ଵ୍ରହ୍ମପୁର , ୩୦/୭- ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ବାଇପାସ ନିକଟରେ ଥିବା ଟାଟା ପାୱାରର ସେଣ୍ଟ୍ରାଲ ଷ୍ଟୋରରେ ଶନିବାର ମଧ୍ୟାନ୍ନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଉକ୍ତ ଷ୍ଟୋର ପରିସରରେ ଗଛିତ ଥିବା ଲକ୍ଷାଧିକ ଟଙ୍କାର ମଟର ବକ୍ସ ପୋଢ଼ି ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି।ପ୍ରାଥମିକ ଅନୁସନ୍ଧାନରୁ ଉକ୍ତ ଷ୍ଟୋରରେ ବିଦ୍ୟୁତ ସର୍ଟ ସାର୍କିଟରୁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ବ୍ରହ୍ମପର ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟାନ୍ନ ସାଢ଼େ ୧୨ ଟା ସମୟରେ ଟାଟା ପାୱାର ସେଣ୍ଟ୍ରାଲ ଷ୍ଟୋର ପରିସରରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ସେଠାରେ କାର୍ଯ୍ୟରତ କେତେକ କର୍ମଚାରୀ ଦେଖିବାକୁ ପାଇଥିଲେ। ସେମାନେ ଏନେଇ କତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେଠାରେ ରଖାଯାଇଥିବା ଫାୟାର ଏକ୍ସଟିଙ୍ଗୁସର (ଅଗ୍ନି ନିରାପତ୍ତା ଯନ୍ତ୍ର) ସହାୟତାରେ କର୍ମଚାରୀ ମାନେ ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ସେମାନେ ନିଆଁ କୁ ଆୟତ୍ତ କରିପାରିନଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର କରାଯାଇଥିଲା। ଅଗ୍ନିକ ମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଉକ୍ତ ଷ୍ଟୋରରେ ମହଜୁଦ ଥିବା ଅଧିକାଂଶ ମିଟର ବକ୍ସ ପୋଡି ନଷ୍ଟ ହୋଇ ସାରିଥିଲା। ପ୍ରାଥମିକ ଆକଳନ ରୁ ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ମିଟର ବକ୍ସ ନଷ୍ଟ ହୋଇଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।
