ଡ. ମନୋରଞ୍ଜନ ମହାନ୍ତି : ଭାରତୀୟ ଦର୍ଶନ, ସାହିତ୍ୟ, ଶିକ୍ଷା, ସଂସ୍କୃତି, ଧର୍ମ, କଳା ଓ ରାଜନୀତି କ୍ଷେତ୍ରରେ ନିଜ ବ୍ୟକ୍ତିତ୍ୱର ପରାକାଷ୍ଠା ପଦର୍ଶନ କରିଥିବା ପୃଥିବୀର ବୈାଦ୍ଧିକ ଜଗତର ଉଜ୍ଜଳ ଜ୍ୟୋତିଷ, ବହୁମୁଖୀ ପ୍ରତିଭାର ଅଧିକାରୀ ଆଦର୍ଶ ଶିକ୍ଷକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜନ୍ମ ଦିବସକୁ ଆଜିର ଦିନରେ ୧୯୬୨ ମସିହା ଠାରୁ ଗୁରୁଦିବସ ରୂପେ ପାଳନ କରାଯାଉଛି ।
ସର୍ବପଲ୍ଲୀ ରାଧାକୃଷ୍ଣନ୍ ୫ ସେପ୍ଟେମ୍ବର ୧୮୮୮ରେ ମାନ୍ଦ୍ରାଜର ତୁରୁଭାଣୀ ଠାରେ ଏକ ସାଧାରଣ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବୀରସ୍ୱାମୀ ଥିଲେ ଜଣେ ଗ୍ରାମ ଅବଧାନ । ପିଲାଦିନେ ରାଧାକୃଷ୍ଣନ୍ ଡରୁଆ ଥିଲେ । ସଞ୍ଜ ହେଲେ ଘରୁ ବାହାରୁ ନଥିଲେ । ବରଂ ନିରୋଳାରେ ଏକୁଟିଆ ରହିବାକୁ ଭଲ ପାଉଥିଲେ ଓ ପ୍ରତିଦିନ ସାବଧାନତା ସହ ଚଳିବାକୁ ପସନ୍ଦ କରୁଥିଲେ ।
ମାନ୍ଦ୍ରାଜର ଖ୍ରୀଷ୍ଟିୟାନ କଲେଜରେ ନାମ ଲେଖାଇ ସେଠାରେ ଦର୍ଶନ ଶାସ୍ତ୍ରରେ ସମ୍ମାନର ସହ ଖୁବ୍ ଭଲ ନମ୍ବର ରଖି ବି.ଏ. ପାଶ୍ କଲେ । ଅର୍ଥାଭାବ ତାଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥିଲା, କିନ୍ତୁ ଦୁଃଖକଷ୍ଟ, ଅଭାବ ଅସୁବିଧା ମଧ୍ୟରେ ରହି ମାତ୍ର ୨୦ ବର୍ଷ ବୟସରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରି ସ୍ନାତକୋତ୍ତର ପାଶ୍ କରିଥିଲେ । ଶିକ୍ଷା ପରିସମାପ୍ତି ପରେ ମାତ୍ର ୨୧ ବର୍ଷ ବୟସରେ ୧୯୦୯ ରେ ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜରେ ଦର୍ଶନ ଶାସ୍ତ୍ରରେ ସହକାରୀ ଅଧ୍ୟାପକ ପଦରେ ପ୍ରଥମେ ଯୋଗଦେଲେ । ଦର୍ଶନ ଶାସ୍ତ୍ରରେ ଅଗାଧ ଜ୍ଞାନ, ଛାତ୍ରବତ୍ସଳତା ତଥା ନିରହଙ୍କାର ସ୍ୱଭାବ ଯୋଗୁଁ ସୁଖ୍ୟାତି ଅର୍ଜନ କରି ସବୁ ମହଲରେ ସେ ଆଦୃତ ଲାଭ କରିଥିଲେ । ୧୯୧୯ ରେ ମହୀଶୂର ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ବିଭାଗୀୟ ମୁଖ୍ୟ ଭାବରେ ଯୋଗଦେଲେ ।
ଏହି ସମୟରେ ତାଙ୍କର ଗବେଷଣା ସମ୍ବଳିତ ଉଚ୍ଚକୋଟୀର ମୂଲ୍ୟବାନ ଦାର୍ଶନିକ ପ୍ରବନ୍ଧମାନ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଏଥିକ୍ସ, ମନିଷ୍ଟ, କ୍ୱେଷ୍ଟ ସମେତ ଦେଶର ବିଭିନ୍ନ ପ୍ରମୁଖ ଖ୍ୟାତିସମ୍ପନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଲା । କ୍ରମେ ସର୍ବଭାରତୀୟସ୍ତରରେ ଜଣେ ପ୍ରତିଭା ସମ୍ପନ୍ନ ଦାର୍ଶନିକ ଭାବରେ ସ୍ୱୀକୃତି ଲାଭ କରି ସେ ବିପୁଳ ପ୍ରଶଂସା ଲାଭ କରିଥିଲେ ।
ରାଧାକୃଷ୍ଣନ ମହୀଶୂରରୁ କଲିକତା ଯାଇ ୧୯୨୧ ରେ କଲିକତା ବିଶ୍ୱବିଦ୍ୟାଳୟର “ସମ୍ରାଟ ପଞ୍ଚମ ଜର୍ଜ ଦର୍ଶନ ଚେୟାର ପ୍ରଫେସର” ପଦବୀରେ ଅଧିଷ୍ଠିତ ହୋଇଥିଲେ । ୧୯୨୬ ରେ ଅକ୍ସଫୋଡର ମାଞ୍ଚେଷ୍ଟର ମହାବିଦ୍ୟାଳୟ ତରଫରୁ ହିନ୍ଦୁ ଜୀବନର ଦର୍ଶନ ଉପରେ ଏକ ବକ୍ତୃତା ପ୍ରଦାନ କରିବା ପାଇଁ ନିମନ୍ତ୍ରିତ ହୋଇଥିଲେ । ୧୯୨୯ରେ ସେ ଅକ୍ସଫୋଡ ବିଶ୍ୱବିଦ୍ୟାଳୟର ମଞ୍ଚେଶ୍ୱର ମହାବିଦ୍ୟାଳୟର ପ୍ରାଚ୍ୟ-ଧର୍ମ ବିଭାଗରେ ଅଧ୍ୟାପକ ରୂପେ ଯୋଗଦେଇ ଧର୍ମ-ନୀତି ଆଦର୍ଶ ଉପରେ ପର୍ଯ୍ୟବେଷିତ ଅନେକ ନିବନ୍ଧ ଉପସ୍ଥାପନ ପାଇଁ ସୁଯୋଗ ପାଇଥିଲେ । ଆଦର୍ଶ ଓ ନୈତିକତାକୁ ମୂଳଭିତ୍ତି କରି ସଭ୍ୟତା ଗଢି ଉଠେ ବୋଲି ସେ ପ୍ରତିପାଦିତ କରିଥିଲେ ଏବଂ ପାରସ୍ପରିକ ବୁଝାମଣା, ସ୍ନେହ, ସୌହାଦ୍ର୍ଦ୍ୟ ଓ ଭାବ ଆଦାନପ୍ରଦାନର ଏକ ସୁସ୍ଥ ବାତାବରଣକୁ ଭିତ୍ତିକରି ପରିପୃଷ୍ଟ ହୁଏ ବୋଲି ବୁଝାଇଥିଲେ ।
ଅଧ୍ୟାପକ ରୂପେ ରାଧାକୃଷ୍ଣନ୍ଙ୍କ ଅଧ୍ୟୟନ ଓ ଅଧ୍ୟାପନା ସ୍ମରଣୀୟ । ବିଭିନ୍ନ ଭାବରେ ଶିକ୍ଷା ସହ ପ୍ରତ୍ୟକ୍ଷ ସଂପୃକ୍ତ ଥାଇ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ବିକାଶ ପାଇଁ ସେ କାର୍ଯ୍ୟ କରିଥିଲେ । ୧୯୩୫ ରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ହେଲେ । କୁଳପତିତ୍ୱ ସମୟରେ ପ୍ରଶାସନିକ ପଚିଚାଳନା ଦକ୍ଷତା ଯୋଗଁ ସେ ମହାତ୍ମା ଗାନ୍ଧୀଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଗାନ୍ଧିଜୀଙ୍କ ପରାମର୍ଶ ଅନୁଯାୟୀ ପଣ୍ଡିତ ମଦନ ମୋହନ ମାଲବ୍ୟ ରାଧାକୃଷ୍ଣନ୍ଙ୍କୁ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର କୁଳପତି ପଦବୀ ଗ୍ରହଣ କରିବା ପାଇଁ ଅନୁରୋଧ କରିବାରୁ ସେ ୧୯୩୯ ରୁ ୧୯୪୮ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଥିଲେ । ୧୯୪୪ ରେ “ଇଣ୍ଡିଆ-ଚାଇନା ଏଜୁକେସନ୍”, “ପଲିଟିକ୍ସ ଆଣ୍ଡ ୱାର” ଇତ୍ୟାଦି ତାଙ୍କର ବହୁ ଉପାଦେୟ ପୁସ୍ତକ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଚଳିତ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିଲା ।
ଭାରତୀୟ ଦର୍ଶନ କଂଗ୍ରେସର ସଭାପତି, ମିଳିତ ଜାତିସଂଘ ଶିକ୍ଷା ଓ ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗର ଅଧ୍ୟକ୍ଷ ଇତ୍ୟାଦି ଗୁରୁତ୍ୱପୁର୍ଣ୍ଣ ପଦ ପଦବୀରେ ସେ ଅଧିଷ୍ଠିତ ହୋଇଥିଲେ ।
ଏକାଧାରରେ ରାଧାକୃଷ୍ଣନ୍ ଜଣେ ଆଦର୍ଶ ଶିକ୍ଷକ, ପ୍ରଶାସକ, ବିଶ୍ୱବିଖ୍ୟାତ ଦାର୍ଶନିକ, ସଫଳ କୁଟନୀତିଜ୍ଞ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ, ସୁବକ୍ତା, ସମାଲୋଚକ, ସଂସ୍କାରକ, ଶିକ୍ଷାବିତ୍ ତଥା ମାନବବାଦର ମହାନ୍ ପ୍ରବକ୍ତା ଥିଲେ । ବ୍ରିଟିଶ୍ ଏକାଡେମୀ ତାଙ୍କୁ “ଫେଲୋସିପ୍ ଅଫ୍ ଅଲ୍ ସୋଲ୍ସ” ଉପାଧି ପ୍ରଦାନ କରିଥିଲେ । ଆମେରିକା ଏଡନ୍ବରୋ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ତାଙ୍କୁ “ଡକ୍ଟର ଅଫ ଲ”, ବେଙ୍କିଙ୍ଗହାମ୍ ରାଜପ୍ରସାଦରେ ତାଙ୍କୁ ଦେଶର ସର୍ବୋଚ୍ଚ “ଅଡର ଅଫ୍ ମେରିଟ୍” ପ୍ରଦାନ କରାଯାଇଥିବା ବେଳେ ମଙ୍ଗୋଲିଆ ସରକାର “ଜ୍ଞାନଗୁରୁ”, ଭାରତୀୟ ବିଦ୍ୟାଭବନ ତାଙ୍କୁ “ବିଦ୍ୟାଭାସ୍କର” ଉପାଧିରେ ଭୂଷିତ କରିଥିଲେ ।
୧୯୪୯ ରେ ଏହି ମହାନ୍ ବ୍ୟକ୍ତି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ଦ୍ୱାରା ସୋଭିଏତ୍ ସଂଘର ରାଷ୍ଟ୍ରଦୂତ ଭାବରେ ଅବସ୍ଥାପିତ ହେଲେ । ସେତେବେଳେ ଷ୍ଟାଲିନ୍ ସୋଭିଏତ୍ ଋଷ୍ର ସର୍ବମୟ କର୍ତ୍ତା ଥାଆନ୍ତି । ଆବଶ୍ୟକସ୍ଥଳେ ତାଙ୍କ ସହ ସାକ୍ଷାତ କରିବା ଜଣେ ସାଧାରଣ ପଦାଧିକାରୀଙ୍କ ପାଇଁ କଷ୍ଠସାଧ୍ୟ ବ୍ୟାପାର ଥିଲା । ମାତ୍ର ଭାରତର ଜଣେ ବିଶ୍ୱବିଖ୍ୟାତ୍ ଦାର୍ଶନିକ ତାଙ୍କ ଦେଶକୁ ରାଷ୍ଟ୍ରଦୂତ ରୂପେ ନିଯୁକ୍ତି ପାଇ ପ୍ରେରିତ ହୋଇଥିବା ଜାଣିବା ପରେ ଷ୍ଟାଲିନ୍ ନିଜ ତରଫରୁ ସାକ୍ଷାତ ପାଇଁ ରାଧାକୃଷ୍ଣନ୍ଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ତାଙ୍କ ପ୍ରୟାସ ଯୋଗୁଁ ଋଷ୍ ଓ ଭାରତ ମଧ୍ୟରେ ଥିବା ବନ୍ଧୁତା ଅତି ସୁଦୃଢ ହୋଇପାରିଥିଲା ।
ମାତ୍ର ଶାରୀରିକ ଅସୁସ୍ଥତା ତାଙ୍କୁ ବିଦେଶରେ ବେଶି ଦିନ ରଖାଇ ପାରିନଥିଲା । ଫଳରେ ସେ ଭାରତକୁ ଫେରିଆସି ୧୯୫୨ ରେ ସବୁ ଦଳର ସମର୍ଥନରେ ସର୍ବସମ୍ମତିକ୍ରମେ ଦେଶର ଉପ-ରାଷ୍ଟ୍ରପତି ହେଲେ ଏବଂ ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ୧୨ ମଇ ୧୯୬୨ ସେ ଭାରତର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦକୁ ନିର୍ବାଚିତ ହୋଇଥିଲେ । ରାଷ୍ଟ୍ରପତି ପଦ ଅଳଙ୍କୁତ କରିବା ପରେ ତାଙ୍କ ଜୟନ୍ତୀ (ଜନ୍ମତିଥି) ପାଳନ ପାଇଁ ଯେତେବେଳେ ତାଙ୍କୁ ପଚରାଗଲା ସେ କହିଲେ “ମୁଁ ଜଣେ ସାଧାରଣ ଶିକ୍ଷକ । ଶିକ୍ଷକତାରୁ ଆସି ମୁଁ ଭାରତର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ଅଧିକାର କରିପାରିଛି । ମୋ ଜନ୍ମତିଥିରେ ମୋତେ ସମ୍ମାନୀତ ନକରି ଯଦି ସମଗ୍ର ଗୁରୁୁକୁଳକୁ ସମ୍ମାନିତ କରାଯାଏ, ତେବେ ତାହା ମୋ ପାଇଁ ଶ୍ରେଷ୍ଠ ସମ୍ମାନ ହେବ” । ଫଳରେ ତାଙ୍କ ଇଚ୍ଛାନୁସାରେ ୧୯୬୨ ମସିହା ଠାରୁ ସେପ୍ଟେମ୍ବର ୫ ତାରିଖକୁ ସମଗ୍ର ଦେଶରେ ଗୁୁରୁଦିବସ ରୂପେ ପାଳନ କରାଯାଇ ଆସୁଅଛି ।
Comments are closed.