ ଠାରୁ ଆରମ୍ଭ କରି ସ୍ୱୟଂଶାସିତ ଏପରିକି ଅନୁଦାନପ୍ରାପ୍ତ କଲେଜମାନଙ୍କରେ ଅଧ୍ୟାପକଙ୍କ ମରୁଡି ।
ଦାରିଦ୍ର୍ୟ ହିଁ ଶିକ୍ଷା କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ ରୂପେ ଉଭା ହୋଇଛି । ଏଥିପାଇଁ ଗରିବ ଶ୍ରେଣୀର ପିଲାମାନେ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ମାତ୍ରେ ସ୍କୁଲ ଯିବା ବନ୍ଦ କରିଦିଅନ୍ତି ।

ଏହି ପିଲା ମାନଙ୍କ ଅଭିଭାବକ ମାନେ ମୁଖ୍ୟତଃ ନିରକ୍ଷର ଓ ଆର୍ଥôକ ସ୍ତରରେ ସ୍ୱଚ୍ଛଳ ହୋଇନଥାନ୍ତି । ବାପା ମାଆଙ୍କ ବୋଝ ହାଲୁକା କରିବାପାଇଁ କାମ କରୁଥିବାରୁ ଏମାନେ ନିୟମିତ ସ୍କୁଲ ଯାଇପାରନ୍ତି ନାହିଁ ।ପ୍ରାଥମିକ ଶିକ୍ଷା ଅଭାବରୁ ସେମାନେ ହୋଟେଲ, ସର୍କସ , ଇଟାଭାଟି ଓ କମ୍ପାନି ଗୁଡିକରେ କାମକରୁଛନ୍ତି । କମ୍ପାନି ଗୁଡିକ ପ୍ରାପ୍ତ ବୟସ୍କ ଲୋକଙ୍କୁ କାମ କରିବା ପାଇଁ ଅଧିକ ଖର୍ଚ୍ଚ କରିଥାନ୍ତି । କିନ୍ତୁ କୁନି ପିଲା ମାନଙ୍କୁ ଅଳ୍ପ ପଇସା ଦେଇ କାମ କରାଇଥାନ୍ତି । ଅପରପକ୍ଷରେ ଛୋଟ ପିଲାମନେ ମଧ୍ୟ କାମ ବଦଳରେ କିଛି ପଇସା ରୋଜଗାର କରି ଖୁସି ହୋଇଯାଆନ୍ତି । ଫଳରେ ସେମାନେ ସ୍କୁଲ ଯାଆନ୍ତି ନାହିଁ । ସେହିପରି ଝିଅଙ୍କ ପ୍ରତି ଅପରାଧ ମାମଲ ବଢୁଥିବାରୁ ଅନେକ ଅଭିଭାବକ ସେମାନଙ୍କ ଝିଅଙ୍କୁ ସ୍କୁଲ ପାଠ ପଢିବାପାଇଁ ଛାଡୁନାହାନ୍ତି । ଏହା ବ୍ୟତୀତ ଝିଅମାନଙ୍କ ପାଇଁ ଅଲଗା ଶୈାଚାଳୟ ନରହିବା ଓ ଶିକ୍ଷୟିତ୍ରୀ ନରହିବା ସ୍କୁଲରେ ଝିଅଙ୍କ ସଂଖ୍ୟା କମିବାର ଦେଖାଯାଉଛି ।

ଏକ ସଭ୍ୟ ସମାଜ ଗଠନରେ ଶିକ୍ଷାର ବଡ ଯୋଗଦାନ ରହିଛି । ଶିକ୍ଷା ପୂର୍ବରୁ ସାମ୍ବିଧାନିକ ଅଧିକାର ଥିଲା । ପରେ ଏହାକୁ ମୈାଳିକ ଅଧିକାର କରି ଦିଆଗଲା । ପାଠପଢାରୁ ବଞ୍ଚିତ ଶିଶୁ ଟିଏ ସମାଜ କିମ୍ବା ଦେଶର ବିକାଶରେ ସହାୟକ ହୋଇନଥାଏ । ଏଣୁ ସବୁ ଶିଶୁଙ୍କୁ ଶିକ୍ଷାର ଅଙ୍ଗନକୁ ଆଣିବା ପାଇଁ ସବୁ ସ୍ତରରେ ଉଦ୍ୟମ ଦରକାର ।

Comments are closed.