ହିମାଂଶୁ ଶେଖର ଆଚାର୍ଯ୍ୟ : ବ୍ୟକ୍ତି ସମକାଳର । ବ୍ୟକ୍ତିତ୍ୱ ଚିରକାଳର । ଆଦର୍ଶ ବ୍ୟକ୍ତିତ୍ୱର ମହତ୍ୱ ବିଚ୍ଛୁରିତ ହୋଇପଡେ ସମାଜରୁ ରାଷ୍ଟ୍ରକୁ ।ସେହିପରି ଜଣେ କାଳଔୟୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ । ଆଜି ହେଉଛି ତାଙ୍କର ୧୩୨ତମ ଜୟନ୍ତୀ ଓ ‘ଗୁରୁଦିବସ’ ।ଏକାଧାରରେ ସେଥିଲେ ଜଣେ ଶିକ୍ଷକ, ଶିକ୍ଷାବିତ୍,ଦାର୍ଶନିିକ,କୂଟନୀତିଜ୍ଞ ଓ ସର୍ବୋପରି ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି । ତାଙ୍କୁ ଆମ ଦେଶର ସର୍ବକାଳୀନ ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷା ସଂସ୍କାରକ ଭାବେ ଗ୍ରହଣ କରାଯାଇଛି । ଏହି ମହାପୁରୁଷ ୧୮୮୮ ମସିହା ସେପ୍ଟେମ୍ବର ୫ତାରିଖରେ ତତକାଳୀନ ମାଡ୍ରାସ୍ ସହର(ଆଧୁନିକ ଚେନ୍ନାଇ) ଠାରୁ ପ୍ରାୟ ୪୦ ମାଇଲ୍ ଦୂର ତିରୁତାନୀରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଥିଲା ବୀର ସ୍ୱାମୀ ଓ ମାତାଙ୍କ ନାମା ଥିଲା ସୀତାମ୍ମା ।ବାଲ୍ୟ କାଳରୁ ଦାରିଦ୍ର୍ୟ ତାଙ୍କ ପ୍ରତିଭାର କଣ୍ଠରୋଧ କରିପାରିନଥିଲା । ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଉଚ୍ଚ ଶିକ୍ଷା ଶେଷ କରିଥିଲେ ।
୧୯୦୯ ମସିହାରେ ମାନ୍ଦ୍ରାଜ ପ୍ରେସିଡେନ୍ସି କଲେଜରୁ ଦର୍ଶନ ଶାସ୍ତ୍ରରେ ଏମ୍. ଏ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ତାଙ୍କ ଜୀବନ ଗତିପଥ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ସେଠାରେ ସେ ଅଧ୍ୟାପକ ରୂପେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ମାନ୍ଦ୍ରାଜ, ଆନ୍ଧ୍ର, ବନାରସ ଓ କଲିକତା ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଅଧ୍ୟାପନା ଶୈଳୀ ଖୁବ୍ ଉଚ୍ଚ କୋଟୀର ଥିଲା । ଯାହାକି ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଆକୃଷ୍ଟ କରୁଥିଲା । ତାଙ୍କ ବିଦ୍ବତ୍ତା, ମନନଶୀଳତା ଓ ପ୍ରଖର ବାଗ୍ମୀତା ପାଇଁ ଇଂଲଣ୍ଡ ରାଣୀ ଆପଣଙ୍କୁ ‘ନାଇଟ୍ ଉପାଧିରେ’ ଘୋଷିତ କରିଥିଲେ । ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ପଦବୀ ଅପେକ୍ଷା ଶିକ୍ଷା ଦାନ ଥିଲା ତାଙ୍କ ନିକଟରେ ସବୁଠାରୁ ବଡ କର୍ତ୍ତବ୍ୟ । କାରଣ ଆପଣ ଭଲ ଭାବରେ ଜାଣିଥିଲେ ନୈତିକତା ବିହୀନ ଜୀବନ ନାବିକ ବିହୀନ ନୈାକା ଶଦୃଶ୍ୟ ।
ନିଆରା ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ରାଧାକ୍ରିଷ୍ଣନ୍ । ଆପଣ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଥିଲେ । ନିଜର ଶାନ୍ତଶିଷ୍ଟ ସ୍ୱଭାବ, ପ୍ରଚଣ୍ଡ ଧୀଶକ୍ତି ଓ ଜ୍ଞାନ ଲାଗି ପୃଥିବୀର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଭାରତୀୟ ଧର୍ମ ଓ ଦର୍ଶନ ସମ୍ପର୍କରେ ଲିଖିତ ନିବନ୍ଧମାନ ତାଙ୍କୁ ପୃଥିବୀର ସର୍ବତ୍ର ପରିଚିତ କରାଇପାରିଥିଲା । ସେ ଅର୍କସଫୋର୍ଡ ବିଶ୍ୱ ବିଦ୍ୟାଳୟରେ କିଛିଦିନ ପାଇଁ ଦର୍ଶନ ବିଭାଗର ପ୍ରଫେସର ଭାବରେ ଶିକ୍ଷାଦାନ କରିଥିଲେ । ଏଥିସହିତ ଭାରତୀୟ ୟୁନିଭରସିଟି ଗ୍ରାଣ୍ଟ କମିଶନର ଅଧ୍ୟକ୍ଷ ଭାବରେ କାମ କରିଥିଲେ ।
ଶିକ୍ଷା ସମ୍ପର୍କରେ ନିଜର ଅଭିମତ ପ୍ରକାଶ କରି ସେ କହିଥିଲେ- ମଣିଷର, ଶିକ୍ଷା ହିଁ ତାକୁ ପଶୁଠାରୁ ଅଲଗା କରିଦିଏ । ଶିକ୍ଷା ମଣିଷର ପଶୁପ୍ରବୃତ୍ତିକୁ ଦୂର କରି ତାର ଅନ୍ତର୍ନିହିତ ଗୁଣାବଳୀ ଗୁଡିକର ଚରମ ଉକôର୍ଷ ସାଧନ କରିଥାଏ । ଶିକ୍ଷା ମଣିଷର ମସ୍ତିଷ୍କ ଉନ୍ନତ କରେ, ହୃଦୟକୁ ଉଦାର ଓ ସମ୍ବେଦନଶୀଳ କରେ । ତାଙ୍କ ମତରେ ଭୈାତିକ ଶିକ୍ଷା ଅପେକ୍ଷା ପ୍ରାକୃତିକ ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ମଣିଷ ଭିତରେ ଥିବା ଉଦାର ଭାବକୁ ବିକଶିତ କରେ । ଶିକ୍ଷା ମଣିଷକୁ ମଣିଷ ଭଳିଆ କରିବାକୁ ସହାୟ ହେଉ ବୋଲି ସେ କହୁଥିଲେ ।
ତାଙ୍କ ମତରେ ମଣିଷ ଭୈାତିକ ଶରୀରଧାରୀ ଏକ ଆଧ୍ୟାତ୍ମିକ ସତ୍ତା । ବୈଷୟିକ ବିଦ୍ୟା ଓ ବିଜ୍ଞାନ ମଣିଷକୁ ପ୍ରକୃତି ଉପରେ ପ୍ରଭୃତ ବିସ୍ତାର କରିବା ସହିତ ପ୍ରକୃତିକୁ ନିଜର ବ୍ୟବହାର ପାଇଁ ବାଟ ଦେଖାଇ ଦେଇଛି । ଯାହା ଫଳରେ ମଣିଷ ଆକାଶରେ ଉଡିପାରୁଛି, ସମୁଦ୍ରରେ ବୁଡି ରତ୍ନ ସଂଗ୍ରହ କରିପାରୁଛି । କିନ୍ତୁ ଅହରହ ଭୈାତିକ ସୁଖପଛରେ ଧାଉଁଥିବା ମଣିଷ ପ୍ରକୃତ ମଣିଷର ଜୀବନ ନେଇ ବଞ୍ଚିପାରେନାହିଁ । ବର୍ତ୍ତମାନ ଶିକ୍ଷା ମଣିଷକୁ ଶାନ୍ତି ଭିତରେ ନିଜର ବିକାଶ କରାଇବାରେ ବିଫଳ ହୋଇପଡୁଛି । ମଣିଷ ତାର ମାନସିକ ଅଶାନ୍ତି, ଚିନ୍ତା ଓ ଅନ୍ୟାନ୍ୟ ଦୁଃଖକୁ ନେଇ ବଞ୍ଚୁଛି । ଏସବୁ କୁ-ଶିକ୍ଷାର ଫଳ । ପ୍ରକୃତ ଶିକ୍ଷା ମଣିଷର ଶାରୀରିକ , ମାନସିକ ବ୍ୟକ୍ତିତ୍ୱର ସମନ୍ୱିତ ବିକାଶରେ ସହାୟକ ହୋଇଥାଏ ।
୧୯୪୭ ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସ୍ୱାଧୀନ ହେଲା । ଇଂରେଜ ଶାସନ ଲୋପ ପାଇଲା । ପଣ୍ଡିତ ଜବାହରଲାଲ ନେହେରୁ ହେଲେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ । ପୃଥିବୀର ବିଭିନ୍ନ ଦେଶ ସହିତ ଦ୍ୱିପାକ୍ଷିକ ସଂପର୍କ ସ୍ଥାପନା ନିମିତ୍ତଭାରତ ତରଫରୁ ରାଷ୍ଟ୍ରଦୂତ ଭାବରେ ବହୁ ବ୍ୟକ୍ତି ନିଯୁକ୍ତି ପାଇଲେ । କେବଳ ଦୁଇଟି ଦେଶରେ ଭାରତ ରାଷ୍ଟ୍ରଦୂତ ପଦ ଖାଲି ପଡିଥାଏ । ସେ ଦୁଇଟି ଦେଶ ହେଲା ଚୀନ ଓ ରୁଷ୍ । ଏ ଦୁଇ ଦେଶରେ କାହାକୁ ରାଷ୍ଟ୍ରଦୂତ ରୂପେ ନିଯୁକ୍ତି ଦିଆଯିବ ଏ ବିଷୟରେ ଆଲୋଚନା ଚାଲିଥାଏ ।
ନେହେରୁ ଉପଯୁକ୍ତ ଲୋକଟିଏ ଖୋଜୁଥାନ୍ତି । ବଡ ବଡ ରାଜନୈତିକ ନେତା ମାନେ ଯାହାର ନାମକୁ ପ୍ରସ୍ତାବ ଦେଉଥାନ୍ତି ତାହା ନେହେରୁଙ୍କ ମନକୁ ପାଉନଥାଏ । ଯେଉଁ କେତୋଟି ଦେଶ ପାଇଁ ରାଷ୍ଟ୍ରଦୂତ ନିଯୁକ୍ତି ଦିଆସାରିଥିଲା, ସେମାନେ ସମସ୍ତେ ରାଷ୍ଟ୍ର ନୀତିରେ ବିଚକ୍ଷଣ ଥିଲେ । ନେହେରୁଙ୍କ ଦୃଷ୍ଟି ପଡିଲା ରାଧାକ୍ରିଷ୍ଣନ୍ଙ୍କ ଉପରେ । ରାଧାକ୍ରିଷ୍ଣନ୍ ସେତେବେଳେ ବାରଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କୁଳପତି ଥାଆନ୍ତି । ନେହେରୁଙ୍କର ତାଙ୍କ ପ୍ରତି ବିଶେଷ ଶ୍ରଦ୍ଧା ସମ୍ମାନ ଓ ଉଚ୍ଚ ଧାରଣା ଥିଲା ।
ତେଣୁ ସେ ତାଙ୍କୁ ରୁଷିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି କଲେ । ରାଧାକ୍ରିଷ୍ଣନ୍ ୧୯୪୯ ମସିହାରେ ରୁଷିଆର ରାଷ୍ଟ୍ରଦୂତ ପଦବୀ ଗ୍ରହଣ କଲେ । ଦୀର୍ଘ ତିନିବର୍ଷ ରୁଷରେ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ପରେ ୧୯୫୨ରେ ଭାରତକୁ ଫେରିଆସିଥିଲେ । କିନ୍ତୁ ସେ ଭାରତକୁ ଆସିବା ପୂର୍ବରୁ ଷ୍ଟାଲିନ୍ ତାଙ୍କୁ ଦେଖାକରିବା ପାଇଁ ଇଚ୍ଛା ପ୍ରକାଶ କଲେ । ରାଧାକ୍ରିଷ୍ଣନ୍ ତାଙ୍କୁ ସାକ୍ଷାତ କରିବାପାଇଁ ଗଲେ । ଷ୍ଟାଲିନ୍ ସେତେବେଳେ ରୋଗ ଶଯ୍ୟାରେ ଦୁର୍ବଳ ହୋଇ ପଡିଥାନ୍ତି । ତାଙ୍କର ଅବସ୍ଥା ଦେଖି ରାଧାକ୍ରିଷ୍ଣନ୍ ଗଭୀର ଦୁଃଖୀ ହେଲେ । ସେ ତାଙ୍କ ଶଯ୍ୟା ନିକଟରେ ବସି ତାଙ୍କ କପାଳ ସ୍ପର୍ଶ କଲେ । ସେଦିନ ଷ୍ଟାଲିନ୍ଙ୍କ କଠୋର ହୃଦୟ ତରଳିଯାଇଥିଲା । ଆଖିରୁ ତାଙ୍କର ବହି ଆସିଥିଲା ଧାରଧାର ଲୁହ । ସେ ଆବେଗମୟ ଭାଷାରେ ସେଦିନ ରାଧାକ୍ରିଷ୍ଣନଙ୍କୁ କହିଥିଲେ ‘‘ ଆପଣଙ୍କର ଏ ଭଲ ପାଇବାର ସ୍ପର୍ଶ ମୋ ପାଇଁ ଏକ ଦୁର୍ବଳ ଅନୁଭବ । ମୁଁ ଆପଣଙ୍କର ଦୀର୍ଘାୟୁ କାମନା କରୁଛି ।
୧୯୫୨ ମସିହାରେ ରାଧାକ୍ରିଷ୍ଣନ ରୁଷିଆରୁ ଫେରି ଆସିଲେ ଏବଂ ସେହି ବର୍ଷ ସେ ଭାରତର ଉପରାଷ୍ଟ୍ରପତି ହେଲେ । ୧୯୫୨ରୁ ୧୯୬୨ ଦୀର୍ଘ ଦଶବର୍ଷ କାଳ ସେ ଭାରତର ଉପରାଷ୍ଟ୍ରପତି ଭାବରେ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ । ୧୯୬୨ ମସିହାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ରାଷ୍ଟ୍ରପତି ପଦରୁ ସ୍ୱ-ଇଚ୍ଛାରେ ।ବସର ନେଲେ । ନେହେରୁଙ୍କ ପ୍ରସ୍ତାବ କ୍ରମେ ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ରୂପେ ସର୍ବସମ୍ମତି କ୍ରମେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚିତ ହେଲେ ।
୧୯୬୨ ମସିହାରେ ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାପରେ ଆପଣଙ୍କର କେତେକ ଛାତ୍ର ଓ ଶୁଭେଚ୍ଛୁ ଆପଣଙ୍କ ଜନ୍ମଦିନକୁ ଆଡମ୍ବର ସହକାରେ ପାଳନ କରିବାକୁ ଅନୁମତି ମାଗନ୍ତେ,ଆପଣ କହିଲେ – “ଯଦି ମୋ ଜନ୍ମ ଦିନକୁ ପାଳନ କରିବାକୁ ଚାହୁଁଛ ତେବେ ମୋ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କଲେ ମୁଁ ବହୁତ ଖୁସି ହେବି” । ଛାତ୍ର ଓ ଶୁଭେଚ୍ଛୁମାନେ ଆପଣଙ୍କ କଥା ରଖିଲେ ଓ ସେହିଦିନଠାରୁ ଗୁରୁଦିବସ ପାଳନ ଆରମ୍ଭ ହେଲା ।
୧୯୭୫ ମସିହା ଏପ୍ରିଲ ମାସ ୧୭ ତାରିଖ ଦିନ ରାଧାକ୍ରିଷ୍ଣନ୍ଙ୍କ ଦୀର୍ଘ କର୍ମମୟ ଜୀବନର ଅବସାନ ଘଟିଥିଲା । ତାଙ୍କ ଦେହାବସାନରେ ସତେ ଯେପରି ଏକ ଯୁଗର ଅବସାନ ହେଲା । ତାଙ୍କୁ ହରାଇ ଭାରତମାତାର ଅପୂରଣୀୟ କ୍ଷତି ହେଲା । ଆଜି ଗୁରୁ ଦିବସ ପାଳନ ଅବସରରେ ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ସମୟ ବଦଳିବା ସହିତ ବଦଳି ଯାଇଛି ଗୁରୁ ଶିଷ୍ୟର ସମ୍ପର୍କର ନିବିଡତା । ଏତିକି ବେଳେ ସେ ଭାରି ମନେପଡୁଛନ୍ତି ।