ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ନଡ଼ିଆଭଙ୍ଗା ଉଚ୍ଚ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ଦୁଇଟି ନୂତନ ଶ୍ରେଣୀଗୃହ ଲୋକାର୍ପିତ
– ଉଦଘାଟନ କଲେ ଏନ୍ଆଇଏନ୍ଏଲ ଏମ୍ଡି ତଥା ସିଇଓ ସୁଧୀର ମେହେଟ୍ଟା
– ଉପକୃତ ହେବେ ୨୪୦ରୁ ଅଧିକ ଛାତ୍ରଛାତ୍ରୀ
ବ୍ୟାସନଗର : ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଆଣି ଶିକ୍ଷଣ ସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ନିର୍ମିତ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତ ଖଣ୍ଡରା ଗ୍ରାମର ଉଚ୍ଚ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ଦୁଇଟି ନୂତନ ଶ୍ରେଣୀଗୃହ ଲୋକାର୍ପିତ ହୋଇଯାଇଛି।
ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)ର ଏମ୍ଡି ତଥା ସିଇଓ ସୁଧୀର ମେହେଟ୍ଟା ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ନଡ଼ିଆଭଙ୍ଗା ପଞ୍ଚାୟତର ସରପଞ୍ଚ ରଶ୍ମିତା ସାହୁ, ସ୍କୁଲ ଶିକ୍ଷକ, ସ୍କୁଲ ଛାତ୍ରଛାତ୍ରୀ ଓ କମ୍ୟୁନିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହା ୧୬୦୦ ବର୍ଗଫୁଟରୁ ଅଧିକ ସ୍ଥାନରେ ନିର୍ମିତ। ଯାହାଦ୍ୱାରା ବିଦ୍ୟାଳୟର କ୍ଷମତା ବୃଦ୍ଧି ପାଇବ। ଏହି ଶ୍ରେଣୀଗୃହରେ ୨୪୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ ଏବଂ ପାଠପଢିବା ପାଇଁ ଉନ୍ନତ ପରିବେଶ ଉପଲବ୍ଧ ହେବ।
ଏହି ଅବସରରେ ଏନ୍ଆଇଏନ୍ଏଲ ର ଏମ୍ଡି ତଥା ସିଇଓ ଶ୍ରୀ ମେହେଟ୍ଟା କହିଲେ, ଗୁଣାତ୍ମକ ଶିକ୍ଷା ପାଇବା ପ୍ରତ୍ୟେକ ପିଲାଙ୍କ ଅଧିକାର ଏବଂ ଏହି ପଦକ୍ଷେପ ମାଧ୍ୟମରେ ଆମେ ପିଲାମାନଙ୍କୁ ଉନ୍ନତ ଶିକ୍ଷା ସୁବିଧା ଯୋଗାଇଦେବାକୁ ଚାହୁଁଛୁ। ନଡ଼ିଆଭଙ୍ଗା ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।