ତାଳଚେର, ତା ୫/୬ ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମପଂଚାୟତର ବିଭିନ୍ନ ଗ୍ରାମର ସାହିଗୁଡ଼ିକରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଏହାର ସମାଧାନ ନିମନ୍ତେ ତାଳଚେର ବ୍ଳକର ପୂର୍ବତନ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ପଂଚାୟତବାସୀ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଉକ୍ତ ଗ୍ରାମପଂଚାୟତ ଅଧିନସ୍ଥ ଗୁରୁଜାଙ୍ଗୁଲି ଗ୍ରାମର ବେହେରା ସାହି ସମେତ ଗୁରୁଜାଙ୍ଗୁଲି, ଗୋଚ୍ଛାୟତ ସାହି, ବ୍ରାହ୍ମଣ ସାହି, ଚଷା ସାହି, ଖୋଲୁଆ ଗ୍ରାମର ଗୋଚ୍ଛାୟତ ସାହି, ଜଗନ୍ନାଥପୁରର ଥର୍ମାଲ ହାଟ ନିକଟ ଦିଘି ନାଏକ ସାହିରେ ପାନୀୟ ଜଳ ସମସ୍ୟା ତୀବ୍ରତର ହୋଇଛି । ଏଠାରେ ବହୁ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି । ଗୁରୁଜାଙ୍ଗୁଲି ପଂଚାୟତରେ ପ୍ରାୟ ୫୦୦୦ ହଜାର ଲୋକ ବସବାସ କରୁଥିବା ବେଳେ ବେହେରା ସାହିରେ ୫ଶହ ଲୋକ ବାସ କରୁଛନ୍ତି । ଉକ୍ତ ସାହିକୁ ସରକାରଙ୍କ ତରଫରୁ ଦୀର୍ଘ ୩୦ ବର୍ଷ ହେଲାଣି ପାଣି ପାଇପ ବିଛାଇ ଦିଆଯାଇଛି । କିନ୍ତୁ ବଡ ଦୁଃଖର ବିଷୟ ଯେଉଁ ପାଣି ପାଇପ ଲାଇନ ସଂଯୋଗ ହୋଇଛି ସେହି ପାଇପଗୁଡ଼ିକରେ ଆଦୌ ପାଣି ଆସୁନାହିଁ । ଯାହାଦ୍ୱାରା ସାହିର ଲୋକମାନେ ଜଳ ସଂଗ୍ରହ କରିବାରେ ବହୁତ ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ବାଧ୍ୟ ହୋଇ ଗ୍ରାମରେ ଥିବା ପୋଖରୀ ଓ କୂଅରୁ ଦୂଷିତ ପାଣି ନେଇ ବ୍ୟବହାର କରୁଛନ୍ତି । ଉକ୍ତ ପାଣି ବ୍ୟବହାର କରିବା ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଲୋକଙ୍କ ଅଭିଯୋଗ ଅନୁସାରେ ସାହିଗୁଡ଼ିକୁ ଯେଉଁ ପାଇପ ଲାଇନ ବିଛାଯାଇଛି ସେହି ପାଇପ ଲାଇନରେ ଆଦୌ ପାଣି ଆସୁନାହିଁ ଯେତିକି ପାଣି ଆସୁଛି କିଏ ପାଉଛି ତ କିଏ ପାଉନାହିଁ । ବର୍ତମାନ ଗ୍ରୀଷ୍ମଋତୁ ଚାଲୁଥିବାରୁ ଜଳର ଘୋର ଅଭାବ ରହିଛି । ଏଣୁ ପାଇପ ଲାଇନ ଗୁଡିକରେ କାହିଁକି ପାଣି ଆସୁନାହିଁ ତାହାର ତଦନ୍ତ କରାଯାଉ । ଏଣୁ ଜନଶୁଣାଣି ଶିବିରରେ ସ୍ଥାନୀୟ ଲୋକଙ୍କ ତରଫରୁ ପ୍ରଦତ ଦରଖାସ୍ତଟିକୁ ବିଭାଗୀୟ କର୍ତୃପକ୍ଷ ବିଚାରକୁ ନେଇ ଉପଯୁକ୍ତ ତଦନ୍ତ କରି ଜଳ ସମସ୍ୟା ରହିଥିବା ସାହିଗୁଡ଼ିକୁ ପାଇପ ଯୋଗେ ପିଇବା ପାଣିର ସୁବ୍ୟବସ୍ଥା କରିବାକୁ ନିବେଦନ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ସମୟରେ ତାଳଚେର ବ୍ଲକର ପୂର୍ବତନ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ସମେତ ସଞ୍ଜୟ ବେହେରା, ଫକୀର ସାହୁ, ଅଙ୍କିତ ବେହେରା, ଅସିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
